ଚାକିରୀ ନା’ରେ ଠକେଇ : ଯୁବକଙ୍କ ଠାରୁ ଠକିନେଲେ ୫୦ ହଜାର

ହିଞ୍ଜିଳିକାଟୁ, (୬ା୬) : ଦିନକୁ ଦିନ ଅନଲାଇନ ଠକେଇ ସାଙ୍ଗକୁ ଚାକିରି ପ୍ରଲୋଭନ ଦେଖାଇ ବହୁ ଶିକ୍ଷିତ ଯୁବକ, ଯୁବତୀ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିବା ନଜିର ରହିଛି । ସାମାଜିକ ଗଣମାଧମରେ ବିଭିନ୍ନ ପ୍ରକାରର ଲୋଭନୀୟ ଚାକିରୀ କରାଇଦେବା ନାମରେ ବହୁ ଠକ ସଂସ୍ଥା ବହୁ ଯୁବକ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଉଥିବା ନିତିଦିନିଆ ଘଟଣା ପାଲଟିଛି । ପୁଲିସ ପ୍ରଶାସନ ପକ୍ଷରୁ ଏ ନେଇ ସଚେତନ କରାଯାଉଥିଲେ ମଧ୍ୟ ଫଳପ୍ରଦ ହେଉନଥିବା ଦେଖିବାକୁ ମିଳିଛି । ଏୟାରପୋର୍ଟରେ ଚାକିରୀ କରାଇଦେବା ନା’ରେ ଏକ ଠକ ସଂସ୍ଥା ହିଞ୍ଜିଳି ଥାନା ଅଞ୍ଚଳର ଜଣେ ଯୁବକଙ୍କ ଠାରୁ ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ପ୍ରକାରେ, ହିଞ୍ଜିଳି ଥାନା ସିକିରି ଗ୍ରାମର ବିକାଶ ସାମଲ ନାମକ ଜଣେ ଯୁବକ କିଛି ମାସ ପୂର୍ବେ ଏୟାରପୋର୍ଟରେ ଚାକିରୀ ସକାଶେ ଅନଲାଇନରେ ଆବେଦନ କରିଥିଲେ । ଠକ ସଂସ୍ଥା ପକ୍ଷରୁ ସଂପୃକ୍ତ ଯୁବକଙ୍କ ଏୟାରପୋର୍ଟରେ ଚାକିରୀ ହୋଇଛି ଏବଂ ପଞ୍ଜିକରଣ ସକାଶେ ୯୫୦ ଟଙ୍କା ମାଗିଥିଲେ । ଯୁବକ ଜଣଙ୍କ ସଂସ୍ଥା ପକ୍ଷରୁ ଦିଆଯାଇଥିବା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଟଙ୍କା ପଠାଇଥିଲେ । କିଛି ଦିନ ପରେ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ ସକାଶେ ୧୨ ହଜାର ଟଙ୍କା ଓ ପୁଣି ଜୀବନବୀମା ବାବଦକୁ ୩୮ ହଜାର ଟଙ୍କା ପଠାଇଥିଲେ । ପୁଣିଥରେ ୧୨ ହଜାର ଟଙ୍କା ସଂସ୍ଥା ପକ୍ଷରୁ ମାଗିବାରୁ ଯୁବକ ଜଣଙ୍କ ଠକାମୀର ଶିକାର ହୋଇଥିବା ସନ୍ଦେହ କରି ଅଧିକ ଟଙ୍କା ପଠାଇବା ପାଇଁ ମନା କରି ଦେଇଥିଲେ । ସଂପୃକ୍ତ ସଂସ୍ଥା ପକ୍ଷରୁ ଯୁବକଙ୍କୁ ଟଙ୍କା ଫେରସ୍ତ କରିଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା । ସଂସ୍ଥା ପକ୍ଷରୁ ଟଙ୍କା ଫେରସ୍ତ ନହେବାରୁ ଯୁବକ ଜଣଙ୍କ ବାଧ୍ୟ ହୋଇ ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନା କେସ ନଂ- ୩୯୭/୨୩ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୂତ୍ରରୁ ପ୍ରକାଶ ।

nis-ad
Leave A Reply

Your email address will not be published.