ରାଉରକେଲା ତହସିଲ ଅଧିକାରୀଙ୍କ ଅବହେଳା, ମିଳିଲାନି ୩୦୦ ଉତ୍ତରାଧିକାରୀ ପ୍ରମାଣପତ୍ର…!

ବାଲିମାଫିଆ ଓ ଖଣି ମାଫିଆ ତହସିଲଦାରଙ୍କ ଗେଲ୍ହା ପୁଅ…!!

ରାଉରକେଲା: ଦୁର୍ନୀତି ରେ ଉବୁଟୁବୁ ରାଉରକେଲା ତହସିଲ ମୌଳିକ କାର୍ଯ୍ୟ ରୁ ବହୁତ ଦୂରରେ ମୌଳିକ ଅଧିକାର ଖଣ୍ଡେ ପାଇଁ ପାରୁନାହାନ୍ତି ଅଞ୍ଚଳ ବାସିନ୍ଦା l ରାଉରକେଲା ତହସିଲରେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଆବେଦନକାରୀଙ୍କୁ ମିଳୁନି ଉତ୍ତରାଧିକାରୀ ପ୍ରମାଣପତ୍ର। ତା’ ପୁଣି ଜଣେ କି ଦୁଇଜଣ ନୁହେଁ ୩୦୦ ଆବେଦନକାରୀଙ୍କୁ। ଗତ ଚାରି ମାସ ଅର୍ଥାତ୍‌ ଜାନୁଆରି ରୁ ଫେବ୍ରୁଆରି ମଧ୍ୟରେ ୩୦୦ ଆବେଦନକାରୀଙ୍କ ଉତ୍ତରାଧିକାରୀ ପ୍ରମାଣପତ୍ରକୁ ବିଭିନ୍ନ ଆଳ ଦେଖାଇ ନାକଚ କରି ଦିଆଯାଇଛି। ଏମିତି ସାଂଘତିକ ଅଭିଯୋଗ ଆଣିଛନ୍ତି ଆବେଦନକାରୀ ଓ ରାଉରକେଲା ବାର୍‌ ଆସୋସିଏସନ୍‌ କିଛି ଆଇନଜୀବୀ। କେବଳ ଏତିକି ନୁହେଁ ଆୟ ପ୍ରମାଣପତ୍ର, ଆବାସିକ ପ୍ରମାଣପତ୍ର ଆଦି ବିଭିନ୍ନ କାମରେ କିରାଣୀମାନେ ୩ ରୁ ୫ ହଜାର ଟଙ୍କା ଲାଞ୍ଚ ଦାବି କରୁଛନ୍ତି।

ଯେଉଁମାନେ ଦାବିମୁତାବକ ଟଙ୍କା ନେଉ ନାହାନ୍ତି, ସେମାନଙ୍କୁ ଠିକ୍‌ ସମୟରେ ପ୍ରମାଣପତ୍ର ମିଳୁନି। ବିଭିନ୍ନ ଆଳ ଦେଖାଇ ମାସ ମାସ ଧରି ଗଡାଉଥିବା ଆବେଦବକାରୀମାନେ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗକୁ ନେଇ ଆଇନଜୀବୀ କୈଳାସ ସାବତ, ରାଜକିଶୋର ପ୍ରଧାନ, ପ୍ରଦୀପ ମାଝି, ବୁଦ୍ଧିରାମ ସ୍ବାଇଁ ପ୍ରମୁଖ ତହସିଲଦାରଙ୍କ ସହ ଆଲୋଚନା କରିଥିଲେ। କେଉଁ ପରିସ୍ଥିତିରେ ୩୦୦ ଉତ୍ତରାଧିକାରୀ ପ୍ରମାଣପତ୍ରକୁ ନାକଚ କରାଗଲା, ଜାଣିବାକୁ ଚାହିଁଥିଲେ। ‌କେଉଁ କାରଣ ପାଇଁ ବିଳମ୍ବ ହେଉଛି ବା ନାକଚ କରାଯାଉଛି, ତା’ର ବିଧିବଦ୍ଧ ତଦନ୍ତ କରିବାକୁ ଦାବି କରିଛନ୍ତି। ଆଇନଜୀବୀମାନଙ୍କ କହିବାନୁଯାୟୀ ଉତ୍ତରାଧିକାରୀ ପ୍ରମାଣପତ୍ର ଆବେଦନ କରିବାର ୩୦ରୁ ୩୫ ଦିନ ମଧ୍ୟରେ ମିଳିବାର ସରକାରୀ ନିୟମ ରହିଛି।

