ଭୁବନେଶ୍ୱର : କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ କରି ଦକ୍ଷ ମାନବ ସମ୍ବଳ ସୃଷ୍ଟି କ୍ଷେତ୍ରରେ ରାଜ୍ୟ ସରକାର ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଲୋକସେବା ଭବନରେ ‘ଓଡ଼ିଶା ଫର୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି’ ଓ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଫର୍ ୟୁଥ୍’ କାର୍ଯ୍ୟକ୍ରମର ଲୋକାର୍ପଣ କରିଛନ୍ତି। ଅନ୍ତର୍ଜାତିକ କମ୍ପାନୀ ‘ଇନଟେଲ୍’ ସହାୟତାରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ତିନି ପ୍ରମୁଖ ସହର ଭୁବନେଶ୍ୱର, କଟକ ଓ ପୁରୀରେ ଉକ୍ତ କୃତ୍ରିମ ବୁଦ୍ଧିମତ୍ତା ସେବା ଉପଲବ୍ଧ ହେବ।
ଛାତ୍ରଛାତ୍ରୀମାନଙ୍କୁ ଇନଟେଲ୍ ଇଣ୍ଡିଆ ପକ୍ଷରୁ କୃତ୍ରିମ ବୁଦ୍ଧିମତ୍ତା ପରିଚାଳନା ସମ୍ପର୍କିତ ତାଲିମ ପ୍ରଦାନ କରାଯିବ। ଏହା ସହ ଛାତ୍ରଛାତ୍ରୀମାନେ କିଭଳି କୃତ୍ରିମ ବୁଦ୍ଧିମତ୍ତାକୁ ପ୍ରୟୋଗ କରି ନିଜେ ନିଜେ ଶିକ୍ଷା ଅଧ୍ୟୟନ କରିପାରିବେ ତାହା ସୁନିଶ୍ଚିତ କରାଯିବ। ଇନଟେଲ୍ ପକ୍ଷରୁ ଏକ ୪ ଘଣ୍ଟିଆ କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍କିତ କୋର୍ସ ଉପଲବ୍ଧ ହେବ। ଭୁବନେଶ୍ୱର, କଟକ ଓ ପୁରୀର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟରେ ଏହା କେବଳ ଏହି ତିନି ସହରରେ ଲାଗୁ ହେବାକୁ ଥିବା ବେଳେ ଆଗାମୀ ଦିନରେ ସାରା ରାଜ୍ୟରେ ଏହାକୁ ଲାଗୁ କରାଯିବ।
ସେହିଭଳି ଏଆଇ ଫର୍ ୟୁଥ୍ ପ୍ରୋଗାମ ଅଧିନରେ ପ୍ରଥମ ପର୍ଯ୍ୟାୟରେ ୨ ହଜାର ୫-ଟି ସ୍କୁଲ ଓ ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଏନେଇ ତାଲିମ ଦିଆଯିବ। ଏହି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାକୁ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବିଶ୍ୱକୁ ଏକ ନୂଆ ଦିଶା ଦେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା ନିକଟରେ ଉଲ୍ଲେଖନୀୟ ଦକ୍ଷତା ରହିଛି। ରାଜ୍ୟରେ ସରକାରୀ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା ଦିଗରେ ୫-ଟିକୁ ପ୍ରାଥମିକତା ଦିଆଯାଇଛି। ପ୍ରଯୁକ୍ତିବିଦ୍ୟାକୁ ପ୍ରାଥମିକତା ଦେଇ ରାଜ୍ୟ ସରକାର ବ୍ୟବସ୍ଥାରେ ପାରିଦର୍ଶିତା ଆଣିବା ସହ ଏକ ଦାୟିତ୍ୱବାନ ସରକାରୀ ବ୍ୟବସ୍ଥା ପ୍ରତିଷ୍ଠା କରିବା ଦିଗରେ କାର୍ଯ୍ୟ କରୁଛନ୍ତି।
ତେବେ ସମ୍ପ୍ରତି ସରକାର କୃତ୍ରିମ ବୁଦ୍ଧିମତ୍ତାକୁ ଲାଗୁ କରି ପରବର୍ତ୍ତୀ ପିଢ଼ିଙ୍କର ଡିଜିଟାଲ ସାକ୍ଷରତା ବଢ଼଼ାଇବା ସହ ପ୍ରଯୁକ୍ତିବିଦ୍ୟାକୁ ଘରେ ଘରେ ପହଞ୍ଚାଇବାକୁ ଚାହୁଁଛନ୍ତି। କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଅନୁସନ୍ଧାନ, ସୃଜନଶୀଳତାକୁ ପ୍ରୋତ୍ସାହିତ କରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ଇଲୋକଟ୍ରୋନିକ୍ସ ଓ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଉଦ୍ୟମକୁ ପ୍ରଶଂସା କରିବା ସହ ଇନଟେଲ୍ ଇଣ୍ଡିଆ ସହଭାଗିତାରେ ସରକାରୀ ଅଧିକାରୀମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାରିକ ଜ୍ଞାନକୌଶଳ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଶ୍ରୀପଟ୍ଟନାୟକ ଆହୁରି ମଧ୍ୟ କହିଥିଲେ ଯେ ବ୍ୟବସ୍ଥାର ରୂପାନ୍ତରଣ, ଅର୍ଥନୈତିକ ପ୍ରଗତି ଓ ସାଧାରଣ ଜୀବନଶୈଳୀର ମାନରେ ଉନ୍ନତି ଆଣିବାରେ ଏହି ନୂଆ ପ୍ରଯୁକ୍ତିବିଦ୍ୟା ବିଶେଷ ଭାବେ ସହାୟକ ହେବ।
ସେହିଭଳି ଏହି ସୃଜନଶୀଳତାକୁ ଯୁବଗୋଷ୍ଠୀମାନେ ଗ୍ରହଣ କରିବାର ସର୍ବାଧିକ ଆବଶ୍ୟକତା ରହିଥିବା ବେଳେ ଏହା ବିଭିନ୍ନ ଶ୍ରେଣୀର ମାନବସମ୍ବଳକୁ ସଶକ୍ତ କରିବା ଦିଗରେ ସହାୟକ ହେବ। ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ, କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ରାଜ୍ୟର ରୂପାନ୍ତରୀକରଣରେ ସହାୟକ ହେବା ସହ ଦେଶରେ ଓଡ଼ିଶାକୁ ଏକ ଅଗ୍ରୀଣ ପ୍ରଯୁକ୍ତିବିଦ୍ୟା ରାଜ୍ୟରେ ପରିଣତ କରିବ। ଏହାପରେ ଇନଟେଲ୍ ଇଣ୍ଡିଆ ମୁଖ୍ୟ ନିବୃତ୍ତି ରାୟ, ଇଲୋକଟ୍ରୋନିକ୍ସ ଓ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ପ୍ରମୁଖ ଭବିଷ୍ୟତର ଓଡ଼ିଶାରେ କୃତ୍ରିମ ବୁଦ୍ଧମତ୍ତାର ଭୂମିକା ସମ୍ପର୍କରେ ମତପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଅନୁ ଗର୍ଗ ଓ ୫-ଟି ସଚିବ ଭି କେ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ।