ଓ.ଟି. ଭିତରେ ଚାଲିଛି ମଦ ମାଂସର ଆସର..!

ଭଗବାନ ଙ୍କ ଭରଷା ରେ ରୋଗୀ ଚିକିତ୍ସା….

ନିମାପଡା : ଡାକ୍ତର ବାବୁଙ୍କର ଓ.ଟି. ଭିତରେ ଚାଲିଛି ମଦ ମାଂସର ଆସର ଅପେରସନ ଥିଏଟର ଅର୍ଥାତ ଓ.ଟି. ଭିତରେ ରୋଗୀ ସେବା ହେଉନି, ଡାକ୍ତର ବାବୁଙ୍କର ମଦ ମାଂସର ଆସର ହେଉଛି। ଗଣମାଧ୍ୟମ ହାତରେ ଧରା ପଡିଯିବା ପରେ ଡାକ୍ତର ବାବୁ ସଫେଇ ଦେଉଛନ୍ତି ମଦ ମାଂସ ନୁହେଁ ଆଜ୍ଞା ସାଧା ଡାଲମା ଭାତ ହେଉଥିଲା । ଏହି ନୂଆ ଇତିହାସ ରଚିଥିବା ଡାକ୍ତର ବାବୁ ହେଲେ ନିମାପଡ଼ା ନିକଟସ୍ଥ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡ଼ିସିନ ବିଭାଗର ନିମାପଡା : ଡାକ୍ତର ସନ୍ତୋଷ ବିଶ୍ୱାଳ । ମଦ ମାଂସ ହେଉ ଅଥବା ଡାଲମା ଭାତ ହେଉ ଓ.ଟି. ଭିତରେ ଗ୍ୟାସ ଚୁଲା ଜଳାଇ ଭୋଜି କରିବାକୁ କିଏ ଅନୁମତି ଦେଲା ଡାକ୍ତର ବାବୁଙ୍କୁ? କଥାରେ ଅଛି ଗାଲୁଆଙ୍କର ବାରବାଟୀ ଚାଷ । ଏହା କଣ ଡାକ୍ତର ବାବୁଙ୍କର ଗାଲୁଆମୀ ନା କୌଣସି ଅଦୃଶ୍ୟ ଶକ୍ତିର ବଳରେ ବଳିୟାନ ମହାବଳି? ଘଟଣାଟି ଅଞ୍ଚଳରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଖବର ଅନୁଯାୟୀ ନିମାପଡ଼ା ନିକଟସ୍ଥ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର


ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ଜନୈକ ଡାକ୍ତର ସନ୍ତୋଷ ବିଶ୍ୱାଳ କିଛି ମେଡିକାଲ ଷ୍ଟାଫଙ୍କ ସହ ମିଶି ମେଡିକାଲ ଓ.ଟି. ଏବଂ ରକ୍ତ ସଂରକ୍ଷଣ ଗୃହ ଭିତରେ ପ୍ରତିଦିନ ରାତିରେ ଭୋଜି ଭାତର ଆୟୋଜନ ସହ ମଦ ଆସର କରୁଥିବାର ଅଭିଯୋଗ ହୋଇ ଆସୁଥିଲା । ଭିତରେ ଏସବୁ ଚାଲୁଥିବା ବେଳେ ବାହାରକୁ କିଛି ଜଣାପଡୁନଥିଲା। ବିଶେଷ ସୂତ୍ରରୁ ଏ ଖବର ଜଣାପଡିବା ପରେ ଦୁଇଦିନ ତଳେ ଗଣମାଧ୍ୟମର କିଛି ପ୍ରତିନିଧି ଅତର୍କିତ ଭାବେ ସେଠାରେ ପହଞ୍ଚିଥିଲେ ଏବଂ ପ୍ରକୃତରେ ଏ ସବୁ କାର୍ଯ୍ୟ ସେଠାରେ ଚାଲିଥିବାର ଦେଖିଥିଲେ । ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଡାକ୍ତର ଜଣକ କ୍ୟାମେରା ସାମ୍ନାରେ କିଛି କହି ପାରିବେନି ବୋଲି କହି ସେ ଜାଗାରୁ ଚାଲି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ସିକ୍ୟୁରିଟି ଗାର୍ଡକୁ ଏ ବିଷୟରେ ପଚାରିବାରୁ ବାହାଦୁରି ମାରି କହିଥିଲା ଯେ ଆମେ ରାତି ଡ୍ୟୁଟି କରୁଛୁ ଖାଇବୁ କଣ? ସେଥିପାଇଁ ରାତି ସମୟରେ ଆମେ ନିୟମିତ ଏଠାରେ ରୋଷେଇ କରୁ । ବହୁତ ସମୟ ପରେ ଡାକ୍ତର ବିଶ୍ୱାଳ ଆସିଥିଲେ ଏବଂ ଏ ବିଷୟକୁ ସମ୍ପୂର୍ଣ୍ଣ ଏଡାଇ ଯାଇ କହିଥିଲେ ଯେ ମୋର ଆଜି ରାତି ଡ୍ୟୁଟି, ୧୮୬ ଜଣ ରୋଗୀଙ୍କୁ ମୁଁ ଦେଖି ସାରିଲିଣି । ଅନ୍ୟ କଥା ମୁଁ କିଛି ଜାଣି ନାହିଁ ।ଡାକ୍ତରଙ୍କ ସହଯୋଗୀ ତଥା ଷ୍ଟାଫ ତ୍ରିଲୋଚନ ଗୋଛାୟତକୁ ପଚାରିବାରୁ ସେ ଉତ୍ୟକ୍ତ ହୋଇ ଉତ୍ତର ଦେଇଥିଲା ଯେ ଆମେ ତ କାହାରି ଅସୁବିଧା କରୁନୁ, ରୋଷେଇ କରି ଖାଉଛୁ, ତୁମର କଣ ଅସୁବିଧା ହେଲା, ଏଠି ରୋଷେଇ ନକରି ଆଉ କଣ ପଡିଆରେ କରିଥାଆନ୍ତୁ? ଏ ସମ୍ବନ୍ଧରେ ମେଡିକାଲ ଇନଚାର୍ଜଙ୍କ ବିବୃତି ଜାଣିବା ପାଇଁ ଯୋଗାଯୋଗ କରାଯିବାରେ ସେ ଛୁଟିରେ ଅଛନ୍ତି ଏବଂ ତାଙ୍କର ମୋବାଇଲ ଫୋନ ବନ୍ଦ ଥିବା ଜଣାପଡିଛି ।
ମେଡିକାଲ ଭିତରେ ଓ. ଟି. ହେଉଛି ଏକ ସମ୍ବେଦନଶିଳ ସ୍ଥାନ । ସାମାନ୍ୟ ଧୂଳି ପଶିବାକୁ ଅନୁମତି ନଥିବା ବେଳେ ଗ୍ୟାସ ଚୁଲା, ସିଲିଣ୍ଡର ନେଇ ସେଠାରେ ରୋଷେଇ କରିବାଟା କେତେ ଯଥାର୍ଥ ଏହା ନିଶ୍ଚିତ ଚିନ୍ତାର ବିଷୟ । ‘ପ୍ରତ୍ୟେକ ଜୀବନ ଆମପାଇଁ ମୂଲ୍ୟବାନ’ ର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର, ଜିଲ୍ଲା ସି.ଡି.ଏମ.ଓ, ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

nis-ad
Leave A Reply

Your email address will not be published.