ନଭେମ୍ବର ସୁଦ୍ଧା କଟକ ଚଣ୍ଡୀଙ୍କ ନୂଆ ମନ୍ଦିର

କଟକ : ମା’ କଟକ ଚଣ୍ଡୀଙ୍କ ପୁରୁଣା ମନ୍ଦିରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯିବ। ସେଠାରେ ଏକ ନୂଆ ମନ୍ଦିର ନିର୍ମାଣ ହେ‌ବ। ପୁରୁଣା ମନ୍ଦିର ଅସୁରକ୍ଷିତ ହୋଇ ପଡ଼ିଥିବାରୁ ସେଠାରେ ସମ୍ପୂର୍ଣ୍ଣ ଭାବେ ଏକ ନୂଆ ମନ୍ଦିର ନିର୍ମାଣ ହେବ। କିନ୍ତୁ ମା’ କଟକ ଚଣ୍ଡୀଙ୍କ ସିଂହାସନ ସ୍ଥାନାନ୍ତର ହେବ ନାହିଁ। ମା’ ଯେଉଁଠି ପୂଜା ପାଉଛନ୍ତି, ସେହିଠାରେ ହିଁ ପୂଜା ପାଇବେ। ମା’ଙ୍କ ସିଂହାସନ ଚାରିପଟେ ଲୁହାର ଆବରଣ ରଖି ପୂଜା କରାଯିବା ସହିତ ନୂଆ ମନ୍ଦିର ନିର୍ମାଣ ହେବ। ଏହାର ନିର୍ମାଣ କାର୍ଯ୍ୟ ଆସନ୍ତା ନଭେମ୍ବର ମାସ ସୁଦ୍ଧା ଶେଷ ହେବ। ଆଜି ଚଣ୍ତୀମନ୍ଦିର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା ଅବସରରେ ପ୍ରୋଜେକ୍ଟ୍ ଇମ୍ପ୍ଲିମେ‌‌‌ଣ୍ଟେସନ୍ କମିଟି ମୁଖ୍ୟ ତଥା ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ ଏହି ସୂଚନା ଦେଇଛନ୍ତି। ମନ୍ଦିର ପାଇଁ ଆବଶ୍ୟକ ଖଣ୍ଡେଲାଇଟ୍ ପଥର ଧାର୍ଯ୍ୟ ସମୟ ମଧ୍ୟରେ ପହଞ୍ଚିଯାଇଥିବା ବେଳେ ଶିଳ୍ପୀମାନଙ୍କ ଦ୍ବାରା କାରୁକାର୍ଯ୍ୟ ଓ ଖୋଦେଇ କାମ ଆରମ୍ଭ ହୋଇଛି। ବିଶେଷକରି ନୂଆ ମନ୍ଦିରର ଉଚ୍ଚତା ପୂର୍ବ ମନ୍ଦିର ତୁଳନାରେ ଅଧିକ ରହିବ ବୋଲି ପ୍ରସ୍ତୁତ ନକ୍ସାରେ ଦର୍ଶାଯାଇଛି।

ଶନିବାର ଦିନ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ମହାନଗର ନିଗମ କମିସନର ନିଖିଲ ପୱନ କଲ୍ୟାଣ, ଓବିସିସି ମୁଖ୍ୟ ଯନ୍ତ୍ରୀ, ୱାଟ୍‌କୋ ଜେନେରାଲ ମ୍ୟାନେଜର୍‌, ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଓ ଚଣ୍ତୀମନ୍ଦିର ଟ୍ରଷ୍ଟ୍‌ ବୋର୍ଡର ସମସ୍ତ ସଦସ୍ୟ, ମନ୍ଦିର ପରିଚାଳନା କମିଟି ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ନିର୍ମାଣ କାର୍ଯ୍ୟକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ବୈଠକରେ ଗୁରୁତ୍ବ ଦିଆଯାଇଥିଲା। ପୁରୁଣା କୋଠା ଭଙ୍ଗାଯାଇ ସେବାୟତଙ୍କ ପାଇଁ ନୂତନ ଭାବେ ନିର୍ମିତ ହେଉଥିବା ବାସଗୃହ ଅଗଷ୍ଟ ମାସ ପୂର୍ବରୁ ଶେଷ କରିବା ନିମନ୍ତେ ଦାୟିତ୍ବରେ ଥିବା ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ନିର୍ମାଣାଧୀନ ମାର୍କେଟ୍ କମ୍ପ୍ଲେକ୍ସ୍ କାର୍ଯ୍ୟକୁ ନଭେମ୍ବର ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶୈଳବାଳା ମହିଳା ମହାବିଦ୍ୟାଳୟ ପରିସର ଦେଇ ନିର୍ମାଣ ଚାଲିଥିବା ରାସ୍ତା କାର୍ଯ୍ୟକୁ ୭ ଦିନ ଭିତରେ ପ୍ରସ୍ତୁତ କରି ପିଚୁ କାମ ଶେଷ କରିବା ପାଇଁ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସାଧାରଣ ଲୋକଙ୍କ ଯାଆସ ପାଇଁ ୱାନ୍‌-ୱେ ଟ୍ରାଫିକ୍ ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସହରାଞ୍ଚଳ ପୁଲିସ ମୁଖ୍ୟଙ୍କୁ ନିବେଦନ କରାଯାଇଛି। ସେହିପରି ପାଇପ୍‌ ଲାଇନ୍‌ ସ୍ଥାନାନ୍ତର, ବିଦ୍ୟୁତ୍ ଲାଇନ୍ ଟଣା, ଟ୍ରାନ୍ସଫର୍ମର୍ ସ୍ଥାପନ କାର୍ଯ୍ୟ ତୁରନ୍ତ ଶେଷ କରିବା ଲାଗି ୱାଟ୍‌କୋ ଓ ବିଦ୍ୟୁତ୍‌ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ମନ୍ଦିର ସୌନ୍ଦର୍ଯ୍ୟୀକରଣ କାମ ଯେପରି ଶୃଙ୍ଖଳିତ ଢଙ୍ଗରେ ହେବ ଏବଂ ପାଚେରି ନିର୍ମାଣ କାର୍ଯ୍ୟ ଠିକ୍‌ ସମୟରେ ହେବ ସେଥିପ୍ରତି ପ୍ରଶାସନ ଅଧିକ ଯତ୍ନବାନ ହେବ ବୋଲି ଜିଲ୍ଲାପାଳ ଶ୍ରୀ ଚୟନୀ କହିଛନ୍ତି। ଏତଦ୍‌ ବ୍ୟତୀତ ଶୈଳବାଳାର ନୂତନ ରୂପରେଖ କାର୍ଯ୍ୟ ଆରମ୍ଭ ପାଇଁ ଟେଣ୍ତର୍‌ ପ୍ରକ୍ରିୟା ଶେଷ ହୋଇଯାଇଛି। କଲେଜର ପ୍ରବେଶ ଦ୍ବାର, ଅଡିଟୋରିୟମ୍‌ ଓ ଲାଇବ୍ରେରି କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.