ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସେବକ”ର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ…


ଜଳବାୟୁ ପରିବର୍ତ୍ତନର ପରି ବୈଶ୍ଵିକ ସମସ୍ୟାର ମୁକାବିଲା ସହିତ ସମାଜର ପଛୁଆ ବର୍ଗଙ୍କ ଜୀବିକା ସୁଦୃଢୀକରଣ ନିମନ୍ତେ ନିରନ୍ତର ପ୍ରୟାସ କରିବା : ପ୍ରତିଷ୍ଠାତା ଶ୍ରୀ ଗୋପାଳ ଚନ୍ଦ୍ର ଓଝା
ସୁନ୍ଦରଗଡ -୧୫/୦୫/୨୩ ସମାଜର ନିସ୍ଵଃ, ଦୁଃସ୍ଥ, ଅବହେଳିତ ଆଦିବାସୀଙ୍କ ଅଧିକାର ଉପରେ ଦକ୍ଷତା ବୃଦ୍ଧି କରିବା, ସ୍ୱାସ୍ଥ୍ୟ ଏବଂ ପରିବେଶ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା, ଉଦ୍ଯୋଗ ବିକାଶ ତଥା ଲୋକଙ୍କ ଜୀବନ ଜୀବିକାର ଚିରସ୍ଥାୟୀ ବିକାଶ କରିବାର ମହତ ଉଦ୍ଦେଶ୍ୟ ନେଇ ଆରମ୍ଭ କରାଯାଇଥିଲା ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସେବକ”। ସୁନ୍ଦରଗଡ ଜିଲ୍ଲାର କିଛି ଆଗ୍ରହୀ ଯୁବକ ଯୁବତୀ ମାନକୁ ନେଇ ତତ୍କାଳୀନ ନେହେରୁ ଯୁବ କେନ୍ଦ୍ରର ଯୁବ ସଂଯୋଜକ ଗୋପାଳ ଚନ୍ଦ୍ର ଓଝାଙ୍କ ନେତୃତ୍ବରେ ୧୯୯୫ ମସିହା ମଇ ୧୫ ତାରିଖରେ ଟାଙ୍ଗରପାଲି ବ୍ଲକର ରଙ୍ଗିଆମୁଣ୍ଡା ଗ୍ରାମରେ ଅୟମାରମ୍ଭ ହୋଇଥିଲା ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସେବକ”ର। ଏହି ଅବସରରେ ଆଜି ସେବକର ୨୯ ତମ ପ୍ରତିଷ୍ଠା ଦିବସ ସେବକର ଆଞ୍ଚଳିକ ସାଧନ କେନ୍ଦ୍ର ଠାରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭର୍ଟୁଆଲ ମୋଡରେ ଯୋଗଦାନ କରି ସେବକର ପ୍ରତିଷ୍ଠାତା ଶ୍ରୀ ଗୋପାଳ ଚନ୍ଦ୍ର ଓଝା ସମାଜର ପଛୁଆବର୍ଗ, ଅବହେଳିତ, ନିଷ୍ପେଷିତ, ଗରିବ ଆଦିବାସୀଙ୍କ ବିକାଶ ନିମନ୍ତେ ସେବକର ଭୂମିକା ଅତି ଗୁରୁତ୍ଵପୂର୍ଣ୍ଣ ବୋଲି ମତ ପ୍ରଦାନ କରିଥିଲେ। ଶ୍ରୀ ଓଝା ବିଶ୍ୱବ୍ୟାପି ବର୍ତ୍ତମାନର ସମୟର ମୁଖ୍ୟ ସମସ୍ଯା ଜଳବାୟୁ ପରିବର୍ତ୍ତନ ସଙ୍ଗେ ସଙ୍ଗେ ବିଶ୍ଵ ତପନକୁ ମୁକାବିଲା କରିବା ନିମନ୍ତେ ଏକଜୁଟ ହେବା ସହିତ ତୃଣମୂଳ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବା ନିମନ୍ତେ ଆହ୍ଵାନ ହେଇଥିଲେ। ଅନ୍ଯତମ ସ୍ଵତନ୍ତ୍ର ବକ୍ତା ଭାବରେ ଯୋଗଦାନ କରି ସେବକର ଉପଦେଷ୍ଠା ଜ୍ଞାନରଞ୍ଜନ ଷଡଙ୍ଗୀ ସମ୍ପ୍ରତି ପ୍ରଦୂଷଣ ସମସ୍ଯାରେ ରାଜ୍ୟର ସ୍ଥିତି ଉଦ୍ବେଗଜନକ ରହିଥିବାରୁ ଅଧିକରୁ ଅଧିକ ବରଗଛ ଲଗାଇବା ତଥା ଜଙ୍ଗଲ ସୃଷ୍ଟି କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ରାଜ୍ୟର ତଥା ଜିଲ୍ଲାର ଜୀବନରେଖା ଭାବରେ ପରିଚିତ ବିଭିନ୍ନ ନଦୀ ଓ ଉପନଦୀ ଅବବାହିକାର ଉନ୍ନତି ନିମନ୍ତେ ଆଗାମୀ ଦିନରେ ସେବକ କାର୍ଯ୍ୟ କରିବ ବୋଲି ଶ୍ରୀ ଷଡଙ୍ଗୀ ଆଶା ପ୍ରକାଶ କରିଥିଲେ। ସୁଦୂର ଦିଲ୍ଲୀର ଏମ୍ସରୁ ସେବକର ଅନ୍ଯତମ ଉପଦେଷ୍ଟା ବିଜୟାନନ୍ଦ ନାଏକ, ରଙ୍ଗିଆମୁଣ୍ଡାର ଉପଦେଷ୍ଟା ଫୁଲେଶ୍ଵର ନାଏକ ପ୍ରମୁଖ ଶୁଭେଚ୍ଛା ଜ୍ଞାପନ କରିବା ସହ ସେବକର ଉତ୍ତୋରାତ୍ତର ଉନ୍ନତି କାମନା କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସେବକର ଅଧ୍ୟକ୍ଷ ଅମୀୟକାନ୍ତ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଅନୁଷ୍ଠାନର ସଂଘର୍ଷ, ମୂଲ୍ଯବୋଧ, ଅନୁଭୂତି ତଥା ଭବିଷ୍ୟତ ଯୋଜନା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାପରେ ସେବକର ବରିଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ଦିଗାମ୍ବର ଉପାଧ୍ୟାୟ ପାୱାର ପଏଣ୍ଟ ମାଧ୍ୟମରେ ସେବକର ୨୦୨୨-୨୩ ଆର୍ଥିକ ବର୍ଷର ଜୀବନ ଜୀବିକା, ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ସମ୍ବଳର ସୁପରିଚାଳନା ଓ ଦକ୍ଷତାବୃଦ୍ଧି ସମ୍ପର୍କିତ ବିଭିନ୍ନ କାର୍ଯ୍ଯକ୍ରମ ସହିତ ବିଭିନ୍ନ ପ୍ରକଳ୍ପର ଉଲ୍ଲେଖନୀୟ ସଫଳତା ତଥା ସଫଳ କାହାଣୀ ଉପରେ ସମ୍ବନ୍ଧରେ ଉପସ୍ଥାପନ କରିଥିଲେ। ଏହାପରେ ସ୍ୱାସ୍ଥ୍ୟ ବିଭାଗର ପ୍ରୋଗ୍ରାମ ମ୍ୟାନେଜର ସଞ୍ଜୁ ପଟେଲ ସ୍ୱାସ୍ଥ୍ୟର ଉନ୍ନତି ଉପରେ ସେବକ ଦ୍ଵାରା କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ। ସେବକର ସମ୍ପାଦକ ପ୍ରଦୀପ କୁମାର ବ୍ରହ୍ମ ଉଦଯାପନୀ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସ୍ନେହଳତା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ସେବକର ବେଦବ୍ୟାସ ଧୃଆ ସଭା ପରିଚାଳନା କରିଥିବା ବେଳେ ସେବକର ପ୍ରତ୍ଯେକ ପ୍ରକଳ୍ପର କର୍ମକର୍ତ୍ତା, ଉପଦେଷ୍ଟା, ଶୁଭଚିନ୍ତକ ମାନେ ଉଭୟ ପ୍ରତ୍ଯକ୍ଷ ଓ ଭର୍ଟୁଆଲ ମୋରେ ଯୋଗଦାନ କରିଥିଲେ।
ବିଶ୍ବରଂଜନ ହୋତା
ସୁନ୍ଦରଗଡ

nis-ad
Leave A Reply

Your email address will not be published.