ଜିଲ୍ଲାସ୍ତରୀୟ ଆଣ୍ଟି ମ୍ୟାଲେରିଆ ମାସ ଅଭିଯାନ-୨୦୨୩ ଅନୁଷ୍ଠିତ

ଫୁଲବାଣୀ : ଜିଲ୍ଲା ସ୍ତରୀୟ ଆଣ୍ଟି ମ୍ୟାଲେରିଆ ମାସ ଅଭିଯାନ-୨୦୨୩ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା.ମନୋଜ କୁମାର ଉପାଧ୍ୟାୟ କହିଲେଯେ, ମ୍ୟାଲେରିଆ ପ୍ରତିରୋଧ ପାଇଁ ସ୍ବାସ୍ଥ୍ୟ ବିଭାଗ ସହିତ ଅନ୍ୟ ବିଭାଗ ଓ ସର୍ବୋପରି ଲୋକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଲୋକମାନେ ଯେଉଁ ପର୍ଯ୍ୟନ୍ତ ସଚେତନ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ମ୍ୟାଲେରିଆକୁ କେତେକାଂଶରେ ପ୍ରତିରୋଧ କରାଯାଇ ପାରିବ ମାତ୍ର ଜିଲ୍ଲାକୁ ମ୍ୟାଲେରିଆମୁକ୍ତ କରାଯାଇପାରିବ ନାହିଁ। ସେମାନେ ସେମାନଙ୍କର ପରିବେଶ ସଫା ରଖିବେ, ଘର ଆଖପାଖରେ ପାଣି ଜମିବାକୁ ଦେବେନି, ନିୟମିତ ମଶାରୀ ଟାଣିବା ସହିତ ଅନ୍ୟାନ୍ୟ ମଶା ନିବାରକ ବ୍ୟବହାର କରିବେ, ଦେହ, ହାତ ଓ ଗୋଡ଼କୁ ସମ୍ପୁର୍ଣ୍ଣ ଘୋଡ଼ାଇ ରଖିପାରିବା ଭଳି ପୋଷାକ ପିନ୍ଧିବେ ତେବେ ମଶା କାମୁଡ଼ାରୁ ରକ୍ଷା ପାଇପାରିବେ । ଫଳରେ ମ୍ୟାଲେରିଆ, ଡେଙ୍ଗୁ ଏବଂ ଅନ୍ୟାନ୍ୟ ଭୁତାଣୁ ଜନିତ ରୋଗରୁ ରକ୍ଷାପାଇ ପାରିବେ । ଫୁଲବାଣୀ ପୌର ପରିଷଦ ନିର୍ବାହୀ ଅଧିକାରୀ ବଳଦେବ ବେହେରା ମଧ୍ୟ ପରିବେଶକୁ ସଫା ରଖିବାକୁ ପରାମର୍ଶ ଦେଇଥିଲେ । ସେହିପରି ସହକାରୀ ବନ ସଂରକ୍ଷକ (କେନ୍ଦୁ ଲିଫ୍) ଚନ୍ଦ୍ରସେନ ପୁଜାରୀ ରାତିରେ ହେଉ ବା ଦିନବେଳେ ହେଉ ମଶାରୀ ଟାଣି ଶୋଇବାକୁ ପରାମର୍ଶ ଦେଇଥିଲେ। ସେଥ‌ିପାଇଁ ଲୋକମାନେ ସଚେତନ ହେବା ମଧ୍ୟ ଜରୁରୀ ବୋଲି ସେ କହିଥିଲେ । ଭେକ୍ଟର ବାହିତ ରୋଗ ପରାମର୍ଶଦାତା କୁମୁଦ ଚନ୍ଦ୍ର ସାହୁ ପାୱାର ପଏଣ୍ଟ ମାଧ୍ୟମରେ ମ୍ୟାଲେରିଆ, ଫାଇଲେରିଆ ଓ ଡେଙ୍ଗୁ କିଭଳି ବ୍ୟାପେ, ରୋଗର ଲକ୍ଷଣ ଓ ପ୍ରତିକାର, ରୋଗରୁ ରକ୍ଷା ପାଇବାର ଉପାୟ, ରୋଗ ପ୍ରତି ସତର୍କ ଓ ସଚେତନ ଉପରେ ବୁଝାଇଥିଲେ । ସୂଚନାରୁ ଜଣାପଡ଼ିଛିଯେ, ୨୦୧୬ ମସିହାରେ ୧ ହଜାର ଲୋକମଧ୍ୟରୁ ହାରାହାରି ୩୮ଜଣ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହୋଇଥିଲାବେଳେ ୨୦୨୨ ମସିହାରେ ହାରାହାରି ୨ ଜଣ ଆକ୍ରାନ୍ତ ହୋଇଛନ୍ତି। ୨୦୨୨ ମସିହାରେ ୩ ଲକ୍ଷ ୧୪ ହଜାର ୭୬୬ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ହଜାର ୩୩୮ଜଣଙ୍କର ପଜିଟିଭ ବାହାରିଥିଲା ଓ ଜଣେ ମୃତ୍ୟୁ ବରଣ କରିଥିଲେ । ତେବେ ଆମେ ସମସ୍ତେ ସଚେତନ ହୋଇ ମିଳିତ ଭାବେ ପରିବେଶକୁ ସଫା ରଖିଲେ ଜିଲ୍ଲା ମ୍ୟାଲେରିଆ ମୁକ୍ତ ହୋଇପାରିବ ।ଏହି ବୈଠକରେ ସରକାରୀ ନର୍ସ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା କମଳା ଦେଇ, ଟ୍ୟୁଟର, ମିତାଞ୍ଜଳି ରଥ, ସରକାରୀ ଏ.ଏନ୍.ଏମ୍. ଟ୍ରେନିଂ ସେଣ୍ଟର, ଫୁଲବାଣୀର ଟ୍ୟୁଟର ବବିତାରାଣୀ ସାହୁ ଓ ପ୍ରଦୀପ୍ତ ମଞ୍ଜରୀ ମିଶ୍ରଙ୍କ ସମେତ ସେମାନଙ୍କର ଛାତ୍ରୀ, ଆଶାକର୍ମୀ ଓ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।

nis-ad
Leave A Reply

Your email address will not be published.