ପୁରୀ : ଆସନ୍ତା ଜୁନ୍ ୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ। ଏହାପରେ ପରେ ରଥଯାତ୍ରା, ବାହୁଡ଼ା, ସୁନାବେଶ, ନୀଳାଦ୍ରିବିଜେ ଆଦି ବିଶେଷ ପର୍ବପର୍ବାଣୀ ରହିଛି। ଏହିସବୁ ପର୍ବପର୍ବାଣୀ ସମୟରେ ଠାକୁରଙ୍କ ନୀତିକାନ୍ତି କିପରି ସୁଚାରୂ ରୂପେ ସମ୍ପାଦନ କରାଯିବ ସେ ନେଇ ସୋମବାର ଅନୁଷ୍ଠିତ ହୋଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବ ଦେଶ ବାହାରେ ଥିବାରୁ କାର୍ଯ୍ୟକାରୀ ଅଧ୍ୟକ୍ଷ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ନାନଯାତ୍ରା, ନବଯୌବନ ଦର୍ଶନ, ରଥଯାତ୍ରା, ବାହୁଡା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ଆଦି ନୀତିରେ ମୋହର ବାଜିଛି।
ପୂର୍ବରୁ ନୀତି ସବ୍ କମିଟି ଏବଂ ଛତିଶା ନିଯୋଗ ବୈଠକରେ ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ହୋଇଥିଲା। ଆବଶ୍ୟକ ସଂଶୋଧନ ପରେ ପରିଚାଳନା କମିଟିରେ ଏହାକୁ ଅନୁମୋଦନ କରାଯାଇଛି। ଜୁନ୍ ୨୦ରେ ରଥଯାତ୍ରା। ସେହିଦିନ ସକାଳ ୯ଟାରେ ତିନିରଥକୁ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢେ ୯ଟାରୁ ଆରମ୍ଭ ହେବ ଠାକୁରଙ୍କ ପହଣ୍ଡି। ଅପରାହ୍ନ ୧ଟା ସୁଦ୍ଧା ଦାରୁବିଗ୍ରହମାନେ ରଥାରୁଢ ହେବା ପରେ ମଦନମୋହନ ବିଜେ କରିବେ। ଚିତା ଲାଗି ପରେ ବେଶ ଶେଷ ହେବ। ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ଶେଷ ହେବା ପରେ ଚାରମାଳ ଫିଟାଯାଇ ଘୋଡା ଓ ସାରଥି ଲାଗିବେ। ଏହାପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି।
ଏହା ପୂର୍ବରୁ ଜୁନ୍ ୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ପୂର୍ବ ରାତି ସାଢେ ୩ଟାରେ ମଙ୍ଗଳାର୍ପଣ ସରି ଭୋର ୪ଟାରୁ ପହଣ୍ଡି ଆରମ୍ଭ ହେବ। ସକାଳ ୬ଟାରେ ପହଣ୍ଡି ସରି ୮ଟା ୧୦ରେ ମଙ୍ଗଳ ଆଳତି ହେବ। ପୂର୍ବାହ୍ନ ୧୧ଟା ୨୦ରୁ ମଧ୍ୟାହ୍ନ ୧୨ଟା ୪୫ ମଧ୍ୟରେ ଜଳବିଜେ, ପୂଜା ଓ ଠାକୁରଙ୍କ ସ୍ନାନ ସରିବ। ଅପରାହ୍ନ ୨ଟାରେ ଛେରାପହଁରା ପରେ ୨ଟା ୪୦ରେ ଠାକୁରଙ୍କ ହାତୀବେଶ କରାଯିବ। ସନ୍ଧ୍ୟା ୬ଟାରୁ ରାତି ସାଢେ ୯ ଅର୍ଥାତ୍ ସାଢେ ୩ ଘଣ୍ଟା ସାହାଣ ମେଲା ଦର୍ଶନ ରହିଛି। ସ୍ନାନ ଯାତ୍ରା ଦିନ ପହଣ୍ଡି ପରଠାରୁ ଭକ୍ତଙ୍କ ନିରବଚ୍ଛିନ ଦର୍ଶନ ଚାଲୁ ରହିବ। ତେବେ ସ୍ନାନ ବେଦୀରେ ଅବରୋଧ ମୁକ୍ତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି। ଶ୍ରଦ୍ଧାଳୁମାନେ ସ୍ନାନମଣ୍ଡପ ସମ୍ମୁଖରୁ ଦର୍ଶନ କରିବେ କିନ୍ତୁ କେହି ଠାକୁରଙ୍କୁ ସ୍ପର୍ଶ କରିବେ ନାହିଁ। ସ୍ନାନଯାତ୍ରାର ବାହୁଡା ପହଣ୍ଡି ରାତି ୧୦ରୁ ଆରମ୍ଭ ହୋଇ ରାତି ୧ଟାରେ ଶେଷ ହେବ। ଏହାପରେ ଠାକୁରଙ୍କ ସୁନାଚିତା ଏବଂ ରାହୁରେଖା ମଇଲମ ହେବ।
ସେହିପରି ବୈଠକରେ ଜୁନ୍ ୨୮ ତାରିଖ ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ ହୋଇଛି। ମଧ୍ୟାହ୍ନ ୧୨ଟାରୁ ବାହୁଡା ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ସାଢେ ୨ଟାରେ ପହଣ୍ଡି ଶେଷ ହେବ। ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ଶେଷ ହୋଇ ଅପରାହ୍ନ ୪ଟାରେ ରଥଟଣା ଯିବ। ୨୯ ତାରିଖ ଅପରାହ୍ନ ୫ଟାରୁ ସନ୍ଧ୍ୟା ସାଢେ ୬ଟା ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ରାତି ୧୦ରୁ ୧୧ଟା ମଧ୍ୟରେ ବେଶ ମଇଲମ କରାଯିବ। ୩୦ ତାରିଖ ରାତି ୮ଟାରେ ଅଧରପଣା ନୀତି ସମ୍ପନ୍ନ ହେବ। ଜୁଲାଇ ୧ ତାରିଖରେ ମହାପ୍ରଭୁ ନୀଳାଦ୍ରିବିଜେ ଅର୍ଥାତ୍ ରତ୍ନସିଂହାସନକୁ ବିଜେ କରିବେ ବୋଲି ନୀତି ଚୂଡ଼ାନ୍ତ ହୋଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମା, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ପରିଚାଳନା କମିଟିର ସଦସ୍ୟମାନେ ଯୋଗଦେଇଥିଲେ।
ସିଧା ପ୍ରସାରଣ ହେବ, ଟିଭି ଚ୍ୟାନେଲକୁ ମିଳିବ ଲାଇଭ୍ ଫିଡ୍
ଚଳିତ ବର୍ଷ ମଧ୍ୟ ରଥଯାତ୍ରାର ସିଧା ପ୍ରସାରଣ ହେବ। ବିଭିନ୍ନ ଟିଭି ଚ୍ୟାନେଲକୁ କମନ୍ ଲାଇଭ୍ ଫିଡ୍ ଦିଆଯିବ। ଏହା ସହିତ ଭକ୍ତମାନଙ୍କୁ ସୂଚନା ପ୍ରଦାନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି।
ଭକ୍ତମାନଙ୍କ ସୁବିଧା ନିମନ୍ତେ ପୁରୀର ୧୧ଟି ପ୍ରମୁଖ ସ୍ଥାନରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ କରାଯିବ। ବିଭାଗ ପକ୍ଷରୁ ସମସ୍ତ ସୂଚନା କେନ୍ଦ୍ରରେ ପାଲା, ଦାସକାଠିଆ, ଘୋଡ଼ାନାଚ ଇତ୍ୟାଦି ଲୋକକଳା ଏବଂ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗମଞ୍ଚରେ ଭଜନ ସମାରୋହ ସହ ମହାନ ଜଗନ୍ନାଥ ସଂସ୍କୃତି ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଉପରେ ଆଧାରିତ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ। ରଥଯାତ୍ରା ସମ୍ପର୍କିତ ଖବର ସଂଗ୍ରହ ପାଇଁ ରାଜ୍ୟସ୍ତରୀୟ ସାମ୍ୱାଦିକମାନଙ୍କ ପୁରୀ ଗସ୍ତ ଉପରେ ଆଲୋଚନା ହୋଇଥିଲା। ସରକାରଙ୍କ ବିଭିନ୍ନ ଲୋକକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମ ନେଇ ସାମାଜିକ ଗଣମାଧ୍ୟମ, ଖବରକାଗଜ, ରେଡ଼ିଓ ଜିଙ୍ଗଲ୍ ଓ ବୈଦ୍ୟୁତିକ ଗଣମାଧ୍ୟମରେ ବିଜ୍ଞାପନ ପ୍ରସାରଣ କରାଯିବ।