ଆପୋଲୋ ହସ୍ପିଟାଲର ମହାଦୁର୍ନୀତି ଏବଂ ଅନିୟମିତତା ସମ୍ପର୍କରେ ସି.ବି.ଆଇ. ଦ୍ୱାରା ଯାଞ୍ଚ କରିବା ପାଇଁ ଭାରତୀୟ ମଜଦୁର ସଂଘର ଦାବି

କଟକ : ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ କୋଭିଡ୍ ୧୯ ଏବଂ ବିଭିନ୍ନ ସମୟରେ ମିଥ୍ୟା ବିଲ୍ ଦର୍ଶାଇ କୋଟି କୋଟି ଟଙ୍କା ହଡ଼ପ ହେଉଛି ବୋଲି ଭାରତୀୟ ମଜଦୁର ସଂଘ ପକ୍ଷରୁ ଗୁରୁତର ଅଭିଯୋଗ କରାଯାଇଛି । ସେହିଭଳି କୋଭିଡ୍ ସମୟରେ କେନ୍ଦ୍ର ସରକାରଙ୍କର ଅର୍ଥକୁ ମିଥ୍ୟା ବିଲ୍ କରି ବିପୁଳ ଅର୍ଥ ଆତ୍ମସାତ କରାଯାଇଛି । ଏ ସମ୍ପର୍କରେ ବିଧିବଦ୍ଧ ଭାବରେ ସି.ବି.ଆଇ. ଦ୍ୱାରା ତଦନ୍ତ କରିବା ପାଇଁ ଭାରତୀୟ ମଜଦୁର ସଂଘ ପକ୍ଷରୁ ଦାବି କରାଯାଇଛି । ଆଜି ବକ୍ସିବଜାର ସ୍ଥିତ ପାନ୍ଥନିବାସ ଠାରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ରାଜ୍ୟ ସଭାପତି ଶ୍ରୀ ପୃଥ୍ୱୀରାଜ ପଣ୍ଡା, ଉପ-ସାଧାରଣ ସମ୍ପାଦକ ଶାନ୍ତନୁ କୁମାର ମହାପାତ୍ର ଏବଂ ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ବସନ୍ତ କୁମାର ସାହୁ ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଲେ ଆପୋଲୋ ହସ୍ପିଟାଲ ବହୁ ଦୁର୍ନୀତି ଓ ଶ୍ରମିକ ମାରଣ ନୀତି ଦେଇ ଗତି କରୁଛି । ଏହି ହସ୍ପିଟାଲରେ କାର୍ଯ୍ୟରତ ୪୦ ଜଣ ଠିକା ଶ୍ରମିକଙ୍କୁ ବିନା କାରଣରେ ବହିଃଷ୍କାର କରିବା ସମ୍ପୂର୍ଣ୍ଣ ଭାବରେ ବେଆଇନ୍ ବୋଲି ପ୍ରକାଶ କରିଛନ୍ତି । ଆପୋଲୋ ହସ୍ପିଟାଲର ଶ୍ରମିକ ମାରଣ ନୀତିକୁ ତୀବ୍ର ସମାଲୋଚନା ଏବଂ ନିନ୍ଦା କରି କହିଲେ ଛଟେଇ ହୋଇଥିବା କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ଦିଆ ନଗଲେ ଆଗାମୀ ଦିନରେ ଭାରତୀୟ ମଜଦୁର ସଂଘ ଆପୋଲୋ ହସ୍ପିଟାଲକୁ ଘେରିବା ପାଇଁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛନ୍ତି । ଆପୋଲୋ ହସ୍ପିଟାଲ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଥ୍ୟା ବିଲ୍ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଭାରତୀୟ ମଜଦୁର ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । କେତେକ ବ୍ୟକ୍ତି ନକଲି ସାର୍ଟିଫିକେଟ ଦେଇ ଏଠାରେ ଚାକିରି କରୁଛନ୍ତି । ମହିଳା କର୍ମଚାରୀ ମାନଙ୍କୁ ଏଠାରେ ଯୌନ ନିର୍ଯାତନା ଦିଆଯାଉଛି । ଆପୋଲୋ ହସ୍ପିଟାଲ ମଜଦୁର ସଂଘର ସାଧାରଣ ସମ୍ପାଦକଙ୍କୁ କାର୍ଯ୍ୟରେ ନିୟୋଜନ କରିବା ସହ ଆପୋଲୋ ହସ୍ପିଟାଲର ମହାଦୁର୍ନୀତି ସମ୍ପର୍କରେ ସି.ବି.ଆଇ. ଦ୍ୱାରା ଯାଞ୍ଚ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଆପୋଲୋ ହସ୍ପିଟାଲ ମଜଦୁର ସଂଘର ସାଧାରଣ ସମ୍ପାଦକ ପାର୍ଥ ସାରଥି ମହାନ୍ତି, ମନୋଜ ବସନ୍ତରାୟ , ମୁକ୍ତିକାନ୍ତ ସାହୁ , ଭାରତୀୟ ମଜଦୁର ସଂଘ କଟକ ଜିଲ୍ଲା ସମ୍ପାଦକ ଭାଗୀରଥି ବେହେରା , ଜ୍ୟୋତ୍ସ୍ନା ରାଣୀ ସିଂ , ଚଣ୍ଡୀ ପ୍ରସାଦ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.