ଝାରପଡା ଜେଲରେ ଜୀବନ ହାରିଲେ ଅନ୍ତେବାସିନୀ

ଭୁବନେଶ୍ୱର: ଆଜିକାଲି ଜୀବନ ହାରିବାର ବହୁତ ଘଟଣା ସାମ୍ନାକୁ ଆସୁଛି । ହେଲେ ଆଜି ଏମିତି ଏକ କାହାଣୀ ଆପଣମାନଙ୍କୁ ଜଣାଉଛୁ ତାହା ଯେତିକି କୌତୁହଳପୂର୍ଣ୍ଣ ସେତିକି ଦୁଃଖଦ ମଧ୍ୟ । ଭୁବନେଶ୍ୱର ଝାରପଡା ଜେଲ ଭିତରେ ସଜା କାଟୁଥିବା ଜଣେ ଅନ୍ତେବାସିନୀ ସୁକାନ୍ତି ଦାସ ମଙ୍ଗଳବାର ସକାଳେ ଜେଲ ଭିତରେ ଜୀବନ ହାରି ଦେଇଥିଲେ ।

ଘଟଣାଟି ଘଟିଥିଲା ମହିଳା ୱାର୍ଡ ଭିତରେ । କଣ ପାଇଁ ଏଭଳି ପଦକ୍ଷେପ ମହିଳା ଜଣଙ୍କ ନେଲେ ତାହା ଅସ୍ପଷ୍ଟ । ତେବେ ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ସୁକାନ୍ତି ଦାସ ଓରଫ ଗୁନୁ । ତାଙ୍କ ବାପ ଘର ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଥାନା ଅନ୍ତର୍ଗତ ରାଜସ ଗାଁରେ । ଚାରି ଭଉଣୀରେ ସୁକାନ୍ତି ବଡ଼ । ପ୍ରାୟ ବାର ବର୍ଷ ତଳେ ସୁକାନ୍ତିକୁ ବଡ କଷ୍ଟରେ ବାପା ମା ବାହା କରାଇଥିଲେ ଜଙ୍କିଆ ଅଂଚଳରେ ।

ଅଭିଯୋଗ ହୋଇଥିଲା କି ସାବିତ୍ରୀ ଭାର ଆଣିଥିବା ଲୋକଙ୍କ ସହଯୋଗରେ ନିଜ ପ୍ରେମିକ ସହିତ ମିଶି ନିଜ ସ୍ୱାମୀଙ୍କୁ ଶାଶୁ ଘରେ ହତ୍ୟା କରିଥିଲେ ସୁକାନ୍ତି । ଏକଥା କୋର୍ଟରେ ପ୍ରମାଣିତ ହେଲା ପରେ ଗି ୨୯.୧୧.୨୦୧୩ରେ ସୁକାନ୍ତିଙ୍କୁ ଜେଲ୍‌ ଦଣ୍ଡ ହେଲା । ସେହି ଦିନ ଠାରୁ ସେ ଗତ ୧୧ ବର୍ଷ ହେଲାଣି ସଜା କାଟୁଥିଲେ ଝାରପଡ଼ା ଜେଲ୍‌୍‌ରେ । ସ୍ୱାମୀ ହତ୍ୟା ଅଭିଯୋଗରେ ଦଣ୍ଡ ଭୋଗୁଥିବା ଏହି ମହିଳା ଝୁଲନ୍ତା ଅବସ୍ଥାରେ ମିଳିଲେ ମଙ୍ଗଳବାର ସକାଳେ । ଜେଲ ୱାର୍ଡ ଭିତରେ ତାଙ୍କ ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ ଜେଲ୍‌ କର୍ତ୍ତୃପକ୍ଷ । ଡାକ୍ତର ସେଠାରେ ଆନୁଷ୍ଠାନିକ ଭାବେ ମୃତ ଘୋଷଣା କରିଥିଲେ । ତାପରେ ସୁକାନ୍ତିଙ୍କ ମରଶରୀରକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲ ଶବଗୃହକୁ ନିଆଗଲା ।

ସେଠାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସବୁ ତନଖି ହେଲା । ସେତେବେଳେ ସେଠାରେ ସୁକାନ୍ତିଙ୍କ ବାପା ଉପସ୍ଥିତ ରହିଲେ । ହେଲେ ଯେତେବେଳେ ଘର ଲୋକ ହିସାବରେ ଝିଅର ମୃତଦେହ ନେବା କଥା ଉଠିଲା ବାପା ମନା କରି ସେଠାରୁ ଚାଲି ଗଲେ । ଶେଷରେ ସୁକାନ୍ତିଙ୍କ ଶବକୁ ଜେଲ ପୋଲିସ ଓ ଲକ୍ଷ୍ମୀ ସାଗର ଥାନା ପୋଲିସ ମିଳିତ ଭାବେ ଶେଷକୃତ୍ୟ କରାଇଲେ । ସୁକାନ୍ତି ପଶ୍ଚାତାପ ନିଆଁରେ ଜଳି ଆତ୍ମହତ୍ୟା କଲେ ନା ତାଙ୍କ ମୃତ୍ୟୁ ପଛରେ ଆଉ କିଛି କାରଣ ଅଛି ପୋଲିସ୍‌ ତାର ତଦନ୍ତ କରୁଛି । ତେବେ ସଜା କାଟିବାର ୧୧ ବର୍ଷ ପରେ ସୁକାନ୍ତି କାହିଁକି ଏମିତି କଲେ, ତାହା ଏକ ରହସ୍ୟ ।

nis-ad
Leave A Reply

Your email address will not be published.