ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କ ଆସନ୍ତା ଗଞ୍ଜାମ ଜିଲ୍ଲା ଗସ୍ତକୁ ବିରୋଧ

ବ୍ରହ୍ମପୁର, ୨୨/୮ : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଙ୍କ ଆସନ୍ତା ଗଞ୍ଜାମ ଜିଲ୍ଲା ଗସ୍ତକୁ ବିରୋଧ କରି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ବରେ ଏକ ପ୍ରତନିଧି ଦଳ ଜାଇ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କ ବିରୁଦ୍ଧରେ ଏକ ଏଫଆଇର୍ (FIR) ଦେଇଛନ୍ତି । ଦଳର ଏତଲା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଜଣେ ସରକାରୀ କର୍ମଚାରୀ ହୋଇ ରାଜନୀତି କରି ଜନପ୍ରତିନିଧି ତଥା ପ୍ରଶାସନ ଉପରେ ଚାପ ପ୍ରୟୋଗ ଏଵଂ ବ୍ୟୟବହୁଳ ସଭାସମିତି କରି ଶାନ୍ତିପ୍ରିୟ ଓଡ଼ିଶାରେ ଚରମ ଅସ୍ଥିରତା ବିଶୃଙ୍ଖଳା ସୃଷ୍ଟି କରୁଥିବା ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘୋର ବିରୋଧ ହେଉଥିବା ପରିପ୍ରେକ୍ଷୀରେ ଆସନ୍ତା ୨୫ରୁ ତିନି ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତକୁ ବାତିଲ କରାଯିବା ସହ ଭି କେ ପାଣ୍ଡିଆନଙ୍କୁ ତୁରନ୍ତ ଗିରଫ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଦାବୀ କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ସରକାରୀ କାର୍ଯ୍ୟକ୍ରମ ଆଳରେ ବିଜେଡ଼ିର ରାଜନୈତିକ ପ୍ରଚାର କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ପରୋକ୍ଷରେ ଭୋଟ ପ୍ରଚାରରେ ଲାଗିଛନ୍ତି । ହଜାର ହଜାର ଲୋକଙ୍କୁ ବୁହା ହୋଇ ସଭାସ୍ଥଳକୁ ଅଣାଯାଉଛି । ସଭା ମଞ୍ଚ ବିଜେଡ଼ି ରଙ୍ଗରେ ରଙ୍ଗାୟତ ହେଉଛି । ଆଡ଼ମ୍ବରପୂର୍ଣ୍ଣ ସଭା ମଞ୍ଚ ପ୍ରସ୍ତୁତ ହେଉଛି । ସଚିବ ହେଲିକ୍ଯାପ୍ଟରରେ ଗସ୍ତ କରି ରାଜକୋଷରୁ କୋଟି କୋଟି ଟଙ୍କା ବରବାଦ କରୁଛନ୍ତି । ସଭାକୁ ଆସୁଥିବା ଲୋକଙ୍କୁ ମଜୁରି ସହିତ ଖିଆପିଆରେ ଆପ୍ୟାୟିତ କରାଯାଉଛି । ଜଣେ କନିଷ୍ଠ ବର୍ଗର ଆଇଏଏସ ଅଫିସରଙ୍କ ବ୍ୟୟ ବହୁଳ ଗସ୍ତ ଏବଂ ସରକାରୀ ଦଳର କାର୍ଯ୍ୟକ୍ରମରେ ଯୋଗଦାନ ଅଲ ଇଣ୍ଡିଆ ସର୍ଭିସ୍ କଣ୍ଡାକ୍ଟ ରୁଲ, ୧୯୪୮ ଉଲ୍ଲଂଘନ ହୋଇଥିବା ବିଜେପି ଅନୁଭବ କରୁଛି ବୋଲି ଏତଲାରେ ଦର୍ଶାଯାଇଛି । ଏଭଳି ପ୍ରାୟୋଜିତ କାର୍ଯ୍ୟକ୍ରମ ଏଆଇଏସସି ରୁଲ ୫(୧) ଓ ୧୨(୧) ର ବିରୋଧାଚରଣ ହେଉଥିବାରୁ ଭି କେ ପାଣ୍ଡିଆନଙ୍କୁ ଏଥିରୁ ନିବୃତ୍ତ କରାଇବା ସହ ତାଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ପକ୍ଷରୁ ବ୍ରହ୍ମପୁର ଏସପିଙ୍କ ନିକଟରେ ଦାବୀ କରାଯାଇଛି । ଯଦି ଭି କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସନ୍ତି ତେବେ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯିବ ବୋଲି ଦଳୀୟ ନେତୃବୃନ୍ଦ ସୂଚନା ଦେଇଛନ୍ତି । ଆଜିର ଏହି ପ୍ରତିନିଧି ଦଳରେ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର, ବରିଷ୍ଠ ନେତା କାମନା ପାଢ଼ୀ,ଜିଲ୍ଲା ଉପସଭାପତି ଡ଼ା.ସୁବାଷ ସାହୁ,ମନୋଜ ପଟ୍ଟନାୟକ,ରାମ କୁମାର ପାତ୍ର,ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି,ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା, ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.