ଆବେଦନକାରୀମାନେ ଜ‌ନସେବା କେନ୍ଦ୍ରରେ ଅନ୍‌ ଲାଇନରେ ଆବେଦନ କରୁଛନ୍ତି। ଗତ ଜାନୁଆରିରୁ ଏପ୍ରିଲ ମାସ ମଧ୍ୟରେ ୩୦୦ରୁ ଅଧିକ ଆବେଦନକାରୀ ଉତ୍ତରାଧିକାରୀ ପ୍ରମାଣପତ୍ର ଆବେଦନ କରିଛନ୍ତି। ଆର୍‌ଆଇଙ୍କ ରିପୋର୍ଟ କରିବା ସହ ଦୁଇ ଜଣ ସାକ୍ଷୀଙ୍କ ଦସ୍ତଖତ କରି ସାରିଛନ୍ତି। ପରେ ଏହି ରିପୋର୍ଟକୁ ତହସିଲଦାର ଅନ୍ୟ କେହି ଦାବିଦାର ଅଛନ୍ତି କି ନାହାନ୍ତି ଜାଣିବାକୁ ମୃତକଙ୍କ ଜନ୍ମସ୍ଥାନସ୍ଥ ତହସିଲକୁ ଇ-ମେଲ୍‌ରେ ପଠାଇଥାନ୍ତି। ମୃତକଙ୍କ ଜନ୍ମସ୍ଥାନରୁ ୩୦ ଦିନ ମଧ୍ୟରେ କିଛି ରିପୋର୍ଟ ନ ଆସିଲେ, ତହସିଲଦାର ଉତ୍ତରାଧିକାରୀ ପ୍ରମାଣପତ୍ର ଇସ୍ୟୁ କରିଥାନ୍ତି। ପୂର୍ବରୁ ରାଉରକେଲା ତହସିଲରେ ଏମିତି ଶହ ଶହ ଉତ୍ତରାଧିକାରୀ ପ୍ରମାଣପତ୍ର ଇସ୍ୟୁ ହୋଇଛି। ଏବେ ଏହାର କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଛି।

ମୃତଙ୍କ ଜନ୍ମସ୍ଥାନସ୍ଥ ତହସିଲ ରିପୋର୍ଟ ଦେଉ ନଥିବାରୁ ରାଉରକେଲାରେ ଆବେଦନକାରୀଙ୍କୁ ଉତ୍ତରାଧିକାରୀ ପ୍ରମାଣପତ୍ର ଇସ୍ୟୁ ହେଉ ନାହିଁ। ଫାଇଲ୍‌ ୪/୫ ପଡିବା ପରେ ଦାୟିତ୍ବ ଥିବା ଅଧିକାରୀ ନାକଚ କରିଦେଉଛନ୍ତି। ଗତ ୪ ମାସ ମଧ୍ୟରେ ଆବେଦନ ହୋଇଥିବା ୩୦୦ରୁ ଅଧିକ ଉତ୍ତରାଧିକାରୀ ପ୍ରମାଣପତ୍ରକୁ ନାକଚ କରାଯାଇଛି। ଫଳରେ ଆବେଦନକାରୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଅନେକ ଆବେଦନକାରୀ ତହସିଲ କାର୍ଯ୍ୟାଳୟକୁ ମାସ ମାସ ଧରି ଦୌଡୁଥିଲେ ହେଁ ବିଭାଗୀୟ ଅଧିକାରୀ ଏମାନଙ୍କ କଥା ଶୁଣୁନାହାନ୍ତି। ବିଭିନ୍ନ ଆଳ ଦେଖାଇ ଆବେଦନକାରୀଙ୍କୁ ମାସ ମାସ ଧରି ଦୌଡାଉଛନ୍ତି। ରାଉରକେଲା ତହସିଲରେ ଏଭଳି ସମସ୍ୟା ସଂକ୍ରାନ୍ତରେ ଜାଣିବାକୁ ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ କଲ୍‌ କରିଥିଲେ ହେଁ ଯୋଗାଯୋଗ ସମ୍ଭବ ହୋଇନଥିଲା। ତେବେ ରାଉରକେଲା ତହସିଲ ଏଭଳି ସମସ୍ୟାର ତୁରନ୍ତ ସ୍ଥାୟୀ ସମାଧାନ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

nis-ad
Leave A Reply

Your email address will not be published.