ବିଦ୍ୟୁତ୍ ବିଭାଗୀୟ ଭିଜିଲାନ୍ସ କର୍ମଚାରୀଙ୍କୁ ଆକ୍ରମଣ ଘଟଣା : ଯୁବକ ଗିରଫ, ଲୁଟ୍ ମୋବାଇଲ ଜବତ…


ହିଞ୍ଜିଳିକାଟୁ, ୨୬ା୭() : ମଙ୍ଗଳବାର ବିଦ୍ୟୁତ ବିତରଣକାରୀ ସଂସ୍ଥା ଟିପିଏସଓଡିଏଏଲ ଭିଜିଲାନ୍ସ ଟିମ୍ ପକ୍ଷରୁ ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ସଂପୃକ୍ତ ଗ୍ରାମର ରାମକୃଷ୍ଣ ସାହୁ ଚଢାଉ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ । ପରେ ଗ୍ରାମର କିଛି ଲୋକେ ମିଶି ଟିପିଏସଓଡିଏଏଲ ଭିଜିଲାନ୍ସ ଏନଫୋର୍ସମେଣ୍ଟ ଟିମ୍‌ର ଲାଇନମ୍ୟାନ୍ ବରେନ୍ଦ୍ର କୁମାର ନିଶଙ୍କଙ୍କୁ ଏକ ସ୍କୃ-ଡ୍ରାଇଭର ସାହାର୍ଯ୍ୟରେ ଆକ୍ରମଣ କରିବା ସହ ତାଙ୍କର ମୋବାଇଲ ଫୋନକୁ ଲୁଟି ନେଇଥିଲେ । ଆକ୍ରମଣରେ ନିଶଙ୍କ ଗୁରୁତର ଆହତ ହୋଇଥିଲେ । ଉପସ୍ଥିତ କର୍ମଚାରୀ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳେ ପୁଲିସକୁ ଦେଖି ଆକ୍ରମଣକାରୀ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ଘଟଣା ନେଇ ଟିପିଏସଓଡିଏଏଲ ଭିଜିଲାନ୍ସ ଏନଫୋର୍ସମେଣ୍ଟ ସହକାରୀ ନିର୍ବାହୀ ଯନ୍ତ୍ରୀ ନନ୍ଦ କିଶୋର ଦାଶ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୫୩୪/୨୩ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ବୁଧବାର ମୁଖ୍ୟ ଅଭିଯୁକ୍ତ ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମର ରାମକୃଷ୍ଣ ସାହୁଙ୍କୁ ଗ୍ରାମ ନିକଟରୁ ଗିରଫ କରିଥିଲା । ଗିରଫ ଯୁବକଙ୍କ ଠାରୁ ଲୁଟ୍ ମୋବାଇଲ ଫୋନ ଓ ଆକ୍ରମଣରେ ବ୍ୟବହୃତ ସ୍କୃ-ଡ୍ରାଇଭରକୁ ପୁଲିସ ଜବତ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୂତ୍ରରୁ ପ୍ରକାଶ ।

nis-ad
Leave A Reply

Your email address will not be published.