ଫୁଲବାଣୀ ଠାରେ ଆୟୋଜିତ ହେବ ଦୁଇ ଦିନିଆ ରାଜ୍ୟ ଆଇନଜୀବୀ ଅଧିବେଶନ…

ଫୁଲବାଣୀ,:ଚଳିତ ବର୍ଷ ଫୁଲବାଣୀ ଠାରେ ଆୟୋଜିତ ହେବ ରାଜ୍ୟ ଆଇନଜୀବି ସଙ୍ଘର ୫୨ ତମ ତଥା ଦୁଇ ଦିନିଆ ରାଜ୍ୟ ଆଇନଜୀବୀ ଅଧିବେଶନ। ସ୍ଥାନୀୟ ଵାର ଆସୋସିଏସନ ସମ୍ମିଳନୀ କକ୍ଷରେ ଆଜି ଫୁଲବାଣୀ ଜିଲ୍ଲା ବାର ଆସୋସିଏସନ ଓ ରାଜ୍ୟ ଓକିଲ ସଙ୍ଘ ତରଫରୁ ଅନୁଷ୍ଠିତ ଏକ ସଂଯୁକ୍ତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଡିସେମ୍ବର ୨୯ ଓ ୩୦ ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ରାଜ୍ୟ ସ୍ତରୀୟ ସମ୍ମିଳନୀକୁ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୂଙ୍କୁ ନିମନ୍ତ୍ରଣ କରିବା ପାଇଁ ପ୍ରସ୍ତାବ ରହିଥିବା ରାଜ୍ୟ ଓକିଲ ସଙ୍ଘ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ମୂଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ,କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘ ଓ୍ବାଲ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ହାଇକୋର୍ଟ ମୂଖ୍ୟ ବିଚାରପତି ତାଲପତ୍ର, ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ଅନେକ ପ୍ରମୂଖ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯିବ ବୋଲି କୁହାଯାଇଛି। ଫୁଲବାଣୀ ବାର ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ଅଧିବେଶନରେ ରାଜ୍ୟର ୧୬୫ଟି ବାର ଆସୋସିଏସନର ୩ ହଜାରରୁ ଉର୍ଦ୍ଧ୍ବ ଆଇନଜୀବୀ ଯୋଗ ଦେବେ । ରାଜ୍ୟର ପ୍ରାୟ ୪୦ ହଜାର ଆଇନଜୀବୀଙ୍କୁ ପ୍ରତିନିଧିତ୍ଵ କରୁଥିବା ସଙ୍ଘର ବିଭିନ୍ନ ସମସ୍ୟା ଉପରେ ଏହି ଅଧିବେଶନରେ ଆଲୋଚନା କରାଯିବ ବୋଲି ସଭାପତି ବୀରେନ୍ଦ୍ର କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ବିଶେଷ କରି ଓଡ଼ିଶାରେ ଆଇନଜୀବୀ ଏକାଡେମୀ ସ୍ଥାପନ, ଓକିଲ ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମାରାଶି ବ୍ୟବସ୍ଥା ଓ କର୍ଳିପସ ଫଣ୍ଡ ରାଶି ବୃଦ୍ଧି ଭଳି ଦାବୀ ଗୁଡିକ ଉପରେ ଚଳିତ ଅଧିବେଶନରେ ଗୁରୁତ୍ୱ ଦିଆଯିବ। ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମର ସଫଳତା ପାଇଁ ରାଜ୍ୟ ଓ ଜିଲ୍ଲା ସଙ୍ଘ ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ୧୯୮୪ ଓ ୨୦୧୦ ମସିହାରେ ଫୁଲବାଣୀ ଠାରେ ରାଜ୍ୟ ଅଧିବେଶନ ଆୟୋଜିତ ହୋଇଥିବା ବେଳେ ଚଳିତ ବର୍ଷ ତୃତୀୟ ଥର ପାଇଁ ଏହା ଆୟୋଜିତ ହେବାକୁ ଯାଉଛି। ଫୁଲବାଣୀ ଓକିଲ ସଙ୍ଘ ସଭାପତି ଭଗବାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଙ୍ଘର ସହଯୋଗୀ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମିଶ୍ର, ସାଧାରଣ ସମ୍ପାଦକ ସଞ୍ଜିତ କୁମାର ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ନନ୍ଦ ନନ୍ଦନ ଶତପଥୀ, ଉପସଭାପତି ଜଗନ୍ନାଥ ମିଶ୍ର।, ସମ୍ପାଦକ ମନୋରଞ୍ଜନ ମହାନ୍ତିଙ୍କ ସମେତ ରାଜ୍ୟ ଓ ଜିଲ୍ଲା ସଙ୍ଘର ବରିଷ୍ଠ ସଦସ୍ୟ ମାନେ ଯୋଗ ଦେଇଥିଲେ। ଫୁଲବାଣୀ ବାର ଆସୋସିଏସନର ସମ୍ପାଦକ କମଳ କୁମାର ବେହେରା ବୈଠକ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.