ରାଜ୍ୟରେ ଅଚଳ ହେଲା ୫୧ ହଜାରରୁ ଅଧିକ ସିମ୍‌‌, ୨୪୧୭ ଡିଲର୍‌ଙ୍କୁ କଳା ତାଲିକାଭୁକ୍ତ କଲା ଟେଲିକମ୍‌‌ ବିଭାଗ

ଭୁବନେଶ୍ୱର : ଏଣିକି ମନ୍ଦ ଉଦ୍ଦେଶ୍ୟାରେ ସିମ୍‌‌ କାର୍ଡ ସଂଯୋଗ ନେବା ଆଉ ତାକୁ କାମରେ ଲଗାଇବା ସହଜ ହେବ ନାହିଁ। କିଛି ବି ଜାଲିଆତି ହୋଇଥିଲେ ଧରାପଡ଼ିବା ସୁନିଶ୍ଚିତ। ଏଥିପାଇଁ ଓଡ଼ିଶା ଟେଲିକମ୍‌‌ ବିଭାଗ ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଣ୍ଡ ଫେସିଆଲ ରେକଗନିସନ୍‌‌ ପାୱାରଡ୍‌‌ ସଲ୍ୟୁସନ୍‌‌ ଫର ଟେଲିକମ୍‌‌ ସିମ୍‌‌ ସବସ୍କ୍ରାଇବର୍‌‌ ଭେରିଫିକେସନ୍‌‌ (ଏଏସ୍‌‌ଟିଆର) ପଦ୍ଧତ୍ତିର ବ୍ୟବହାର ଆରମ୍ଭ କରିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଅବା କୃତ୍ରିମ ବୁଦ୍ଧିମତା ନକଲି ମୋବାଇଲ୍‌‌ ଗ୍ରାହକଙ୍କୁ ଠାବ କରିବାରେ ସଫଳ ମଧ୍ୟ ହୋଇଛି।

କିଛି ଦିନ ମଧ୍ୟରେ ଓଡ଼ିଶାରେ ୫୧୨୬୦ ସିମ୍‌‌ କାର୍ଡ ଅଚଳ କରାଯାଇଛି। ଅଚଳ ହୋଇଥିବା ସିମ୍‌‌ କାର୍ଡ ବିଭିନ୍ନ ମୋବାଇଲ୍‌‌ ସେବା ପ୍ରଦାନକାରୀ କମ୍ପାନୀ ଜାରି କରିଥିଲେ। ସେହିପରି ନକଲି ସିମ୍‌‌ ଯୋଗାଣ କରିବା ଅଭିଯୋଗରେ ଟେଲିକମ୍‌‌ ବିଭାଗ ପକ୍ଷରୁ ୨୪୧୭ ବିକ୍ରେତାଙ୍କୁ କଳା ତାଲିକାଭୁକ୍ତ କରାଯାଇ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି।

ସାଇବର ଅପରାଧ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ମୋବାଇଲ୍‌‌ ଫୋନ୍‌‌ ଏଥିରେ ପ୍ରମୁଖ ଅସ୍ତ୍ର ସାଜିଛି। ତେଣୁ ନକଲି ସିମ୍‌‌ କାର୍ଡ ବିରୋଧରେ ଅଭିଯାନ ଆରମ୍ଭ ପାଇଁ ଓଡ଼ିଶା ଟେଲିକମ୍‌‌ ସର୍କଲ ପକ୍ଷରୁ ଏଏସ୍‌‌ଟିଆର କୌଶଳର ଉପଯୋଗ କରାଯାଉଛି। ଓଡ଼ିଶା ଟେଲିକମ୍‌‌ ସର୍କଲର ଅତିରିକ୍ତ ମହାନିର୍ଦ୍ଦେଶକ ବିକେ ନାୟକ ଏକ ପ୍ରେସ୍‌‌ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ଯେ ସାଇବର ଅପରାଧ ଉପରେ ଅଙ୍କୁଶ ଲଗାଇବାକୁ ହେଲେ ଆମକୁ ନକଲି, ଅବୈଧ ସିମ୍‌‌ କାର୍ଡ ଧରିବା ଜରୁରୀ। ଏହି କ୍ରମରେ ଆମେ ଏଏସ୍‌‌ଟିଆର ବ୍ୟବହାର ଆରମ୍ଭ କରିଛୁ। ଏହି ବ୍ୟବସ୍ଥାରେ ମୁହଁ ଚିହ୍ନଟ ବ୍ୟବସ୍ଥା ରହିଛି ଯାହା ସବୁ କମ୍ପାନୀର ସିମ୍‌‌ କାର୍ଡ ବ୍ୟବହାରକାରୀଙ୍କ ଡାଟାବେସ୍‌‌କୁ ଅନୁଶୀଳନ କରିଥାଏ।

ଜଣ ଜଣ କରି ପ୍ରତ୍ୟେକ ସିମ୍‌‌ ବ୍ୟବହାରକାରୀଙ୍କ ଫଟୋକୁ ଅନ୍ୟ ବ୍ୟବହାରକାରୀଙ୍କ ଫଟୋ ସହିତ ମେଳ କରାଯାଏ। ଯଦି ସମାନ ଗ୍ରାହକଙ୍କ ଫଟୋ ଏକାଧିକ ନାମ ସହିତ ସଂଯୋଗ ହୋଇଥାଏ ତା ହେଲେ ତୁରନ୍ତ ଧରାପଡ଼ିଯାଏ। ସନ୍ଦିଗ୍ଧ ସିମ୍‌‌ କାର୍ଡ ଗୁଡିକୁ ସମ୍ପୃକ୍ତ ସେବା ପ୍ରଦାନକାରୀ କମ୍ପାନୀ ଦ୍ୱାରା ଏକାଧିକ ବାର ଯାଞ୍ଚ କରିବା ପରେ ଅଚଳ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା। ବେଆଇନ୍‌‌ ଭାବେ ବ୍ୟବହୃତ ସିମ୍‌‌ ଯୋଗାଣ କରିଥିବା ଡିଲର୍‌‌ଙ୍କୁ ମଧ୍ୟ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.