ଫୁଲବାଣୀ ୨/୬/୨୩: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସଭାପତି ବିଜୟ ମହାନ୍ତି ଙ୍କ ଆହ୍ଵାନ କ୍ରମେ ଆଜି ଫୁଲବାଣୀ ଡିଭିଜନ ପକ୍ଷରୁ ବିଶାଳ ଶୋଭାଯାତ୍ରା କୋର୍ଟ ଛକରୁ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି।
ଆଜି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ କୋର୍ଟ ଛକ ଠାରୁ ହଜାର ହଜାର କେନ୍ଦୁପତ୍ର ତୋଳାଳୀ ଏବଂ କର୍ମଚାରୀ ଶୋଭାଯାତ୍ରା ମାଧ୍ୟମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳ କାର୍ଯ୍ୟାଳୟରେ ଶୋଭାଯାତ୍ରା ପହଞ୍ଚି ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ଫୁଲବାଣୀ ଡିଭିଜନ ସମ୍ପାଦକ ସରୋଜ କର୍ଣ୍ଣ ଏହି ସଭାରେ ସଭାପତିତ୍ବ କରି ବିଭିନ୍ନ ଦାବୀ ଉପସ୍ଥାପନା କରିଥିଲେ ।
ବିଭିନ୍ନ ଦାବୀ ମଧ୍ୟରେ କେନ୍ଦୁପତ୍ର ତୋଳାଳୀ, ସିଯିନାଲ କର୍ମଚାରୀ ଏବଂ ବନ୍ଧେଇ ଶ୍ରମିକ ମାନେ ୨୦୧୪-୧୫ ମସିହାରେ ତଥା ପ୍ରୋତ୍ସାହନ ଏବଂ ସାମାଜିକ ନିରାପତ୍ତା ମୂଳକ ବିଭିନ୍ନ ସହାୟତା ୨୦୨୨ ମସିହା ପର୍ଯ୍ୟନ୍ତ ପାଇ ଆସୁଥିଲେ ମଧ୍ୟ ଚଳିତ ବର୍ଷ ୨୦୨୨ ମସିହା କେନ୍ଦୁପତ୍ର ସଂସ୍ଥାର ଲାଭାଂଶ ବଣ୍ଟନ ବେଳେ ବୋନସ ଦେବାରେ ବ୍ୟତିକ୍ରମ କରାଯାଇ ବୋନସ ଦିଆ ଯାଇନାହିଁ। ଏହା ଫଳରେ କେନ୍ଦୁପତ୍ର ତୋଳାଳୀ,ସିଯିନାଲ୍ କର୍ମଚାରୀ, ବନ୍ଧେଇ ଶ୍ରମିକ ମାନେ ଅତିମାତ୍ରାରେ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି। ଆର୍ଥିକ ସହାୟତା ନାମରେ ଦିଆ ଯାଇଥିବା ୧୦୦୦ ଟଙ୍କା ଏବଂ ୧୫୦୦ ଟଙ୍କାକୁ ସରକାର ନିଜର ରସକୋଷରୁ ଦେଲେ ସଂଘ ତାକୁ ସ୍ଵାଗତ କରିବ କିନ୍ତୁ ବୋନସ ନ ଦେଇ କେନ୍ଦୁପତ୍ରର ଲାଭାଂଶରୁ ଆର୍ଥିକ ସହାୟତା ଦେବା ଯୋଗୁଁ ଲକ୍ଷ୍ୟ ଲକ୍ଷ୍ୟ ତୋଳାଳୀ ଏବଂ ଅଧିକାଂଶ କର୍ମଚାରୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏହା ସହିତ କନ୍ୟା ବିବାହ ପାଇଁ ୫୦୦୦୦ଟଙ୍କା ସମାଜିକ ନିରାପତ୍ତା ସହାୟତା, ଦୀର୍ଘ ୫ ବର୍ଷ ହେଲା ସିଜିନାଲ କର୍ମଚାରୀ ମାନଙ୍କ ମାସିକ ମଜୁରୀ ବୃଦ୍ଧି କରା ନ ଯିବା ଯୋଗୁଁ ହଜାର ହଜାର କର୍ମଚାରୀ ଆର୍ଥିକ ସଙ୍କଟରେ ଗତି କରୁଛନ୍ତି। ଏଣୁ ଅତିଶିଘ୍ର ସର୍ବନିମ୍ନ ମଜୁରୀ ଘୋଷଣା ପାଇଁ ଦାବୀ କରାଯାଇଛି। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଛାତ୍ର ବୃତ୍ତି ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧାପନ୍ତରିଆ ଭାବରେ ଅଛି,ଚୂଡାନ୍ତ ହୋଇ ପାରିନାହିଁ, ଏହାକୁ ଅତିଶୀଘ୍ର ଚୂଡାନ୍ତ କରିବା ପାଇଁ ମଧ୍ୟ ଦାବୀ ହୋଇଛି। ଥରେ ବୋନସ ଦେବା ବନ୍ଦ ହୋଇଗଲେ ଭବିଷ୍ୟତ ପାଇଁ ରହିବ ନାହିଁ। ଯାହାକି କେନ୍ଦୁପତ୍ର ଶ୍ରମିକର ହକ ଓ ଅଧିକାର। ଆମେ କେନ୍ଦୁପତ୍ର ତୋଳାଳୀ କର୍ମଚାରୀ ଦୟାର ପାତ୍ର ନ ହୋଇ ପୂର୍ବ ଅଧିକାରକୁ ସାବ୍ୟସ୍ତ କରିବା, ଏବଂ KLDB ବୋର୍ଡର (ଯେଉଁ ବୋର୍ଡ ର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଅଛନ୍ତି) ମତାମତ ନ ନେଇ ଏକଚାଟିଆ ଭାବରେ ନିଆ ଯାଉଥିବା ବିଭିନ୍ନ ନିଷ୍ପତି ଓ ଘୋଷଣା ଶ୍ରମିକ ମାନଙ୍କ ହିତ ବିରୋଧରେ ଯାଉଥିବା ଯୋଗୁଁ ଏହାକୁ ବିରୋଧ କରିବା ସହ ତୁରନ୍ତ KLDB ବୈଠକ ଆହ୍ଵାନ ସହ ସିଜିନାଲ୍ କର୍ମଚାରୀ ମାନଙ୍କ କାର୍ଯ୍ୟକାଳ ବୃଦ୍ଧି ଆଦି ଦାବୀ କରିଥିଲେ। କେନ୍ଦୁପତ୍ର ଉପରେ ଲଗାଯାଇଥିବା ଜି ଏସ ଟି ଉଚ୍ଛେଦ ସହ କେନ୍ଦୁପତ୍ର ସଂସ୍ଥାର ଘରୋଇକରଣ କରିବାରୁ ସରକାର ନିବୃତ ରହିବା ପାଇଁ ଦାବୀ ହୋଇଥିଲା। ସଂଘ ସମ୍ପାଦକ ତଥା କେନ୍ଦୁପତ୍ର ୱେଲଫ୍ୟାର୍ ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି ତୋଳାଳୀ ଏବଂ କର୍ମଚାରୀଙ୍କ ଦାବୀକୁ ନ୍ୟାର୍ଯ୍ୟ ଦାବୀ ବୋଲି କହିବା ସହ ସମସ୍ତ ଦାବୀ ପୂରଣ ପାଇଁ ସରକାରଙ୍କ ଠାରେ ଦୃଢତାର ସହିତ ଉତ୍ଥାପନ ପ୍ରତିଶ୍ରୁତି ଦେଇଥିଲେ। ଡିଭିଜନ ସମ୍ପାଦକ ସରୋଜ କର୍ଣ୍ଣଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସମାବେଶରେ ବହୁ ସଂଖ୍ୟାରେ ତୋଳାଳୀ, କର୍ମଚାରୀ ଓ ବନ୍ଧେଇ ଶ୍ରମିକ ଉପସ୍ଥିତ ରହିବା ସହ ରାଜ୍ୟ ଉପ ସଭାପତି ଗୋକୁଳ ମେହେର, ରାଜ୍ୟ ସମ୍ପାଦକ ଶିବାନନ୍ଦ ପରିଚ୍ଛା, ପ୍ରତାପ ଶର୍ମା, ଦେବ ଜ୍ୟୋତି ପଟ୍ଟନାୟକ, ଲକ୍ଷ୍ମଣ ସାହୁ, କୀର୍ତ୍ତନ ବେହେରା, ଦଶମୂଳ ମିଶ୍ର, ଅକ୍ଷୟ ପ୍ରଧାନ, ସଦାନନ୍ଦ କୁଆଁର, ସରୋଜିନୀ କହଁର, ସଂଯୁକ୍ତା ରଣା, ଭାମା ଖମାରୀ ମାମିନା ବଗର୍ତ୍ତି ପ୍ରମୁଖ ଉପସ୍ଥିତ ରହି ସମାବେଶର ନେତୃତ୍ୱ ନେଇଥିଲେ।ଏକ ପ୍ରତିନିଧି ଦଳ ଡି ଏଫ୍ ଓ କେନ୍ଦୁପତ୍ର ବିଭାଗଙ୍କ ସହ ଆଲୋଚନା କରି ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି।