ବିଶ୍ଵ ରେଡ୍‌କ୍ରସ୍ ଦିବସ ପାଳିତ : ୭୬ ୟୁନିଟ୍ ରକ୍ତ ସଂଗ୍ରହ

ଫୁଲବାଣୀ : ଦୁଃଖ ଦୁର୍ଦ୍ଦଶା ତଥା ରୋଗର ଦୌରାତ୍ମରୁ ମୁକ୍ତି କରି ଜୀବନକୁ ସରସ ସୁନ୍ଦର କରିବା ସହିତ ଏକ ସୁସ୍ଥ ପରିବେଶ ଆଡ଼କୁ ମୁହାଁଇବା ପାଇଁ ବରଦାନ ସ୍ବରୂପ ଯୋଉଁ ସଂସ୍ଥାଗୁଡ଼ିକ ଆମଙ୍କୁ ସାହାଯ୍ୟ ଓ ସହଯୋଗ କରେ ସେଗୁଡ଼ିକୁ ସେବା ସଂସ୍ଥାରେ ପର୍ଯ୍ୟାୟଭୁକ୍ତ କରାଯାଇଥାଏ । ସେହି ସଂସ୍ଥା ଗୁଡ଼ିକ ମଧ୍ୟରୁ ରେଡ୍‌କ୍ରସ୍ ଅନ୍ୟତମ । ଆନ୍ତର୍ଜାତୀକ ଖ୍ୟାତିସମ୍ପନ୍ନ ରେଡ୍‌କ୍ରସ୍ ସଂସ୍କାର ପ୍ରତିଷ୍ଠାତା ହେନେରି ଡୁନାଣ୍ଟଙ୍କର ଜନ୍ମଦିନକୁ ସାରା ବିଶ୍ବରେ ରେଡ଼କ୍ରସ ଦିବସ ରୂପେ ପାଳନ କରାଯାଉଛି । ଏହି କ୍ରମରେ,ଭାରତୀୟ ରେଡ୍‌କ୍ରସ୍ ସମିତି, କନ୍ଧମାଳ ଜିଲ୍ଲା ଶାଖା ତରଫରୁ ଫୁଲବାଣୀ ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନଠାରେ ବିଶ୍ଵ ରେଡ୍‌କ୍ରସ୍ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ କହିଲେ, ଏହି ସଂସ୍ଥା ସ୍ୱାସ୍ଥ୍ୟର ବିକାଶ, ନିଃସ୍ବାର୍ଥପର ସେବାଭାବ, ଆନ୍ତର୍ଜାତୀକ ମିତ୍ରତା, ବନ୍ୟା ବାତ୍ୟା ଓ ମରୁଡ଼ି ପ୍ରଭୃତି ପ୍ରାକୃତିକ ଦୁର୍ବିପାକରେ ଅକୁଣ୍ଠ ସାହାଯ୍ୟ ଓ ସହଯୋଗର ହାତ ବଡ଼ାଇଥାଏ ସତେ ଯେପରି ସମଗ୍ର ମାନବ ସମାଜ ଏମାନଙ୍କର ବନ୍ଧୁ । ବାସ୍ତବିକ୍ ସେବା ଏମାନଙ୍କର ଜୀବନର ମୂଳମନ୍ତ୍ର। କାରଣ ସେବାର ବିକଳ୍ପ ନାହିଁ। କନ୍ଧମାଳ ଜିଲ୍ଲା ଶାଖାର ସମ୍ପାଦକ ତଥା ଡେପୁଟି କଲେକ୍ଟର ପ୍ରଦ୍ୟୁମ୍ନ ମଣ୍ଡଳ କହିଲେ, ଜିଲ୍ଲାର ଗରୀବ ଲୋକମାନଙ୍କୁ ଚିକିତ୍ସା ପାଇଁ ରେଡ୍‌କ୍ରସ୍‌ ପାଣ୍ଠିରୁ ଟଙ୍କା ଦିଆଯାଉଛି । ସେହିପରି ଅନ୍ୟାନ୍ୟ ପ୍ରାକୃତିକ ଦୁର୍ବିପାକରେକ୍ଷତି ସହୁଥିବା ଲୋକଙ୍କୁ କିମ୍ବା ତାଙ୍କ ପରିବାରକୁ ମଧ୍ୟ ଏହି ପାଣ୍ଠିରୁ ସାହାଯ୍ୟ କରାଯାଉଛି । ସେଥିପାଇଁ ବିଭିନ୍ନ ସଂସ୍ଥା, ବିଭାଗ ଏବଂ ବ୍ୟକ୍ତି ବିଶେଷଙ୍କ ଠାରୁ ଅର୍ଥରାଶି ସଂଗ୍ରହ କରାଯାଉଛି । ଏହା ଏକ ମହତ ଦାନ କାରଣ ଏହି ଟଙ୍କାରେ ନିହାତି ଅଭାବୀ ଲୋକମାନଙ୍କୁ ସହାଯ୍ୟ କରାଯାଉଛି l ବେସାମରିକ ଯୋଗାଣ ଅଧିକାରୀ ଅନାଥ ଚରଣ ସ୍ବାଇଁ ୧୮୫୯ ମସିହା ଅଷ୍ଟ୍ରିଆ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ସାଲ୍ଫେରେନ୍ ଯୁଦ୍ଧରେ ଓ ଆହତ ସୈନିକଙ୍କ ଦୁଃଖ ଦୁର୍ଦ୍ଦଶା କିପରି ଡକ୍ଟର ହେନେରି ଡୁନାଣ୍ଟଙ୍କର ମନକୁ ବିଚଳିତ କରିଥିଲା ଓ ସେ ଗ୍ରାମବାସୀଙ୍କୁ ଏକାଠିକରି ସୈନିକ ମାନଙ୍କର ସେବା କରିଥିଲେ ଏବଂ ଆନ୍ତର୍ଜାତୀକ ସ୍ତରରେ ସେବା ସଂସ୍ଥା ଗଠନ ଉପରେ ଦେଇଥିଲେ ସେ ବିଷୟରେ ଆଲୋଚନା କରିଥିଲେ।ବିଭିନ୍ନ ବିଭାଗ ମାଧ୍ୟମରେ ରେଡ୍‌କ୍ରସ୍‌ ପାଇଁ ପାଣ୍ଠି ସଂଗ୍ରହ କରାଯାଉଛି । ବେସାମରିକ ଯୋଗାଣ ଅଧିକାରୀ ଅନାଥ ଚରଣ ସ୍ବାଇଁ ସର୍ବାଧିକ ୩ ଲକ୍ଷ ୪୧ ହଜାର ଟଙ୍କା ଆଦାୟ କରି ରେଡ୍‌କ୍ରସର ଜିଲ୍ଲା ଶାଖାକୁ ଦାନ କରି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଅବକାରୀ ଅଧ୍ୟକ୍ଷକ ପ୍ରବୀର କୁମାର ସାମଲ ୩ ଲକ୍ଷ ୬ ହଜାର ଟଙ୍କା ଦାନ କରି ଦ୍ବିତୀୟ ସ୍ଥାନ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଶ୍ରୀମତୀ ପ୍ରଭାତୀ ମହାରଣା ୨ ଲକ୍ଷ ୫୯ ହଜାର ଟଙ୍କା ଦାନ କରି ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ସାହୁଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ । ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସେଠୀ, ଡେପୁଟି କଲେକ୍ଟର ରବିନ୍ ଚର୍ଜିଲ୍ ମିଶ୍ର, ଶ୍ରୀମତୀ ଅନୀତା ସାହୁ, ରାଜ୍ୟ ରେଡ୍‌କ୍ରସ୍‌ର ଆଜୀବନ ସଭ୍ୟ ତଥା ଜିଲ୍ଲାର ବରିଷ୍ଠ ରକ୍ତଦାତାଙ୍କ ସମେତ ତାଲିମ ଅନୁଷ୍ଠାନର ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ଉକ୍ତ ବୈଠକରେ ଉପସ୍ଥିତ ଥିଲେ ।ଏହି ଦିବସ ଉପଲକ୍ଷେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନଠାରେ ଆଜି ଏକ ରକ୍ତ ଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ୭୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା l ରକ୍ତ ସଂଗ୍ରହ ସମୟରେ ଡାକ୍ତର ଜୟଦୀପ୍ ଘୋଷଙ୍କୁ ଲାବୋରେଟୋରି ଟେକ୍ନିସିଆନ୍ ଦୀନକୃଷ୍ଣ ମହନ୍ତ ,ଷ୍ଟାଫ୍ ନର୍ସ ଅର୍ଚ୍ଚନା ପ୍ରଧାନ ଏବଂ ତାଲିମ ଅନୁଷ୍ଠାନର ଶିକ୍ଷକ ଓ କର୍ମଚାରୀ ତଥା ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.