ଜୁଲାଇ ଦ୍ବିତୀୟ ସପ୍ତାହ‌ରେ ମହାନଦୀ ଶୁଣାଣି

ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବ‌ାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଜୁଲାଇ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆପାତତଃ ସ୍ଥିର କରିଛନ୍ତି। ହେଲେ ଶୁଣାଣିର ନିର୍ଦ୍ଦିଷ୍ଟ ତାରିଖ ନେଇ ଟ୍ରିବ୍ୟୁନାଲ ରେଜିଷ୍ଟ୍ରାର ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ଏ ଯାଏଁ ଅବଗତ କରିନାହାନ୍ତି।

ଗତକାଲି ଟ୍ରିବ୍ୟୁନାଲଙ୍କ ୧୦ ଦିନିଆ ଓଡ଼ିଶା କ୍ଷେତ୍ର ପରିଦର୍ଶନ ଶେଷ ହୋଇଥିଲା। ଗସ୍ତ ଶେ‌ଷ ପରେ ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ସମ୍ପର୍କରେ ଟ୍ରିବ୍ୟୁନାଲ ପକ୍ଷଭୁକ୍ତ ରାଜ୍ୟମାନଙ୍କ ମତ ଲୋଡ଼ିଥିଲେ। ମହାନଦୀ ଅବବାହିକାର ଓଡ଼ିଶା କ୍ଷେତ୍ର ପରିଦର୍ଶନ ବେଳେ ଟ୍ରିବ୍ୟୁନାଲ ୩୦ରୁ ଅଧିକ ସ୍ଥାନ ପରିଦର୍ଶନ କରି ଗ୍ରାଉଣ୍ଡ ଜିରୋରୁ ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥି ପୂର୍ବରୁ ମଧ୍ୟ ଟ୍ରିବ୍ୟୁନାଲ ଦୁଇଟି ପର୍ଯ୍ୟାୟରେ ଛତିଶଗଡ଼ରେ ମହାନଦୀ ଅବବାହିକାର ଉପର ଓ ତଳ ମୁଣ୍ଡ କ୍ଷେତ୍ର ପରିଦର୍ଶନ କରିଥିଲେ। ଯେଉଁଥିରେ ୨୦ରୁ ଅଧିକ ସ୍ଥାନ ପରିଦର୍ଶନ କରାଯାଇଥିଲା। କ୍ଷେତ୍ର ପରିଦର୍ଶନ ବେଳେ ଓଡ଼ିଶା ପକ୍ଷରୁ ଆଇନଜୀବୀ ଓ ବୈଷୟିକ ବିଶେଷଜ୍ଞ ଛତିଶଗଡ଼ କିଭଳି ୧୯୪୭ ବ୍ୟବସ୍ଥାର ଉଲ୍ଲଂଘନ କରି ମହାନଦୀରେ ବ୍ୟାରେଜ ନିର୍ମାଣ କରିଛି ଏବଂ ଆଗାମୀ ଦିନରେ ଛତିଶଗଡ଼କୁ ବୃହତ୍‌ କ୍ଷମତା ବିଶିଷ୍ଟ ପ୍ରକଳ୍ପ ନିର୍ମାଣ ଅନୁମତି ଦିଆ‌ଗଲେ ଓଡ଼ିଶାର ସ୍ଥିତି କିଭଳି ସଙ୍ଗୀନ ହେବ ସେ ସଂପର୍କରେ ଟ୍ରିବ୍ୟୁନାଲଙ୍କ ନିକଟରେ ଲିଖିତ ନିବେଦନ କରିଛନ୍ତି। ପ୍ରଦତ୍ତ ତଥ୍ୟଗୁଡ଼ିକ ନ୍ୟାୟ ପ୍ରଦାନରେ ଯଥେଷ୍ଟ ଗୁରୁତ୍ବ ବହନ କରିବ ବୋଲି ଓଡ଼ିଶା ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି।

nis-ad
Leave A Reply

Your email address will not be published.