5T ଯୋଜନା ସୁବିଧାରୁ ବାହାର ପାହାଡିଆ ଇଲାକାର ଶିକ୍ଷା ବ୍ୟବସ୍ଥା : ମାଟି ଚଟାଣ ଓ ତାଟି କାନ୍ଥର ସ୍କୁଲରେ ଚାଲିଛି ପିଲାଙ୍କ ଭବିଷ୍ୟତ ନିର୍ମାଣ

କାଲିମେଳା (୨୬/୦୮) : ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ 5T ଯୋଜନା ର ଲାଭ ପହଁଚି ପାରୁନାହିଁ ଉପାନ୍ତ ଅଞ୍ଚଳରେ । ଏହି ଅଞ୍ଚଳରେ କୋମଳମତି ଶିଶୁଙ୍କ ଭବିଷ୍ୟତ ଗଢ଼ାହେଉଛି ବାଉଁଶ ତିଆରି ତାଟି କାନ୍ଥ ସହ ମାଟି ଘର ଓ ସନ୍ତସନ୍ତିଆ ପରିବେଶ ମଧ୍ୟରେ । ଶିଶୁଙ୍କ ପାଠପଢା ପାଇଁ ସମସ୍ତେ ଆଗ୍ରହୀ ଥିବା ଏବଂ ରାଜ୍ୟସରକାର କେତେ ଯତ୍ନବାନ ତାହା ଦେଖିବାକୁ ମିଳିଛି ନକ୍ସଲ ପ୍ରବଣ ଉପାନ୍ତ କାଲିମେଳା ଅଞ୍ଚଳରେ । କେତେକ ସ୍ଥାନରେ ସ୍କୁଲ ନଥିବାରୁ ଅସ୍ଥାୟୀ କୁଡ଼ିଆ ଓ ଖୋଲାମେଲା ତମ୍ବୁଟଣା ଘରେ ଶିକ୍ଷାଦାନ କରି ପିଲାଙ୍କ ଭବିଷ୍ୟତ ଗଠନ ସହ ବିକାଶର ଗାଥା ଗାଉଛି ଜିଲ୍ଲା ପ୍ରଶାସନ। ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ସହ ୫ଟି ଯୁଗରେ ଡିଜିଟାଲ କ୍ଳାସ ରୁମ ଭଳି ସୁବିଧା ଦେଖିବାକୁ ମିଳୁଥିବା ବେଳେ କିନ୍ତୁ କିଛି ଏଭଳି ବିକଳ ଚିତ୍ର ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ କୁରମାନୁର ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ । ଶ୍ରେଣୀଗୃହ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଏହି ଅଞ୍ଚଳର ହଜାର ହଜାର କୁନି ପିଲାଙ୍କ ଭବିଷ୍ୟତ ଗଠନ ପାଇଁ ଭିତ୍ତିଭୂମି ଅଭାବ ଯୋଗୁଁ ପାଠପଢା ଛାଡି ଦିନ ମଜୁରିଆ ପାଲଟୁଥିବା ଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି। ସରକାର ରାଜ୍ୟବ୍ୟାପୀ ବିକାଶର ଗାଥା ଗାଉଥିବା ବେଳେ ଶିକ୍ଷା ଗ୍ରହଣର ଉପଯୁକ୍ତ ପରିବେଶର ବିକଳ ଚିତ୍ର ବଣପାହାଡ଼ ଘେରା ଏହି ଅଞ୍ଚଳରେ କୁନିକୁନି ପିଲାଙ୍କ ସଂଘର୍ଷକୁ ଦେଖିଲେ ବାରିହେବ। ଏହି ଅଞ୍ଚଳରେ ରହିଥିବା ଏଲକାନୁର ଗ୍ରାମରେ ଶ୍ରେଣୀଗୃହଟିଏ ନଥିବାରୁ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏକ ତମ୍ବୁ ଟଣା ଖୋଲାମେଲା କୁଡିଆ ଘରେ ଅସହାୟ ଭାବେ ବସି ଶିକ୍ଷା ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି। ସେହିପରି ଦୁଲାଗାଣ୍ଡି ଗ୍ରାମରେ ସନ୍ତସନ୍ତିଆ ପରିବେଶ ମଧ୍ୟରେ ବାଉଁଶ ତାଟିରେ ନିର୍ମିତ ଏକ ଘରେ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଏକ ପିଲା ଶିକ୍ଷା ଗ୍ରହଣ କରିଥିବା ବେଳେ ମାଟି ଚଟାଣରେ ବସି ଖୋଲାମେଲା ଭାବେ ଖାଦ୍ୟ ଖାଉଛନ୍ତି। ସେହିଭଳି ଘାଟଗୁଡା ଗ୍ରାମରେ ଘଞ୍ଛ ଜଙ୍ଗଲ ମଧ୍ୟରେ ସ୍କୁଲଟିଏ ରହିଥିଲେ ମଧ୍ୟ ପିଲାଙ୍କ ପାଇଁ ପାଇଖାନା ଗୃହ, ଖାଦ୍ୟ ପାଇଁ ରୋଷେଇ ଘର କିମ୍ବା ସ୍କୁଲ ବାଉଣ୍ଡ୍ରୀ ନଥିବାରୁ କିଛି ଛାତ୍ରଛାତ୍ରୀ ସ୍କୁଲକୁ ଯିବା ବନ୍ଦ କରିଦେଇଥିବା ଜଣାପଡିଛି। ଅନ୍ୟପଟେ ଘାଟିଗୁଡା, ସାରିଗାଟା, ଚିନ୍ତାଗୁନାଲ ଓ ଆରାବାଟି ସ୍କୁଲ ଗୁଡ଼ିକରେ ପାନୀୟ ଜଳ ବ୍ୟବସ୍ଥା କିମ୍ବା ସ୍କୁଲ ବାଉଣ୍ଡ୍ରୀ ୱାଲ୍ ନଥିବାରୁ ପାଠ ପଢା ବେଳେ ପିଲାମାନେ ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ସ୍କୁଲ ବାଉଣ୍ଡ୍ରୀ ୱାଲ୍ ନଥିବାରୁ ସନ୍ଧ୍ୟା ସମୟରେ ଏହି ସ୍କୁଲ ବାରଣ୍ଡାରେ ଗାଇଗୋରୁଙ୍କ ଭିଡ ଜମୁଛି। ଘାଟି ଅଞ୍ଛଳ ହୋଇଥିବାରୁ ପ୍ରାୟ ୫ ରୁ ୧୦ କିମି ପରିଧିରେ ସ୍କୁଲ ଗୁଡିକ ରହିଥିବାରୁ ପ୍ରତିଦିନ କୁନିକୁନି ପିଲା ବିପଦ ସଙ୍କୁଳିତ ଅବସ୍ଥାରେ ସ୍କୁଲକୁ ଯାଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ କୁନିକୁନି ପିଲାଙ୍କ ଭଳି ସେମାନଙ୍କ ଶିକ୍ଷକଙ୍କ ଅବସ୍ଥା ମଧ୍ଯ କହିଲେ ନସରେ। ଶିକ୍ଷକ ମାନଙ୍କୁ ରହିବା ନିମନ୍ତେ ଉପଯୁକ୍ତ ଭିତ୍ତିଭୂମି ନଥିବାରୁ ଦୈନିକ ପ୍ରାୟ ୩୦ ରୁ ୫୦ କିମି ମୋଟର ସାଇକଲରେ ଯାତ୍ରା କରି ଶିକ୍ଷାଦାନ କରୁଥିବା ବେଳେ କେତେକ ସ୍ଥାନରେ ନିଜେ ମାଟି ଚଟାଣକୁ ଲିପାପୋଛା କରୁଥିବା ଦେଖିବାକୁ ମିଳୁଛି। ରାଜ୍ୟବ୍ୟାପୀ ୫ଟି ସ୍କୁଲ ସହ ବିକଶିତ କ୍ଳାସ ରୁମ୍ ଓ ଭିତ୍ତିଭୂମି ଯୋଗାଇ ଦିଆଯାଉଥିବା ବେଳେ ଘାଟି ଅଞ୍ଛଳରେ ରହିଥିବା କୁରମାନୁର ପଞ୍ଚାୟତର ବିଭିନ୍ନ ସ୍କୁଲ ଗୁଡିକର ଦୃଶ୍ୟ ରାଜ୍ୟ ସରକାରଙ୍କ ୫ଟି ଯୋଜନାକୁ ଫିକା କରି ପକାଉଛି। ଜନପ୍ରତିନିଧି ଚୟନ କରି ସରକାର ଗଠନ ସହ ଘାଟି ତଳର ଲୋକେ ସରକାରୀ ସୁବିଧା ଓ ପିଲାଙ୍କ ପାଠପଢା ସହ ଭବିଷ୍ୟତ ଗଠନ ହୋଇପାରୁଥିବା ବେଳେ ଦୃଢ଼ ଗଣତନ୍ତ୍ର ଗଠନରେ ଆମର ମଧ୍ୟ ମତଦାନର ମୂଲ୍ୟ ସମାନ ହୋଇଥିଲେ ମଧ୍ୟ ଘାଟି ଉପରେ ରହୁଥିବାରୁ ସରକାର ଆମ ସହ ଆମ ପିଲାଙ୍କ ଭବିଷ୍ୟତ ଗଠନ ନେଇ ବୈମାତୃକ ମନୋଭାବ ପୋଷଣ କରୁଥିବା ସ୍ଥାନୀୟ ଲୋକେ କ୍ଷୋଭ ଭରା ଗଳାରେ ଅଭିଯୋଗ କରିଛନ୍ତି। ଆମ ପଞ୍ଚାୟତର ବିକାଶ ସହ ସ୍କୁଲ ନିର୍ମାଣ କରି ପିଲାଙ୍କ ଭବିଷ୍ୟତ ଗଠନରେ ସରକାର ସହାୟକ ନହେଲେ ଆଗାମୀ ଦିନରେ ହେବାକୁ ଯାଉଥିବା ମତଦାନ ବେଳେ କଡା ଜବାବ ଦିଆଯିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।

nis-ad
Leave A Reply

Your email address will not be published.