କଂଗ୍ରେସର ଆହ୍ୱାନ କ୍ରମେ ଅଣ ବିଜେପି ଓ ଅଣ ବିଜେଡି ଦଳକୁ ନେଇ ବୈଠକ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ଆହ୍ୱାନ କ୍ରମେ ଅଣ ବିଜେପି ଓ ଅଣ ବିଜେଡି ଦଳକୁ ନେଇ ଆଜି ଏକ ବୈଠକ ବସିଛି। ଏହି ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକ ନେତୃତ୍ୱ ନେଇଥିଲେ। ରାଜ୍ୟର ୯ ଟି ଅଣ ବିଜେପି ଓ ଅଣ ବିଜେଡି ରାଜନୈତିକ ଦଳର ନେତୃବୃନ୍ଦ ଏହି ବୈଠକରେ ଯୋଗ ଦେଇଥିଲେ।

ଓଡିଶାରେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, ଦରଦମ ବୃଦ୍ଧି, ବିଜୁଳି ସଙ୍କଟ, ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି, କୃଷି ଏବଂ କୃଷକଙ୍କ ସମସ୍ୟା, ବେକାରୀ ସମସ୍ୟା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ବିଭିନ୍ନ ସମସ୍ୟା ଦିଗରେ ଏହି ବୈଠକରେ ଆଲୋଚନା ହୋଇଥିଲା। କିପରି ଆଗାମୀ ଦିନରେ ଜନ ବିରୋଧୀ ବିଜେଡି ଓ ବିଜେପି ବିରୁଦ୍ଧରେ ମିଳିତ ଭାବେ ଲଢେଇ କରି ଆଗାମୀ ନିର୍ବାଚନରେ ଏହି ଜନ ବିରୋଧୀ ଦଳକୁ ପରାସ୍ତ କରାଯିବ ଏଥିପାଇଁ ଏକତାର ସହ ଲଢେ଼ଇ କରିବା ପାଇଁ ଏହି ବୈଠକରେ ଆଲୋଚନା କରାଯାଇଥିଲା।

ଅଗଷ୍ଟ ମାସ ପ୍ରଥମ ସପ୍ତାହରୁ ଏକ ରାଜନୈତିକ ସମ୍ମିଳନୀ ଆୟୋଜନ କରାଯାଇ ଜନ ବିରୋଧୀ ବିଜେପି ଓ ବିଜେଡି ବିରୁଦ୍ଧରେ ରାଜ୍ୟରେ ଏକ ବ୍ୟାପକ ଜନଆନ୍ଦୋଳନ କରାଯିବାକୁ ଖସଡ଼ା ପ୍ରସ୍ତୁତ କରାଯିବାକୁ ନିଷ୍ପତି ନିଆଯାଇଛି। ଏହି ବୈଠକର କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ସମେତ ଆରଜେଡି, ସିପିଆଇଏମ, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ସମତା କ୍ରାନ୍ତି ଦଳ, ଟିଏମସି, ସିପିଏମ, ଆପ୍ ଭଳି ରାଜନୈତିକ ଦଳର ନେତୃବୃନ୍ଦ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.