ଚଢିଆ ଲତାରେ ପୋତି ହୋଇପଡ଼ୁଛି କାଳିଆମ୍ବା ନାଳ, ପ୍ରଶାସନର ନିଘା ନାହିଁ ; ଅଳ୍ପ ବର୍ଷାରେ ଗୋବରା ଗ୍ରାମ ଭିତରେ ପଶୁଛି ନାଳପାଣି

ବେଲଗୁଣ୍ଠା : 06/07, ବେଲଗୁଣ୍ଠା ବ୍ଳକ୍ ରାଜନୈତିକ ମାନଚିତ୍ରର ସ୍ଵତନ୍ତ୍ର ସ୍ଥାନ ହାସଲ କରିଥିବା ଗୋବରା ଗ୍ରାମପଂଚାୟତ ସାମାନ୍ୟ ବର୍ଷା ହେଲେ ତାର ଭୌଗୋଳିକ ଅବସ୍ଥିତି ବଦଳିଯାଉଛି l ଏହାର କାରଣ ହେଉଛି ଏହି ପଂଚାୟତ ଦେଇ ବହୁଥିବା କାଳିଆମ୍ବା ନାଳରେ ଥିବା ଚଢିଆ ଲତା l ଅଳ୍ପ ବର୍ଷା ହୋଇ ନାଳରେ ପାଣି ଆସିଲେ ନାଳ ଭିତରେ ଥିବା ଚଢିଆ ଲତା ଯୋଗୁ ପାଣି ସମ୍ପୂର୍ଣ ନିଷ୍କାସନ ନ ହୋଇପାରିବାରୁ ନାଳ ପାଣି ଗାଁ ଭିତରକୁ ପଶି ଆସୁଛି l ମାସେ କି ଦୁଇମାସ ନୁହଁ, ଦୀର୍ଘ ଛଅ ସାତ ବର୍ଷ ଧରି ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପଂଚାୟତବାସୀ l ସୂଚନା ପ୍ରକାରେ ଗୋବରା ମୁଖ୍ୟ ସଡକ ମଧ୍ଯଦେଇ ପ୍ରବାହିତ ହେଉଥିବା କାଳିଆମ୍ବା ନାଳ ଗର୍ଭରେ ଦୀର୍ଘ ଛଅ ସାତ ବର୍ଷ ଧରି ଚଢିଆ ଲତା ବଢି ଚାଲିବା ଯୋଗୁଁ ନାଳଟି ପୋତି ହୋଇ ଚାଲିଛି I ଫଳରେ ବର୍ଷା ଦିନ ଆସିବା ମାତ୍ରକେ ଏହି ନାଳରେ ଆସୁଥିବା ବର୍ଷା ଜଳ ନାଳ ଭିତରେ ନିଷ୍କାସନ ହୋଇନପାରି ହିଡ଼ ଭାଙ୍ଗି ଗୋବରା ଗାଁ ଭିତରକୁ ପଶୁଛି I ଫଳରେ ଗାଆଁ ଭିତରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି I କେବଳ ଗାଁ ଭିତରେ ନୁହେଁ ନାଳ ପାର୍ଶ୍ୱରେ ଅବସ୍ଥିତ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ଦେଇ ତିନି ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି I ଫଳରେ ମେଡ଼ିକାଲ୍ ଏବଂ ଗାଁ ଭିତରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି I ଏହି ନାଳ ର ଜଳ ଗୋବରା ସମେତ ଏହି ପଞ୍ଚାୟତର ବାସୁଦେବ ପୁର, ବିରିପୁର, ଡେଙ୍ଗାପଦର, ବରପଲି ହରିଜନ ସାହି ଓ ଜୟନ୍ତୀଗଡ ର ଗ୍ରାମରେ ପାଣିପଶୁଛି । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ନାଳ ଗର୍ଭରୁ ଚଢିଆଲତା ସଫା କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ I ଏହି ନାଳ ମାଧବାରିଡl ଜଳ ସେଚନ ବିଭାଗ ଅଧୀନରେ ଥିଲେ ମଧ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ନ ଦେବା ରୁ ଦିନକୁ ଦିନ ଏହି ନାଳ ସଙ୍କକୋଚିତ ହେବାରେ ଲାଗିଛି । ଏହା ସହିତ କାଳିଆମ୍ବା ନାଳରେ ଆସୁଥିବା ଜଳ ଦ୍ୱାରା ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇ ଚାଷଜମି ବାଲିଚର ହୋଇଯାଉଛି I ଆଜକୁ ପାଞ୍ଚବର୍ଷ ତଳେ ଏହି ନାଳର ତିନୋଟି ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲା ବେଳେ ସେଠାକାର ଜମି ଗୁଡ଼ିକରେ ବାଲି ମାଡ଼ିଯାଇଥିଲା l ସେହି ବାଲି ଆଜି ପର୍ଯ୍ୟନ୍ତ ସଫା ନ ହୋଇ ପଡିଆ ରହିଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଏପରିକି କିଛି ଚାଷୀ ନିଜ ଜମିରେ ଚାଷବାସ କରି ନପାରି ଦାଦନ ଖଟିବାକୁ ଅନ୍ୟରାଜ୍ୟକୁ ପଳାଇଯାଇଥିବା ସୂଚନା ମିଳିଛି I ତେଣୁ ବର୍ଷା ଆସିବା ପୂର୍ବରୁ ପ୍ରଶାସନ ତତ୍ପରତା ପ୍ରକାଶ କରିବା ସହିତ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଜନ ସାଧାରଣ ଦାବି କରିଛନ୍ତି I

nis-ad
Leave A Reply

Your email address will not be published.