୨୦୧୮ ପରଠାରୁ ସବୁ ଖରାଦିନିଆ ବାତ୍ୟା ପୂର୍ବ-ଭାରତ ମୁହାଁ ହୋଇଛନ୍ତି : ସ୍କାଏମେଟ୍

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଆସୁଥିବା ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶା ସମେତ ସମଗ୍ର ପୂର୍ବ ଭାରତର ଲୋକମାନେ ଆଶଙ୍କିତ ଥିବାବେଳେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ନିଜର ପୂର୍ବାନୁମାନ ଜାରି କରିଛି ।
ସ୍କାଏମେଟ ପକ୍ଷରୁ କୁହାଯାଇଛି ଯେ, ମେ ୫ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ମେ’ ୬-୭ ବେଳକୁ ଏହା ଲଘୁଚାପରେ ପରିଣତ ହେବ ବୋଲି ଅନୁମାନ କରାଯାଉଛି। ୮ ତାରିଖ ରାତି ବେଳକୁ ଲଘୁଚାପ ଗଭୀର ଅବପାତ ଓ ପରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । କିନ୍ତୁ ବାତ୍ୟା ରୂପ ନେବା ପରେ ହିଁ ଏହାର ଗତିପଥ ସଂପର୍କରେ ସ୍ପଷ୍ଟଭାବେ କହିହେବ । ଏଣୁ ଏବେ ଠାରୁ ଏହା କହିହେବ ନାହିଁ ଯେ ସମ୍ଭାବ୍ୟ ବାତ୍ୟା ଭାରତର ପୂର୍ବ ଉପକୂଳ କିମ୍ବା ବାଂଲାଦେଶ-ମିଆଁମାର ଆଡ଼କୁ ଯିବ।
ତେବେ ୨୦୧୦ ପରଠାରୁ ବଙ୍ଗୋପସାଗରରେ ଅନେକ ଖରାଦିନିଆ ବାତ୍ୟା ସୃଷ୍ଟି ହୋଇଛି । ଏଗୁଡ଼ିକ ମଧ୍ୟରୁ କେତେକ ସମୁଦ୍ର ମଧ୍ୟରେ ହିଁ ସୀମିତ ରହିଥିବାବେଳେ ଆଉ କେତେକ ଉପକୂଳରେ ମାଡ଼ ହୋଇଛନ୍ତି । କିନ୍ତୁ ଏସବୁ ବାତ୍ୟାରେ ଏକ ନୂଆ ଧାରା ଦେଖିବାକୁ ମିଳିଛି । ତାହା ହେଉଛି ୨୦୧୮ ଓ ତା ପୂର୍ବରୁ ଏସବୁ ବାତ୍ୟା ବାଂଲାଦେଶ-ମିଆଁମାର ଆଡ଼କୁ ଯାଉଥିଲା । କିନ୍ତୁ ୨୦୧୮ ପରଠାରୁ ଏସବୁ ଖରାଦିନିଆ ବାତ୍ୟା ପୂର୍ବଭାରତ ମୁହାଁ ହେଉଛନ୍ତି । ୨୦୧୯ରେ ଫନି, ୨୦୨୦ରେ ଅମ୍ଫାନ, ୨୦୨୧ରେ ୟାସ୍ ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟ ଓଡ଼ିଶା, ଆନ୍ଧ୍ର ଓ ପଶ୍ଚିମବଙ୍ଗ ଆଡ଼କୁ ଆସି ପ୍ରବଳ କ୍ଷୟକ୍ଷତି ଘଟାଇଥିଲା ।

nis-ad
Leave A Reply

Your email address will not be published.