ଇଲେକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଉପଦେଷ୍ଟା କନ୍ଧମାଳ ଗସ୍ତ

ଫୁଲବାଣୀ : ଓଡ଼ିଶା ସରକାରଙ୍କର ଇଲେକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମାନ୍ୟବର ଉପଦେଷ୍ଟା ଅନୁଭବ ପଟ୍ଟନାୟକଙ୍କ ଗସ୍ତର ଦ୍ଵିତୀୟ ଦିନରେ ବାଲିଗୁଡ଼ା, କେ. ନୂଆଗାଁ ଓ ଫିରିଙ୍ଗିଆ ବ୍ଳକ କାର୍ଯ୍ୟାଳୟ ରେ ଥିବା ମୋ ସେବା କେନ୍ଦ୍ର, ଓୱାନ୍ କକ୍ଷ, ଭିସି ହଲ୍, ଆଧାର କେନ୍ଦ୍ର ଆଦିର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ। ସେ ବିଡିଓ ମାନଙ୍କୁ କହିଲେଯେ, ପ୍ରତି ପଞ୍ଚାୟତରେ ମୋ ସେବା କେନ୍ଦ୍ର ଖୋଲାଯିବ । ସେଠାରେ ବ୍ୟାଙ୍କ ସେବା ମଧ୍ୟ ଉପଲବ୍ଧ ହେବ। ଫଳରେ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ମୂଲ୍ୟରେ ଲୋକମାନେ ନିଜ ନିଜ ପଞ୍ଚାୟତରେ ଏହି ସେବା ଗୁଡ଼ିକ ପାଇପାରିବେ । ସେମାନଙ୍କୁ ଆଉ ବ୍ଲକ ସଦରମହକୁମାକୁ ଆସିବାକୁ ପଡ଼ିବନି କି ଅଧିକ ଖର୍ଜାନ୍ତ ହେବାକୁ ପଡ଼ିବ ନାହିଁ। ଲୋକ ମାନଙ୍କୁ ଏହା ଉପରେ ସଚେତନ କରିବା ଆବଶ୍ୟକ। ସେଥ‌ିପାଇଁ ଜନ ପ୍ରତିନିଧିମାନଙ୍କୁ କମ୍ପ୍ୟୁଟର ବ୍ୟବହାର ଏବଂ ଅନ୍‌ଲାଇନ ସେବାଗୁଡ଼ିକ ଉପରେ ତାଲିମ ପ୍ରଦାନ କରିବାକୁ ବି.ଡି.ଓ.ମାନଙ୍କୁ ପରାମର୍ଶ ଦେଇଥିଲେ । ଶ୍ରୀ ପଟ୍ଟନାୟକ ୩ ଟି ରୂପାନ୍ତରୀତ ବିଦ୍ୟାଳୟର ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ ବୁଲିବା ସହିତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନଙ୍କ ସହିତ ସୁବିଧା ଅସୁବିଧା ଉପରେ ଆଲୋଚନା କରିଥିଲେ। ବାଲିଗୁଡ଼ା ଓ କେ. ନୂଆଗାଁ ଠାରେ ଥ‌ିବା ମୋ ସେବା କେନ୍ଦ୍ର ବୁଲି ଦେଖିବା ସହିତ ଗ୍ରାମ ସ୍ତରୀୟ ଉଦ୍ୟୋଗୀ ମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।ମାନ୍ୟବର ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଆଜିର ଗସ୍ତ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଇଣ୍ଟରନେଟ୍ ସଂଯୋଗ, ଲେବର କାର୍ଡ ମିଳିବାରେ ବିଳମ୍ବ ହେଉଥୁବା ଉପରେ ସମୀକ୍ଷା କରିଥିଲେ । ସେ କହିଲେ, ଘର ପାଖରେ ଏବଂ ସ୍ଵଳ୍ପ ମୂଲ୍ୟରେ ସେବା ଯୋଗାଇଦେବାପାଇଁ ସରକାର ଚାହୁଁଛନ୍ତି। ଜିଲ୍ଲାରେ ଥ‌ିବା ମୋ ସେବା କେନ୍ଦ୍ର ଗୁଡ଼ିକ ମାଧ୍ୟମରେ ଲେବର କାର୍ଡ ମିଳିବାରେ ଅସୁବିଧା ହେଉଥିବାବେଳେ ଶ୍ରମ କାର୍ଯ୍ୟାଳୟ ସେମାନେ ଉପଯୁକ୍ତ କାଗଜାତ୍ ଦେଉନଥିବା କହୁଛନ୍ତି।

ଶ୍ରମ କାର୍ଯ୍ୟାଳୟ ଏସ୍ପି ଜାରି କରନ୍ତୁ ଏବଂ ସେଥ‌ିରେ ନୂଆ କାର୍ଡ ପାଇଁ ଓ ରିନୁଆଲ‌୍ ପାଇଁ କେଉଁ କେଉଁ ତଥ୍ୟ ବା କାଗଜାତ୍ ଆବଶ୍ୟକ ତାହା ପରିଷ୍କାର ଭାବେ ଉଲ୍ଲେଖ କରିବା ସହିତ ଗୋଟିଏ ଟେଲିଫୋନ୍ ନମ୍ବର ଦେବାକୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ପଠାଇବାର ୧୫ ଦିନ ପରେ ସେମାନେ ସେହି ନମ୍ବରରେ ଫୋନ୍ କରି କାର୍ଡ ସମ୍ପର୍କରେ ବୁଝି ପାରିବେ । ସେହିପରି, ବି.ଏସ୍.ଏନ୍.ଏଲ୍. କର୍ତ୍ତୃପକ୍ଷ ଇଣ୍ଟରନେଟ୍ ସଂଯୋଗ ପାଇଁ ଥିବା ବ୍ୟବସ୍ଥା ଓ ରେଟ୍ ତାଲିକା ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ତଥ୍ୟ ଉଲ୍ଲେଖ କରି ୧୫ ଦିନ ମଧ୍ୟରେ ଚିଠି କରିବେ । ସେହି ଅନୁଶାରେ ବିଡିଓ ଓ ସରପଞ୍ଚମାନେ ଆବେଦନ କରିବେ। ସମୀକ୍ଷା ସମୟରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଜିଲ୍ଲା ପଞ୍ଛାୟତ ଅଧିକାରୀ ଡଃ ରତିକାନ୍ତ ଆଚାର୍ଯ୍ୟ, ଜିଲ୍ଲା ଶିକ୍ଷା ଅଧ୍ବକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ଜିଲ୍ଲା ଶ୍ରମ ଅଧିକାରୀ, ଏସ୍.ଡି.ଓ., ବି.ଏସ୍.ଏମ୍.ଏଲ୍., ଫୁଲବାଣୀ, ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର ରୀତାଶ୍ରୀ ବାରିକ, ଇଷ୍ଟେଟ୍ ଅଫିସର୍, ଓକାକ୍ ବିକାଶ କୁମାର ନାୟକ, ମୋ ସେବା କେନ୍ଦ୍ର ଓଡ଼ିଶା ମୁଖ୍ୟ ସୁରଥ ଜେନା, ମୋ ସେବା କେନ୍ଦ୍ର କନ୍ଧମାଳ ଜିଲ୍ଲା ମ୍ୟାନେଜର ଗୋଲକ ବିହାରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.