ସୁନ୍ଦରଗଡ (୧୬/୦୯): ଆଜି ଜିଲ୍ଲା ଓସ୍ଵାନ ହଲଠାରେ ଭିଡିଓ କନଫରେନ୍ସ ମାଧ୍ୟମରେ ୫ଟି ରୂପାନ୍ତରିକରଣ କାର୍ଯ୍ୟକ୍ରମ ଅଧୀନରେ ହାଇସ୍କୁଲର ରୂପାନ୍ତରଣ ସମ୍ବନ୍ଧରେ ଏକ ଭାବ ବିନିମୟ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥି ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଶ୍ରୀ ଭି. କେ .ପାଣ୍ଡିଆନ୍ ସୁନ୍ଦରଗଡ ଜିଲ୍ଲାରେ ବିଦ୍ୟାଳୟର ରୂପାନ୍ତରଣ ସମ୍ପର୍କରେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଉପରେ ମଧ୍ୟ ସମୀକ୍ଷା କରିଥିଲେ।
ସୁନ୍ଦରଗଡ ଜିଲ୍ଲା ରେ ପୂର୍ବରୁ ତିନିଟି ପର୍ଯ୍ୟାୟରେ ୨୯୬ ଟି ବିଦ୍ୟାଳୟ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ରୂପାନ୍ତରିତ ହୋଇସାରିଥିଲା ବେଳେ ଚତୁର୍ଥ ପର୍ଯ୍ୟାୟରେ ଅନ୍ୟ ୫୮ ଟି ବିଦ୍ୟାଳୟର ରୂପାନ୍ତରଣ ପାଇଁ ତ୍ବରିତ୍ ପଦକ୍ଷେପ ଗ୍ରହଣ କରାଯାଇଅଛି। ଚଳିତ ଅକ୍ଟୋବର ମାସ ଶେଷ ସୁଦ୍ଧା ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କାର୍ଯ୍ୟ ଶେଷ ହେବ ଏବଂ ନଭେମ୍ବର ମାସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରିବାର ଯୋଜନା ରହିଛି|
କାର୍ଯ୍ୟକ୍ରମରେ ୫ଟି ସଚିବ ଶ୍ରୀ ଭି. କେ. ପାଣ୍ଡିଆନ୍ ସମସ୍ତ ରୂପାନ୍ତରିତ ବିଦ୍ୟାଳୟଗୁଡିକୁ ଜମି ଅଧିକାର, ବିଦ୍ୟୁତ୍ ସେବା, ଇଣ୍ଟରନେଟ୍ ସେବା ଆଦି ସଂଯୋଗ ଏବଂ ଭଲ ରାସ୍ତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପୂର୍ବରୁ ତିନୋଟି ପର୍ଯାୟରେ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟଗୁଡ଼ିକର ଭଲ ଭାବରେ ରକ୍ଷଣାବେକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ବ୍ଲକ୍ / ମ୍ୟୁନିସିପାଲିଟି / ସ୍କୁଲ ପରିଚାଳନା କମିଟି ସଦସ୍ଯ ଏବଂ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବର୍ଗରେ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।
ଏହି ବୈଠକରେ ୫ଟି ସଚିବ ଶ୍ରୀ ପାଣ୍ଡିଆନ ବିଦ୍ୟାଳୟର ଛାତ୍ରଛାତ୍ରୀ, ପଞ୍ଚାୟତରାଜ ଅନୁଷ୍ଠାନର ପ୍ରତିନିଧୀ, ପୂର୍ବତନ ଛାତ୍ରଛାତ୍ରୀ, ସ୍କୁଲ ଶିକ୍ଷକ, ପ୍ରଶାସନିକ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଛାତ୍ରମାନଙ୍କ ସହିତ କଥାବାର୍ତ୍ତା କରୁଥିବାବେଳେ ସେ ସେମାନଙ୍କର ଆକାଂକ୍ଷା ବିଷୟରେ ଜାଣିବାକୁ ଚାହିଁଥିଲେ ଏବଂ ଛାତ୍ରମାନଙ୍କୁ ବଡ଼ ସ୍ୱପ୍ନ ଦେଖିବା ପାଇଁ ଉତ୍ସାହିତ କରିଥିଲେ ଏବଂ ସ୍ୱପ୍ନକୁ ସାକାର କରିବା ପାଇଁ ଆନ୍ତରିକ ଉଦ୍ୟମ କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ।
ଏହି ବୈଠକରେ ଜିଲ୍ଲାପାଳ ଡକ୍ଟର ପରାଗ ଗାଭାଲି , ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ମନୋଜ ମହାଜନ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପଧାନ, ସମସ୍ତ ବ୍ଲକ ର ଗୋଷ୍ଠି ଉନ୍ନୟନ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ଜନପ୍ରତିନିଧି, ପ୍ରଧାନ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ର ଏଵଂ ଅନ୍ଯ ନୋଡାଲ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।