କଟକ : ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା । ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅନେକ ବର୍ଷ ବ୍ୟବଧାନ ପରେ ଜଣେ ମୁଖ୍ୟମନ୍ତ୍ରୀ କଟକ ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ୧୩ଟି ଦେଶର ରାଷ୍ଟ୍ରଦୂତ ଓ ବୈଦେଶିକ ବ୍ୟାପାର ବିଭାଗର ଅଧିକାରୀମାନେ ଯୋଗ ଦେଇଛନ୍ତି । ବାଲିଯାତ୍ରାକୁ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ମାନ୍ୟତା ଦେବାରେ ଏଭଳି ପ୍ରୟାସ ସହାୟକ ହେବ ବୋଲି ଆଶା କରାଯାଉଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମେଳା ବୁଲି ଦେଖିଥିଲେ। ଚଳିତବର୍ଷ ଉପର ଓ ତଳ ପଡ଼ିଆକୁ ମିଶାଇ ମୋଟ୍ ୩୨ ଏକର ଜାଗାରେ ୨୫୦୦ରୁ ଅଧିକ ଷ୍ଟଲ କରାଯାଇଛି। ବାଲିଯାତ୍ରାକୁ ଭବ୍ୟ ଓ ଆକର୍ଷଣୀୟ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ପହଁଞ୍ଚାଇବା ପାଇଁ ୧୩ଟି ଦେଶର ରାଷ୍ଟ୍ରଦୂତଙ୍କୁ ଅତିଥି କରାଯିବା ସହ ୮ଟି ଦେଶର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।
ଚଳିତବର୍ଷ ବାଲିଯାତ୍ରାରେ ଅନେକ କିଛି ନୂଆ ଦେଖିବାକୁ ମିଳିବ। କଟକ ଇନ୍ କଟକରେ ଦେଖିବାକୁ ମିଳିବ ଓଡ଼ିଆ ଅସ୍ମିତାର ଝଲକ। ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ସ୍ମୃତିକୁ ମନ ପକେଇବାକୁ ପ୍ରୟାସ କରିଛି ପ୍ରଶାସନ। ସୀତା ବିବାହ, ହୀରାଲୀଳା, ଗପ ହେଲେବି ସତ ଓ ଚିହ୍ନା ଅଚିହ୍ନା ପରି ଲୋକପ୍ରିୟ ଓଡ଼ିଆ ଫିଲ୍ମର ପୋଷ୍ଟର ଗ୍ୟାଲେରୀ ପ୍ରଦର୍ଶୀତ ହେବା ସହ ପୁରୁଣା ଓଡ଼ିଆ ଫିଲ୍ମ ଦେଖିବା ପାଇଁ ଆମ୍ପିଥିଏଟର କରାଯାଇଛି। ଆଉ ସେଠାରେ ଓଡ଼ିଆ ଚଳଚ୍ଚିତ୍ରର ଚର୍ଚ୍ଚିତ ଡିଏଲଗ ଓ ସଂଗୀତ ଅଡିଓ ମାଧ୍ୟମରେ ପ୍ରଦର୍ଶିତ କରାଯିବ।
ସେହିପରି ଚଳିତବର୍ଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ସାଉଥ୍ ଇଷ୍ଟ ଏସିଆ ପାଭିଲିୟନ। ଜାଭା, ସୁମାତ୍ରା, ବାଲି ଇଣ୍ଡୋନେସିଆ ପରି ଦେଶ ସହିତ ଆମ ଦେଶର ନୌବାଣିଜ୍ୟ ପରମ୍ପରା ସମ୍ପର୍କର ତଥ୍ୟ ଜାଣିପାରିବେ ଦର୍ଶକ। ଏହାସହ ନଦୀ ଭିତରେ ଡ୍ରୋନ୍ ଶୋ’ ମାଧ୍ୟମରେ ଓଡ଼ିଆ ସଂସ୍କୃତି ପରମ୍ପରା ସହ ମହାପୁରୁଷଙ୍କ ଫଟୋ ଓ ଓଡ଼ିଶାର ଇତିହାସ ସମ୍ପର୍କରେ ଅବଗତ କରାଯିବ। କେବଳ ସେତିକି ନୁହେଁ, ମନୋରଞ୍ଜନର ଭରପୁର ଖୋରାକ ଯୋଗାଇବ ବାଲିଯାତ୍ରା। ହଲିଉଡ୍ର ଚର୍ଚ୍ଚିତ ଫିଲ୍ମ ଅବତାର ଆନିମେସନର ଥିମ୍ ଭଳି ଅନନ୍ତ ଦୁନିଆ ବା ଇନଫିନିଟି ୱଆଲ୍ଡର ମଜା ନେବେ ଦର୍ଶକ।
ବାଲିଯାତ୍ରାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ବଲିଉଡ୍ କଣ୍ଠଶିଳ୍ପୀ ସୋନୁ ନିଗମ, ସୁରେଶ ୱାଡେକର, ଅନୁପ ଜୋଲେଟା ସଙ୍ଗୀତ ପରିବେଷଣ କରିବେ। ଏହାଛଡ଼ା ଓଲିଉଡ୍ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ମଣ୍ଟୁ ଛୁରିଆ, ଦିପ୍ତିରେଖା ପାଢୀ ପ୍ରମୁଖ କଳାକାରମାନେ ବୈଷ୍ଣବ ପାଣି ମଞ୍ଚ ଏବଂ ଅକ୍ଷୟ ମହାନ୍ତିଙ୍କ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି।