• ଗଛ ଓ ମଣିଷର ଅନାବିଳ ସମ୍ପର୍କର ଦୃଷ୍ଟାନ୍ତ ଝୁରିମାଳର ନିଆରା ରାକ୍ଷୀ
• ଗ୍ରାମର ପ୍ରତ୍ଯେକ ପରିବାରର ମହିଳା ଗଛକୁ ରାକ୍ଷୀ ବାନ୍ଧି ନେଲେ ଆଜୀବନ ସୁରକ୍ଷାର ଶପଥ
ସୁନ୍ଦରଗଡ -: ଭାଇ ଭଉଣୀର ଅତୁଟ ଭାବ ବନ୍ଧନ ଓ ଅନାବିଳ ସମ୍ପର୍କର ସାକ୍ଷୀ ହେଉଛି “ରାକ୍ଷୀ”। ଅନାଦି କାଳରୁ ଭାଇ ଭଉଣୀର ପବିତ୍ର ସମ୍ପର୍କର ବନ୍ଧନକୁ ଆହୁରି ମଜବୁତି ପ୍ରଦାନ କରିବା ସହିତ ଯୁଗ ଯୁଗ ପାଇଁ ସ୍ନେହ, ପ୍ରେମର ବାର୍ତ୍ତା ବହନ କରେ ଏହି ସର୍ବ ପୁରାତନ ପର୍ବ “ରାକ୍ଷୀ”। ସର୍ବଜନ ବିଦିତ, ଏହି ପାରମ୍ପରିକ ପର୍ବକୁ କେବଳ ଆମ ଦେଶ ଭାରତବର୍ଷ ନୁହେଁ ଦୂର ବିଦେଶରେ ମଧ୍ୟ ଧୂମଧାମରେ ପାଳନ କରାଯାଏ। ହେଲେ ଏହି ରାକ୍ଷୀ ପୁନେଇଁକୁ ଏକ ଅଭିନବ ଓ ନିଆରା ଢଙ୍ଗରେ ପାଳନ କରେ ସୁନ୍ଦରଗଡ ଜିଲ୍ଲା ଲେଫ୍ରିପରା ବ୍ଲକର ଝୁରିମାଲ ଗାଁ। ଝୁରିମାଲ ଗ୍ରାମର ବନ ସୁରକ୍ଷା ସମିତିର ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ ଗାଁର ପ୍ରତ୍ଯେକ ଘରର ମହିଳା ମାନେ ସର୍ବପ୍ରଥମେ ଗଛକୁ ରାକ୍ଷୀ ବାନ୍ଧି ଏହି ପର୍ବକୁ ପାଳନ
କରିବା ବୋଧହୁଏ କେବଳ ଜିଲ୍ଲା ନୁହେଁ ସମଗ୍ର ରାଜ୍ୟରେ ଏକ ଯୁଗାନ୍ତକାରୀ ତଥା ଅଭିନବ ପଦକ୍ଷେପ। ଏହାର ଅୟମାରମ୍ଭ ହୁଏ କରୋନା ମହାମାରୀ ସମୟରୁ। ୨୦୨୦ ମସିହାରେ ବିଶ୍ଵବ୍ୟାପୀ କାରୋନା ମହାମାରୀର ଆତଙ୍କରାଜ ଚାଲୁଥିବା ବେଳେ ସମସ୍ତେ ନିଜ ନିଜ ଘରେ ନିଜକୁ ବନ୍ଦୀ କରିବାକୁ ବାଧ୍ୟ ହେଉଥିଲେ। ଧୀରେ ଧୀରେ ଛିନ୍ନ ହେଉଥିଲା ସମ୍ପର୍କର ଡୋରୀ, ଅଧୋପତନ ହେଉଥିଲା ସାମାଜିକ ଚେତନା। ଗାଁ ଗାଁରେ ଥିଲା ତାଳାବନ୍ଦୀ ବା ଲକ ଡାଉନର ମାହୋଲ। ପ୍ରତ୍ଯେକ ପାରମ୍ପାରିକ ପର୍ବ ପର୍ବାଣୀ, ସାମାଜିକ ଅନୁଷ୍ଠାନ ରେ ହଜିଯାଇଥିଲା ପୂର୍ବର ଆଗ୍ରହ, ଉତ୍ସାହ ଓ ଉଦ୍ଦୀପନା। ସେହି ବର୍ଷ ରାକ୍ଷୀ ପୁନେଇଁରେ ବିବାହିତା ଭଉଣୀ ମାନେ ଭାଇ ଘରକୁ ଯାଇ ରାକ୍ଷୀ ବାନ୍ଧିବାକୁ ଡରୁଥିବା ବେଳେ “ବୃକ୍ଷ ରକ୍ଷାବନ୍ଧନ” ର ଏକ ନିଆରା ପରମ୍ପରା ସୃଷ୍ଟି କରିଥିଲା ସୁନ୍ଦରଗଡ ବନଖଣ୍ଡର ଉଜ୍ଜଲପୁର ବନାଞ୍ଚଳର ଝୁରିମାଲ ବନ ସୁରକ୍ଷା ସମିତି। ସହଯୋଗୀ ଅନୁଷ୍ଠାନ ସେବକର କର୍ମକର୍ତ୍ତାଙ୍କ ମାର୍ଗଦର୍ଶନରେ ଗ୍ରାମର ଏକ ୧.୬୫ ଏକର ପରିମିତ ଅନାବାଦି ଜମିରେ ସାମୁହିକ ଶ୍ରମଦାନ ଦ୍ଵାରା ସୃଷ୍ଟି କରାଯାଇଥିଲା “ଜୟ ବଜରଙ୍ଗ ଫଳ ବଗିଚା”। ବନ ସୁରକ୍ଷା ସମିତିର ୧୬୩ ଟି ପରିବାର ପାଇଁ ସମସ୍ତେ ଗୋଟିଏ ଲେଖାଏଁ ଫଳ ଗଛ ରୋପଣ କରିଥିଲେ ତଥା ଆଜୀବନ ସୁରକ୍ଷାର ଶପଥ ନେଇଥିଲେ। ପ୍ରତ୍ଯେକ ପରିବାରର ମହିଳା ମାନେ ନିଜ ନିଜ ଗଛରେ ରାକ୍ଷୀ ବାନ୍ଧି ଗଛ ଓ ମଣିଷର ଅନାବିଳ ସମ୍ପର୍କର ଜୀବନ୍ୟାସ ଦେଇଥିଲେ। ସେହିଦିନ ଠାରୁ ଏହା ଗାଁରେ ଏକ ଅଲିଖିତ ପରମ୍ପରା ଭାବରେ ଚାଲି ଆସୁଛି। ଦୀର୍ଘ ଚାରି ବର୍ଷ ହେଲା ଗାଁର ପ୍ରତ୍ଯେକ ମହିଳା ଓ ଝିଅ ମାନେ ପ୍ରଥମେ ଗଛକୁ ରାକ୍ଷୀ ବାନ୍ଧିଲା ପରେ ନିଜ ନିଜ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧିଥାନ୍ତି। ଚଳିତ ବର୍ଷ ମଧ୍ୟ ହର୍ଷ ଉଲ୍ଲାସର ସହିତ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଝୁରିମାଲ ବନ ସୁରକ୍ଷା ସମିତିର ପ୍ରତ୍ଯେକ ପରିବାରର ମହିଳାମାନେ ନିଜ ନିଜ ଦାୟିତ୍ଵରେ ଥିବା ଫଳଗଛରେ ରାକ୍ଷୀ ବାନ୍ଧି ରାକ୍ଷୀ ପର୍ବ ପାଳନ କରିଥିଲେ। ଆଜି ସକାଳେ ଗ୍ରାମର ଆରାଧ୍ୟ ଦେବତା ସଂକଟମୋଚନ
ବଜରଙ୍ଗବଳୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ସଙ୍କୀର୍ତ୍ତନ୍ୟ ଓ ସମ୍ପ୍ରଦାର ତାଳେ ତାଳେ ଏକ ବିରାଟ ଶୋଭାଯାତ୍ରାରେ ଝୁରିମାଲ ଗ୍ରାମର ଶତାଧିକ ମହିଳା ଗାଁ ମୁଣ୍ଡରେ ଥିବା “ଜୟ ବଜରଙ୍ଗ ଫଳ ବଗିଚା” ଅଭିମୁଖେ ପଦଯାତ୍ରା କରିଥିଲେ। ସର୍ବପ୍ରଥମେ ପ୍ରାରମ୍ଭିକ ସଭାକାର୍ଯ୍ୟରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ର ଉଜ୍ଜଲପୁର ଟିମ ଲିଡର ଦିଗାମ୍ବର ଉପାଧ୍ୟାୟ “ବୃକ୍ଷ ରକ୍ଷାବନ୍ଧନ” ର ମହତ୍ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ ତଥା ଗଛ ଓ ମଣିଷର ଅନାବିଳ ସମ୍ପର୍କର ମହନୀୟତା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉଜ୍ଜଲପୁର ବନାଞ୍ଚଳ ଅଧିକାରୀ ପ୍ରେମ ସାଗର ନାଏକ ଝୁରିମାଲ ବନ ସୁରକ୍ଷା ସମିତିର ଏହି ଅଭିନବ ପଦକ୍ଷେପର ଭୂୟସୀ ପ୍ରଶଂସା କରିବା ସହିତ ଏହା ଅନ୍ୟ ବନ ସୁରକ୍ଷା ସମିତିଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ଦିଲ୍ଲୀପ ପଟେଲ, ସୁବ୍ରତ ପଟେଲ, ନୀଳମାଧବ ପଟେଲ, ଉଦିତ ପଟେଲ, ହେମାନନ୍ଦ ସେଠ, ରେଖା ନାଏକ, ସୁରେଖା ଦଣ୍ଡସେନା, ରୋଜି ପଟେଲ ପ୍ରମୁଖ ପରିଚାଳନା କରିଥିଲେ।