ଭୁବନେଶ୍ଵର: କାର୍ତ୍ତିକ ପୂର୍ଣ୍ଣିମାପାଇଁ ଚଳଚଞ୍ଚଳ ସାରା ଓଡ଼ିଶା । ଭୋରୁ ଭୋରୁ ହଜାର ହଜାର ଶଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । ପୁରୀ ବେଳାଭୂମି, ଭୁବନେଶ୍ୱର ବିନ୍ଦୁସାଗର, କୁଆଖାଇରେ ଶ୍ରଦ୍ଧାଳକୁ ମାନେ ଭୋର ୪ ଟାରୁ ଉଠି ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇଛନ୍ତି । ବିଶ୍ୱାସ ରହିଛି ବର୍ଷକରେ ଥରେ ଏହି ଦିନରେ ସ୍ନାନ କରି ଡଙ୍ଗା ଭସାଇଲେ ପୂଣ୍ୟ ମିଳିଥାଏ । ଅନ୍ୟପଟେ ଭିଡକୁ ଦୃଷ୍ଟିରେ ରଖି ପୁରୀ, ଭୁବନେଶ୍ୱର, ଚନ୍ଦ୍ରଭାଗା ଆଦି ସ୍ଥାନରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।
ଓଡ଼ିଆ ଧର୍ମଧାରା ଓ ସଂସ୍କୃତିରେ କାର୍ତ୍ତିକ ପୂର୍ଣ୍ଣିମା ବେଶ୍ ଗୁରୁତ୍ୱ ବହନ କରେ। ଧର୍ମର ମାସ କାର୍ତ୍ତିକର ଶେଷ ଦିନ ହେଉଛି କାର୍ତ୍ତିକ ପୂର୍ଣ୍ଣିମା । କାର୍ତ୍ତିକ ପୂର୍ଣ୍ଣିମାକୁ ରାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ । କାର୍ତ୍ତିକ ମାସ ସାରା ଦେବଦେବୀଙ୍କ ନିକଟରେ ପୂଜା ଉପାସନା କରାଯାଇଥାଏ। ଏହାଦ୍ବାରା ଅକାଳ ମୃତ୍ୟୁ ହୋଇ ନ ଥାଏ ବୋଲି ବିଶ୍ବାସ ରହିଛି। ଶୁକ୍ଳ ଏକାଦଶୀ ତିଥିଠାରୁ ଶ୍ରୀକୃଷ୍ଣଙ୍କ ଶରତ ରାସ ଯାତ୍ରା ଆରମ୍ଭ ହୋଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ଦିନ ରାସ ଉତ୍ସବ ଉଦ୍ଯାପନ ହୋଇଥାଏ।
ଏହିଦିନ କଦଳୀପଟୁକା ନିର୍ମିତ ଡଙ୍ଗା ଭସାଇବାର ବିଧି ପ୍ରଚଳିତ ରହିଛି । ଏହି ଦିନ ପ୍ରତ୍ୟୁଷରୁ ଆବାଳ ବୃଦ୍ଧା ବନିତା ନଦୀ ବା ପୁଷ୍କରିଣୀରେ ବୁଡ଼ ପକାଇ କଦଳୀ ବାସୁଙ୍ଗା ବା ସୋଲ ତିଆରି ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ସେସବୁ ଭସାଇ ଦିଅନ୍ତି । ଏହି ଅବସରରେ ଗାଇଥାନ୍ତି ଆ – କା – ମା – ବୈ, ପାନ ଗୁଆ ଥୋଇ । ପାନ, ଗୁଆ ତୋର, ମାସକ ଧରମ ମୋର।’ ତେବେ ଏହି ଆ – କା – ମା – ବୈର ଅର୍ଥ ହେଉଛି – ଆ – ଆଷାଢ଼, କା – କାର୍ତ୍ତିକ, ମା – ମାଘ, ବୈ – ବୈଶାଖ । ଏହି ଚାରିମାସ ଓଡ଼ିଆଙ୍କ ପାଇଁ ସବୁଠୁ ଧର୍ମ ମାସ। ପୌରାଣିକ ଅନୁଧ୍ୟାନରୁ ଏହି ଚାରିମାସ ଧର୍ମ ଦୃଷ୍ଟିରୁ ଶୁଭପ୍ରଦ ଏବଂ ଦେବଦେବୀଙ୍କ ଉପାସନା ସକାଶେ ଅତ୍ୟନ୍ତ ଅନୁକୂଳ ।