ବିପର୍ଯ୍ୟୟ ପ୍ରାକପ୍ରସ୍ତୁତି ସଚେତନ କରାଇବା ନେଇ ଟେବୁଲ ଟପ୍ ଅଭ୍ୟାସ ବୈଠକ

ମାଲକାନଗିରି (୧୮.୦୬) : ପ୍ରତି ବର୍ଷ ପରି ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ ସମସ୍ତ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ପ୍ରାକପ୍ରସ୍ତୁତି ବିଷୟରେ ସର୍ବସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏକ ଟେବୁଲ ଟପ୍ ଏକ୍ସର୍ସାଇଜ ସଦର ମହକୁମା, ୭ ଟି ବ୍ଲକ ଓ ୨ ଟି ସହରାଞ୍ଚଳରେ ରାଜ୍ୟ ସରକାର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିରୋ କାଜୁଆଲ୍ଟି ଲକ୍ଷ୍ୟ ରଖିଛନ୍ତି। ଆମେ ଜାଗ୍ରତ ହୋଇ ପ୍ରସ୍ତୁତ ରହିଲେ ବିପର୍ଯ୍ୟୟକୁ ମୁକାବିଲା କରି ପାରିବା ଏବଂ ଏଥି ନିମନ୍ତେ ଲୋକଙ୍କ ସହଭାଗିତା ଆବଶ୍ୟକତା ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ ପ୍ରକାଶ କରିଛନ୍ତି। ଏହି ସମୟରେ ସମସ୍ତ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ବିପର୍ଯ୍ୟୟ ସମୟରେ ଜିଲ୍ଲା ସ୍ତରୀୟ ଏବଂ ବ୍ଲକ, ସହରାଞ୍ଚଳ ସ୍ତରରେ କିଭଳି ପ୍ରସ୍ତୁତିକୁ ମଜବୁତ କରିହେବ ଓ ଏହି ପ୍ରସ୍ତୁତି ପାଇଁ କଣ ସବୁ ସମସ୍ୟା ଆସିପାରେ ସେଥିପାଇଁ କଣ ପ୍ରତିକାର ବ୍ୟବସ୍ଥା କରାଯିବା ଉଚିତ, ତାହାର ଉପସ୍ଥାପନା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
ଭାରତୀୟ ପାଣିପାଗ କେନ୍ଦ୍ରଙ୍କ ସୂଚନା ଅନୁସାରେ ବଙ୍ଗୋପ ସାଗରରେ ଏକ ଘୁର୍ଣିଝଡ ଆସନ୍ତା ୪୮ ଘଣ୍ଟା ରେ କେନ୍ଦ୍ରୀଭୂତ ହେବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ଜିଲ୍ଲାରେ ପବନ ସହିତ ଭୀଷଣ ବର୍ଷ ହେବାର ସମ୍ଭାବନା ରହିଛି । ଏହି ସୂଚନାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାରେ ପ୍ରସ୍ତୁତି କେମିତି ରହିବ, ତା’ଉପରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ନିଜ ନିଜର ପ୍ରସ୍ତୁତି ଉପସ୍ଥାପନ କରିଥିଲେ । ପ୍ରସ୍ତୁତିରେ ବିଭିନ୍ନ ସୋପାନ ଯେମିତିକି ବିପର୍ଯ୍ୟୟ ପ୍ରାକ ପ୍ରସ୍ତୁତି,ବିପର୍ଯ୍ୟୟ ସମୟରେ ପ୍ରସ୍ତୁତି ଓ ବିପର୍ଯ୍ୟୟ ପରେ ପ୍ରସ୍ତୁତି ବିଷୟରେ ଆଲୋଚନା ହୋଇଥିଲା। ମାଲକାନଗିରି, ବାଲିମେଳା ଏନଏସି, ମାଥିଲି, ଖଇରପୁଟ, ପଡ଼ିଆ, ଖଇରପୁଟ, କୋରୁକୋଣ୍ଡା,ଚିତ୍ରକୋଣ୍ଡା, କାଲିମେଳା ଓ ମାଲକାନଗିରି ପୌର ପରିଷଦରେ ଜୁନ ୧୯ ରେ ମକ୍ ଡ୍ରିଲ ଆୟୋଜନ କରାଯିବ। ବିପର୍ଯ୍ୟୟ ପରିଚାଳନା ତାଲିମ କେନ୍ଦ୍ର, ଭୁବନେଶ୍ବରରୁ ସେକ ସରଫରାଜ ଅହମଦ ଏହାର ପର୍ଯ୍ୟବେକ୍ଷଣ ନିମନ୍ତେ ଜିଲ୍ଲା ଗସ୍ତ କରିଛନ୍ତି।
ଏହି ମକ୍ ଡ୍ରିଲ୍ରେ ପ୍ରାକ ସୂଚନାର ଯଥା ଶୀଘ୍ର ପ୍ରସାରଣ ,ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ, କାର୍ଯ୍ୟରେ ସମ୍ପୃକ୍ତ ଅଧିକାରୀଙ୍କ ଭୂମିକା ସନ୍ଧାନ ଓ ଉଦ୍ଧାର, ପ୍ରାଥମିକ ଚିକିତ୍ସା,ଯନ୍ତ୍ର ଓ ଉପକରଣ ବ୍ୟବହାର ଏବଂ ରିଲିଫ ବଣ୍ଟନ ଏବଂ ବିପର୍ଯ୍ୟୟ ପ୍ରସ୍ତୁତି ଉପରେ ଆଧାରିତ ରହିବ ।
ଏହି ମକଡ୍ରିଲରେ ଓଡ୍ରାଫ କୋରାପୁଟ ର ଏକ ଦଳ ପୋଡିଆ ବ୍ଲକର ସେବାଶ୍ରମ ସ୍କୁଲ ଠାରେ ତାଙ୍କର କୌଶଳ ପ୍ରଦର୍ଶନ କରି ଲୋକ ମାନଙ୍କୁ ସଚେତନ ଓ ତାଲିମ ପ୍ରଦାନ କରିବେ । ଅଗ୍ନିଶମ ସେବା ବିଭାଗ ସବୁ ଆଶ୍ରୟସ୍ଥଳୀ ରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ ଓ ଲୋକ ମାନଙ୍କୁ ସଚେତନ କରିବେ ବୋଲି ବୈଠକରେ ଆଲୋଚନା ହୋଇଥିଲା। ସେହିପରି ବିପଦକୁ ଏଡ଼ାଇବା ନିମନ୍ତେ ପୂର୍ବରୁ ଜଙ୍ଗଲ ବିଭାଗର ଅନୁମତି ନେଇ ବିପଦଜନକ ସ୍ଥାନ ରେ ଥିବା ଗଛ କାଟି ପାରିବେ ବୋଲି ବୈଠକରେ ସୂଚନା ମିଳିଛି । ବିଭିନ୍ନ ବ୍ଲକ୍ ରେ ମଧ୍ୟ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଶ୍ରୀ ବଳଭଦ୍ର ଦୀପ, ଡେପୁଟି କଲେକ୍ଟର, ଶ୍ରୀ ଉମାପ୍ରସାଦ ଦାସଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.