ହଳଦୀ ଚାଷ ଓ ଚାଷୀଙ୍କ ସୁରକ୍ଷା ନେଇ ବୈଠକ ସହ ଦାବିପତ୍ର ପ୍ରଦାନ…

ଦାରିଙ୍ଗବାଡି (୪/୫) : ଦାରିଙ୍ଗବାଡି ସ୍ଥିତ ସାରିଂରିପି ସଭାଗୃହ ଠାରେ କନ୍ଧମାଳ ହଳଦୀ ଚାଷୀ ସଂଗଠନ ଓ ଦାରିଙ୍ଗବାଡି କୃଷକ ମହାସଂଗଠନ ପକ୍ଷରୁ ହଳଦୀ ଚାଷ ଓ ଚାଷୀଙ୍କ ସୁରକ୍ଷା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ହଳଦୀ ଚାଷୀ ସଂଗଠନର ସଭାପତିଙ୍କ ନେତୃତ୍ୱ କ୍ରମେ ଏହି ବୈଠକରେ ବିଦ୍ୟାଧର ମଲିକ, ଜାକେସ ପ୍ରଧାନ, ପ୍ରଫୁଲ ଦିଗାଲ, ମିନୁରା ପ୍ରଧାନ, ଏଲିଆସ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । କନ୍ଧମାଳ ହଳଦୀ ଭାରତ ସରକାରଙ୍କ ଦ୍ୱାରା ଭୌଗୋଳିକ ସୂଚକ ମାନ୍ୟତା ପାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ହଳଦୀ ମୂଲ୍ୟ ବୃଦ୍ଧି ହେଉନାହିଁ । ଚାଷୀ ମାଛ ଶାଗ ଦରରେ ହଳଦୀ ବିକ୍ରି କରୁଛନ୍ତି । ହଳଦୀ ଚାଷ ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହଉଚି ତାହାର ଉଚିତ ମୂଲ୍ୟ ପାଇବାରୁ ଚାଷୀ ଆଜି ବଞ୍ଚିତ । ଏନେଇ ବାରମ୍ବାର ଦାବୀ ହେଉଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସରକାର ଏଥି ପ୍ରତି ଦୃଷ୍ଟି ଦେଉନାହାନ୍ତି । ଯାହାରି ଫଳରେ ଚାଷୀ ମାନେ ପୁଣି ଆନ୍ଦୋଳନ କୁ ଓହ୍ଲାଇବ ପାଇଁ ପ୍ରସ୍ତୁତି ହେଉଛନ୍ତି । ବୈଠକରେ ହଳଦୀ ଚାଷ ଓ ଚାଷୀଙ୍କ ସୁରକ୍ଷା ନେଇ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା ।

ହଳଦୀ କିଲୋ ପ୍ରତି ସର୍ବନିମ୍ନ ମୁଲ୍ୟ ୧୦୦ ଟଙ୍କା , ଚାଷୀ ଙ୍କୁ ଆର୍ଥିକ ପ୍ରୋତ୍ସାହନ, ପ୍ରତ୍ୟେକ ପଞ୍ଚାୟତରେ ମଣ୍ଡି ବ୍ୟବସ୍ଥା, ଦାରିଙ୍ଗବାଡି ଓ ରାଇକିଆ ରେ ହଳଦୀ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା, ବିନା ସୁଧରେ ରୁଣ ପ୍ରଦାନ, ଚାଷୀ ଙ୍କୁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବିମା ଓ ୫ ଲକ୍ଷ ଟଙ୍କାର ଜୀବନ ବୀମା ପ୍ରଦାନ, ବିନା ମୂଲ୍ୟରେ କୃଷି ଯନ୍ତ୍ରପାତି ପ୍ରଦାନ, ହଳ କରିବା ପାଇଁ ୨ ଗୋଟି ବଳଦ ପ୍ରଦାନ, ହଳଦୀ ଚାଷୀ ପିଲାଙ୍କୁ ସ୍ଵତନ୍ତ୍ର ଭାବରେ ଶିକ୍ଷା କ୍ଷେତ୍ରରେ ଅଗ୍ରାଧିକାର ଓ କସମ୍ ଅନୁଷ୍ଠାନ ବ୍ୟବସାୟଙ୍କ ଠାରୁ ହଳଦୀ ନକିଣି ସିଧା ସଳଖ ଚାଷୀଙ୍କ ଠାରୁ ହଳଦୀ କ୍ରୟ କରିବା ଭଳି ଦାବି ହୋଇଥିଲା । ଏନେଇ ଉକ୍ତ ଦାବିପତ୍ର ଦାରିଙ୍ଗବାଡି ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଙ୍କୁ ଦାବିପତ୍ର ପ୍ରଦାନ କରାଯିବା ନେଇ ଆଲୋଚନା ହୋଇଥିଲା ।

nis-ad
Leave A Reply

Your email address will not be published.