ହିଂଜିଳିକାଟୁ,(୨୪ା୪) : ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ସଂପ୍ରସାରଣ ଓ ୫ଟି ଉପକ୍ରମରେ ଆମ ହସପିଟାଲ ଯୋଜନାରେ ପ୍ରାୟ ୪.୮୮କୋଟି ଟଙ୍କାରେ ସଂପ୍ରସରଣ ଓ ଆଧୁନିକ ସୁବିଧା ନିମନ୍ତେ ଶୁକ୍ରବାର ପୂର୍ବାହ୍ନରେ ଏକ ପ୍ରତିନିଧି ଦଳ ଡ଼ାକ୍ତରଖାନା ପରିଦର୍ଶନ କରିଛନ୍ତି । ଏହି ପ୍ରତିନିଧି ଦଳରେ ଆଇଏଏସ୍ ପ୍ରୋବେସନାରୀ କୁମାରୀ ଧାନୀ ଦସ୍ତାଗିରଙ୍କ ନେତୃତ୍ୱରେ ଏନଏଚଏମ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ୟାମ ସୁନ୍ଦର ତ୍ରିପାଠୀ, ପୂର୍ତ୍ତ ବିଭାଗ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଉମା ଚରଣ ପାଢ଼ି, ଯନ୍ତ୍ରୀ ସୁଦର୍ଶନ ବେହେରା, ଡ଼ା ଦୁର୍ଗା ମାଧବ ପଣ୍ଡା , ଡ଼ା ମାଧବ ସାହୁ , ଆରଏମସି ସମ୍ପାଦକ ବିନାୟକ ବିଶ୍ୱାଳ ପ୍ରମୁଖ ଡ଼ାକ୍ତରଖାନା ଓ ଏହାର ଆଖପାଖ ଅଂଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ ।
ଆମ ହସପିଟାଲ ଯୋଜନାରେ ୪.୮୮କୋଟି ଟଙ୍କା ବ୍ୟୟରେ ଡ଼ାକ୍ତରଖାନାର ସୌନ୍ଦର୍ଯ୍ୟକରଣ, ମୁଖ୍ୟ ଫାଟକ ନିର୍ମାଣ, ଓପିଡ଼ି-ଆଇପିଡ଼ି ସଂଯୋଗୀକରଣ, ଫିଜିଓଥେରାପି ସେଂଟର, ଡ଼ାକ୍ତରଖାନାକୁ ଚତୁର୍ଦ୍ଦିଗରେ ପ୍ରାଚେରୀ ଦ୍ୱାରା ଆବଦ୍ଧ, ଗାଡ଼ି ପାର୍କିଂ, ଶୌଚାଳୟ, ପାର୍କ ଇତ୍ୟାଦି ନିର୍ମାଣ ହେବ । ଏଥି ପାଇଁ ନିକଟବର୍ତୀ ଆରଏମସି ଅଧୀନରେ ଥିବା ଜାଗା ଅଧିଗ୍ରହଣ କରାଯିବ । ଫଳରେ ଜନସାଧାରଣଙ୍କୁ ଉଚ୍ଚ ଧରଣର ଚିକିତ୍ସା ସୁବିଧା ମିଳିବା ସହ ୫ଟି ଉପକ୍ରମରେ ଡ଼ାକ୍ତରଖାନାର ସୌନ୍ଦର୍ଯ୍ୟବୃଦ୍ଧି ହେବ । ତେବେ, ଡ଼ାକ୍ତରଖାନାକୁ ଲାଗି ରହିଥିବା ଆରଏମସିର ଆବଶ୍ୟକ ଜମିକୁ ହସ୍ତାନ୍ତର ଲାଗି ପଦକ୍ଷେପ ନେବାକୁ ପ୍ରତିନିଧି ଦଳର ନେତ୍ରୀ ଦସ୍ତାଗିରି ଉପସ୍ଥିତ ଆରଏମସି ସମ୍ପାଦକ ବିଶ୍ୱାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏପରି ହେଲେ ଡ଼ାକ୍ତରଖାନା ପରିସରରେ ଆରଏମସି ନିର୍ମାଣ କରୁଥିବା ଦୋକାନ ଘର ଉଚ୍ଛେଦ କରିବାକୁ ପଡ଼ିବ । ଏଥି ନିମନ୍ତେ ଉଚ୍ଚ ସ୍ତରରେ ଆଲୋଚନା କରି ତୁରନ୍ତ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।
ଫଟୋ: ଡ଼ାକ୍ତରଖାନା ସଂପ୍ରସାରଣ ନିମନ୍ତେ ପ୍ରତିନିଧି ଦଳ ବୁଲି ଦେଖୁଛନ୍ତି ।