ପୂର୍ବ ଶତୃତାକୁ କେନ୍ଦ୍ର କରି ଆକ୍ରମଣ : ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର

ହିଞ୍ଜିଳିକାଟୁ (୧୪ା୯) : ବୁଧବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଞ୍ଚଳ ରେଗିଡି ସାହି ଛକ ନିକଟରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଆକ୍ରମଣ ହୋଇଛି । ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସତ ହେଉଥିବା ଜଣାପଡିଛି । ଗୁରୁତର ଆହତ ଜଣଙ୍କ ସ୍ଥାନୀୟ ପୌରାଞ୍ଚଳ ମୋହନ କଲୋନୀର ସାଗର ସ୍ୱାଇଁ । ଏ ନେଇ ଆହତ ଯୁବକଙ୍କ ମା’ ମାମି ସ୍ୱାଇଁ ଗୁରୁବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଥାନା ସୂତ୍ରରୁ ଜଣାପଡିଛି ।
ଅଭିଯୋଗ ପ୍ରକାରେ, ବୁଧବାର ସନ୍ଧ୍ୟାରେ ସାଗର ରେଗିଡି ସାହି ଛକ ନିକଟରେ ଥିବା ଶିଶୁ ଉଦ୍ୟାନରେ ବସିଥିବା ବେଳେ ନୂଆଁଗଡ ଗ୍ରାମର ସାଗର ଗୌଡ, କୁନା ଗୌଡ, ଆଲୋକ ଗୌଡ, ସ୍ୱରାଜ୍ୟ ଗୌଡ ଓ ହରିଜନ ସାହିର କାଳିଆ ନାୟକ ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ପୂର୍ବ ଶତୃତାକୁ କେନ୍ଦ୍ର କରି ସଂଘବଦ୍ଧ ହୋଇ ଅର୍ତକିତ ଭାବେ ସାଗରଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହେବା ସହ ଶିଶୁ ଉଦ୍ୟାନ ନିକଟରେ ଅଚେତ ହୋଇ ପଡି ଯାଇଥିଲେ । ପରେ ଆକ୍ରମଣକାରୀ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ଖବର ପାଇ ଆହତଙ୍କ ମା’ ଓ କିଛି ସାଙ୍ଗ ମିଶି ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ପ୍ରଥମେ ବ୍ରହ୍ମପୁର ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଖବର ଲେଖା ହେବା ସୁଦ୍ଧା ଆହତଙ୍କ ଚେତାଫେରିନଥିବା ନେଇ ଆହତଙ୍କ ମା’ କହିଛନ୍ତି । ଘଟଣା ନେଇ ପୁଲିସ ପକ୍ଷରୁ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କି କହାକୁ ଗିରଫ କରାଯାଇଛି ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ଘଟଣା ନେଇ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ସହ ଯୋଗଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରିନାହିଁ ।

nis-ad
Leave A Reply

Your email address will not be published.