ଜଳୁଛି ପାକିସ୍ତାନ, ସେନା ମୁଖ୍ୟାଳୟରେ ପଶିଲେ ଆନ୍ଦୋଳନକାରୀ

ଇସ୍ଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ୍ ଖାନଙ୍କୁ ମଙ୍ଗଳବାର ଗିରଫ କରାଯିବା ପରେ ସମଗ୍ର ପାକିସ୍ତାନରେ ହିଂସା ବ୍ୟାପିବାରେ ଲାଗିଛି । ଇସ୍ଲାମାବାଦ, ଲାହୋର, କରାଚି, ରାଓ୍ବଲପିଣ୍ଡି ଆଦି ପାକିସ୍ତାନର ବିଭିନ୍ନ ସହରରେ ହିଂସା ବ୍ୟାପିବାରେ ଲାଗିଛି । ପିଟିଆଇ କର୍ମୀ ଓ ଅନ୍ୟ ବିକ୍ଷୋଭକାରୀମାନେ ସେନା ଓ ପୁଲିସ ବିରୋଧରେ ସ୍ଲୋଗାନ ଦେବା ସହ ପୁଲିସ କର୍ମୀଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆନ୍ଦୋଳନକାରୀମାନେ ରାଓ୍ବଲପିଣ୍ଡିଠାରେ ଥିବା ସେନା ମୁଖ୍ୟାଳୟ ( ଜିଏଚକ୍ୟୁ) ଗେଟ୍ ଭାଙ୍ଗି ଭିତରେ ପଶି ଭଙ୍ଗାରୁଜ୍ଜା କରିଛନ୍ତି । ସେହିପରି ଲାହୋର, କ୍ବେଟା, ପେଶାଓ୍ବର, ଗୁଜରନଓ୍ବାଲାରେ ଥିବା ସେନାର କ୍ୟାଣ୍ଟନମେଣ୍ଟଗୁଡ଼ିକରେ ଆନ୍ଦୋଳନକାରୀମାନେ ପ୍ରବେଶ କରି ଭଙ୍ଗାରୁଜ୍ଜା କରିଛନ୍ତି ।
ଲାହୋରରେ ଥିବା ପାକିସ୍ତାନ ସେନାର କୋର୍ କମାଣ୍ଡରଙ୍କ ବାସଭବନରେ ଆନ୍ଦୋଳନକାରୀମାନେ ପ୍ରବେଶ କରି ଭଙ୍ଗାରୁଜ୍ଜା ଓ ଜଳାପୋଡ଼ା କରିଛନ୍ତି ।
କରାଚିରେ ଲୋକମାନେ ପୁଲିସ କର୍ମୀମାନଙ୍କୁ ପିଟୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅନ୍ୟପକ୍ଷରେ ଆନ୍ଦୋଳନକାରୀମାନଙ୍କୁ ଘଉଡ଼େଇବାକୁ ପୁଲିସକୁ ଗୁଳିଚାଳନା କରିବାକୁ ପଡ଼ିଛି ।
ସେହିପରି ଇସ୍ଲାମାବାଦରେ ଆନ୍ଦୋଳନକାରୀମାନେ ଜଳାପୋଡ଼ା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସହରରେ ଧାରା ୧୪୪ ଲଗାଯାଇଛି ।
ଗୋଟିଏ ପଟେ ପିଟିଆଇ କର୍ମୀମାନେ ହିଂସାକାଣ୍ଡ ଚଳାଇଥିବାବେଳେ ଅନ୍ୟପକ୍ଷରେ ଦଳର ବରିଷ୍ଠ ନେତା ଶାହ ମେହମୁଦ କୁରେସୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ନିବେଦନ କରିଛନ୍ତି ।

nis-ad
Leave A Reply

Your email address will not be published.