ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ସଚେତନତା କାର୍ଯ୍ୟକ୍ରମ ଚାଲୁ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟକାରିଣୀ ବୈଠକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରିଣୀ ବୈଠକ, ଜାତୀୟ କୃମି ନାଶକ ଦିବସର ଟାସ୍କ ଫୋର୍ସ ବୈଠକ, ମିଶନ୍ ଇନ୍ଦ୍ରଧନୁଷ୍ କାର୍ଯ୍ୟକ୍ରମର ଟାସ୍କ ଫୋର୍ସ ବୈଠକ, ସମନ୍ବିତ ଘରକୁ ଘର ସର୍ଭେ ପାଇଁ ଟାସ୍କ ଫୋର୍ସ ବୈଠକ, ଆମ ହସ୍ପିଟାଲ ଉପରେ ସମୀକ୍ଷା ବୈଠକ, ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବା ଉପରେ ସମୀକ୍ଷା ବୈଠକ ଆଦି ଆଜି ଅନୁଷ୍ଠିତ ହୋଇଯାଇଛି । ଅଗଷ୍ଟ ୧୦ ତାରିଖରୁ ଆଶା କର୍ମୀ, ଅଙ୍ଗନଓ୍ବାଡ଼ି କର୍ମୀ ଓ ସ୍ବାସ୍ଥ୍ୟ କର୍ମୀମାନେ ପ୍ରତି ସ୍କୁଲ, ଓ ଘରକୁ ଘର ବୁଲି କୃମି ବଟିକା ଖୁଆଇବେ ବୋଲି ଜଣାପଡ଼ିଛି । ବର୍ଷା ଋତୁ ଚାଲିଛି । ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ସଚେତନତା କାର୍ଯ୍ୟକ୍ରମ ଚାଲୁରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ଆଶା କର୍ମୀ, ଅଙ୍ଗନଓ୍ବାଡ଼ି କର୍ମୀ ଓ ସ୍ଵାସ୍ଥ୍ୟ କର୍ମୀଙ୍କ ବ୍ୟାଗରେ ଅତି କମ୍‌ରେ ୨୦ଜଣଙ୍କୁ ଦେବା ଭଳି ଓ.ଆର୍.ଏସ୍. ଓ ଜିଙ୍କ୍ ବଟିକା ମହଜୁଦ୍ ରହିବା ଆବଶ୍ୟକ । ଜଳବାହିତ ରୋଗ ଡାଇରିଆ ଓ ଜଣ୍ଡିସ୍‌ ରକ୍ଷା ପାଇବା, ଶିଶୁର ଖାଦ୍ୟାଭ୍ୟାସ ଓ ତରଳ ଝାଡ଼ାର ପ୍ରତିକାର, ମିଶନ୍ ଇନ୍ଦ୍ରଧନୁଷ୍ ଟୀକାକରଣ ଓ ଟୀକାକରଣ ପରେ କ’ଣ କ’ଣ କରାଯିବା ଉଚିତ୍ ଘରକୁ ଘର ବୁଲି ସଚେତନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି, ଅଭ୍ୟନ୍ତରୀଣ ଗ୍ରାମାଞ୍ଚଳରେ ରହିଥ‌ିବା ସ୍ଵାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ସ୍ବାସ୍ଥ୍ୟ ଅଧିକାରୀ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇ ଥିଲା । ପୁରୁଣା ଆମ୍ବୁଲାନ୍ସ ଗାଡ଼ିଗୁଡ଼ିକୁ ମହାପ୍ରୟାଣ ଗାଡ଼ି ଭାବେ ବ୍ୟବହାର କରିବା ସହିତ ଆଉଟ୍ ସୋର୍ଟିରେ ଡ୍ରାଇଭର ନିଯୁକ୍ତି କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଆବଶ୍ୟକ ପଡ଼ିଲେ ରେଡ୍‌କ୍ରସ୍‌ରୁ ସେହି ଡ୍ରାଇଭର ମାନଙ୍କୁ ଦରମା ଦିଆଯିବ ବୋଲି ସେ କହିଥିଲେ । ଆମ ହସ୍ପିଟାଲ ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଟେଣ୍ଡର ପ୍ରକ୍ରିୟା ଓ ଏଷ୍ଟିମେଟ୍ କାର୍ଯ୍ୟକୁ ୧୫ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ରାସ୍ତା ଓ କୋଠାବାଡ଼ି ବିଭାଗ ଓ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ୧୫ ଦିନ ପରେ ଏହା ଉପରେ ସମୀକ୍ଷା କରାଯିବ ବୋଲି ମଧ୍ୟ କହିଥିଲେ। ବାରିକୁମ୍ପା ପି.ଏଚ୍.ସି. ଓ ଗୋଛାପଡ଼ା ପି.ଏଚ୍.ସି. କୁ ନ୍ୟାସନାଲ କ୍ବାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ (ଜାତୀୟ ଗୁଣାତ୍ମକ ମାନକ ସେବା) ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର କେନ୍ଦ୍ରୀୟ ଗୁଣବତ୍ କମିଟି ଦ୍ୱାରା ପୁରସ୍କୃତ କରାଯାଇଥିଲା। ତାଙ୍କ ଦ୍ଵାରା ପ୍ରଦତ୍ତ ମାନପତ୍ରକୁ ଜିଲ୍ଲାପାଳ ସେମାନଙ୍କୁ ପ୍ରଦାନ କରିଥିଲେ । ସେହିପରି, ଜିଲ୍ଲାର ୧୭ ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଵଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନତା ପାଇଁ କାୟାକଳ୍ପ ଆଓ୍ବାର୍ଡ଼ ୨୦୨୨-୨୩ ପ୍ରଦାନ କରାଯାଇଥିଲା ।ଉକ୍ତ ବୈଠକରେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ପ୍ରସନ୍ନ କୁମାର ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଭେକ୍ଟର ବାହିତ ରୋଗ) ଡା. ପ୍ରଭାକର ସାହୁ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ଡି.ସି.) ଡା. ବସନ୍ତ ପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସରୋଜବାଳା ଆଚାର୍ଯ୍ୟ ଓ ଜିଲ୍ଲା ପୋଗ୍ରାମ ମ୍ୟାନେଜର, ଜାତୀୟ ସ୍ୱାସ୍ଥ୍ୟ ମିଶନ୍, କନ୍ଧମାଳ ମନୋରଞ୍ଜନ ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟ ଅଧିକାରୀ, ସି.ଡି.ପି.ଓ., ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ, ମହିଳା ସ୍ଵାସ୍ଥ୍ୟ କର୍ମୀମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.