ଓଡ଼ିଶାର ଗର୍ଭବତୀ ମା’ଙ୍କ ସହିତ ନବଜାତ ଶିଶୁ ଓ କିଶୋର-କିଶୋରୀଙ୍କ ଅବସ୍ଥା ଚିନ୍ତାଜନକ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ତଥ୍ୟନୁସାରେ ଓଡ଼ିଶାର ଗର୍ଭବତୀ ମାଆ, ନବଜାତ ଶିଶୁ, କିଶୋର କିଶୋରୀଙ୍କ ଅବସ୍ଥା ଚିନ୍ତାଜନକ। ଓଡ଼ିଶାରେ ଗଭର୍ଣ୍ଣାନ୍ସର ଅଭାବ କାରଣରୁ ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦୈନିକ ଖବରକାଗଜରେ ପ୍ରକାଶିତ ‘ଓଡ଼ିଶା ମୁଣ୍ଡରେ ଅପପୁଷ୍ଟିର କଳଙ୍କ’ ଆଲେଖ୍ୟ ଆଧାରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ଅପପୁଷ୍ଟି, ଶିଶୁମୃତ୍ୟୁ ହାର, ମହିଳାମାନଙ୍କ ରକ୍ତହୀନତା ସମସ୍ୟା ଏକ ପ୍ରମୁଖ ପ୍ରସଙ୍ଗ । ବୟସ ଓ ଉଚ୍ଚତା ଅନୁସାରେ ନବଜାତ ଶିଶୁଙ୍କ ଶାରିରୀକ ଓ ମାନସିକ ବିକାଶ ହେଉନାହିଁ । ଜନଜାତି ପିଲା ଓ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନାହିଁ । ଏହା କେବଳ ବିରୋଧୀ ଦଳର ଅଭିଯୋଗ ନୁହେଁ ବରଂ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ସର୍ଭେର ରିପୋର୍ଟ କହୁଛି।

ଆଜି ଜନ୍ମ ନେଉଥିବା ଶିଶୁଙ୍କୁ ନେଇ ଦେଶ ଅମୃତ ମହୋତ୍ସବ ପାଳନ କରିବ। ପ୍ରାୟ ୧୩ ବର୍ଷ ପରେ ୨୦୩୬ରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ। ଅର୍ଥାତ୍ ଆଜିର ୧୦ ବର୍ଷର ପିଲା ସେ ସମୟରେ ୨୩ ବର୍ଷର ଯୁବକ ହେବ। ସେହି ପିଲାର ଦୃଢ ଇଚ୍ଛାଶକ୍ତି ବଳରେ ଓଡ଼ିଶା ପରିବର୍ତ୍ତନର ବଡ଼ ଭରସା ହେବ। ମାତ୍ର ବର୍ତ୍ତମାନରୁ ସେମାନଙ୍କର ସ୍ୱାସ୍ଥ୍ୟ ଓ ଶରୀରର ଯତ୍ନନେବାକୁ ହେବ। ମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦୀର୍ଘ ବର୍ଷ ଧରି ଅନୁରୋଧ କରାଯିବା ପରେ ମଧ୍ୟ ସେ ଏ ଦିଗ ପ୍ରତି ଧ୍ୟାନ ନ ଦେବା ଦୁଃଖର ବିଷୟ। ଓଡ଼ିଶାରେ ଗଭର୍ଣ୍ଣାନ୍ସର ଅଭାବ ରହିଛି। ମୋତେ କାଉଣ୍ଟର କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋତ ଯେତେ ଗାଳିମନ୍ଦ କଲେ ଚଳିବ କିନ୍ତୁ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଧ୍ୟାନ ଦିଆଯାଉ। ଗଭର୍ଣ୍ଣାନ୍ସ ଅଭାବକୁ ସେ ପୂରଣ କରନ୍ତୁ।

ଡବଲ ଇଞ୍ଜିନ ସରକାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇପାରିବ ନାହିଁ। ଏଠି ଫାଳେ ଇଞ୍ଜିନ ଅଛି। ଶ୍ରୀଜଗନ୍ନାଥଙ୍କ ଭୂମିରେ ଇଞ୍ଜିନ କାହାକୁ ଦିଆଯିବ ତାହା ମହାପ୍ରଭୁ ନିଷ୍ପତ୍ତି ନେବେ। ହରିୟାଣାରେ ଡବଲ ଇଞ୍ଜିନ ସରକାର ପରେ ସେଠାରେ ବାଳିକାଙ୍କ ଜନ୍ମ ସଂଖ୍ୟା ବୃଦ୍ଧି ପାଇଛି। ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ମୂଳ ପ୍ରସଙ୍ଗ ଏବଂ ତଥ୍ୟ ଆଧାରରେ ଏହାର ବିତର୍କ ହେବା ଜରୁରୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

nis-ad
Leave A Reply

Your email address will not be published.