ଜିଲ୍ଲାର ୧୫୮ ଜଣ ସଂଗଠିତ ଶ୍ରମିକଙ୍କୁ ୫୬ ଲକ୍ଷ ୫୩ ହଜାର ୬୦୦ ଟଙ୍କାର ଅର୍ଥ ରାଶି ସହାୟତା ପ୍ରଦାନ

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ମାଲକାନଗିରି, (୦୧/୦୫) : ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆନୁକୂଲ୍ୟରେ ପୌର ପରିଷଦ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଛି । ରାଷ୍ଟ୍ର ଗଠନରେ ଶ୍ରମିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶ୍ରମିକ ନ ଥିଲେ ସାରା ବିଶ୍ୱ ଆଜି ସମସ୍ୟାରେ ପଡିଥାନ୍ତା। ବିନା ଶ୍ରମିକରେ ଗାଁଠାରୁ ସହର ପର୍ଯ୍ୟନ୍ତ କୌଣସି ଘରୋଇ ହେଉ କି ସାମୂହିକ କାର୍ଯ୍ୟ ହୋଇପାରି ନ ଥାନ୍ତା ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ତାଙ୍ଗୁଲ, ସମ୍ମାନୀତ ଅତିଥି ଭାବେ ବିଧାୟକ ମାଲକାନଗିରି, ଶ୍ରୀ ଆଦିତ୍ୟ ମାଢି, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ, ଡ଼ାକ୍ତର ସନ୍ଧ୍ୟାରାଣୀ ପଟ୍ଟନାୟକ
, ମୁଖ୍ୟବକ୍ତା ଭାବେ ଉପଜିଲ୍ଲପାଳ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ , ଜିଲ୍ଲା ଶ୍ରମ ଅଧିକାରୀ , ଶ୍ରୀ ଶରତ କୁମାର ପାଣିଗ୍ରାହୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶ୍ରୀ ନାରାୟଣ ଦାସ ମଞ୍ଚାସୀନ ଥିଲେ। ରାଜ୍ୟ ସରକାରଙ୍କ ଶ୍ରମ ସମ୍ବନ୍ଧୀୟ ବିଭିନ୍ନ ଯୋଜନା ସଚେତନତା ମାଧ୍ୟମରେ ଶ୍ରମିକ ଭାଇଭଉଣୀଙ୍କ ନିକଟରେ ପହଂଚିବାର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ତାଙ୍ଗୁଲ ଏହି ଅବସରରେ ମତବ୍ୟକ୍ତ କରିଥିଲେ। ସେହିପରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ଉପସ୍ଥିତ ଶ୍ରମିକମାନଙ୍କୁ ସରକାରଙ୍କ ଯୋଜନାର ସୁବିଧା ସୁଯୋଗର ଲାଭ ଉଠାଇବା ସହ ସେମାନଙ୍କୁ ନିଜ ଅଧିକାର ବିଷୟରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ। ଶ୍ରମ ଏବଂ ଶ୍ରମଦାନ ବିଷୟରେ ଉଦବୋଧନ ଦେଇ ଉପଜିଲ୍ଲାପାଳ ଶ୍ରୀ ଖେମୁଣ୍ଡୁ ଶ୍ରମିକ ମାନଙ୍କର ସମାଜରେ ଶ୍ରମର ମୂଲ୍ୟ ବିଷୟରେ ଗୁରୁତ୍ୱାରୋପ କରିଥିଲେ। ଶିଶୁ ମାନେ ହେଉଛନ୍ତି ଆଗାମୀ ଦିନର ଭବିଷ୍ୟତ। ତେଣୁ ଶିଶୁ ଶ୍ରମକୁ ସମାଜରୁ ଲୋପ କରିବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରମଦାନ ପାଇଁ ଆଜି ସାରା ବିଶ୍ବ ପରିଚାଳିତ ହେଉଛି ବୋଲି ଏହି ଅବସରରେ ବିଧାୟକ ଶ୍ରୀ ମାଢି ପ୍ରକାଶ କରିଥିଲେ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ପ୍ରମିଳା ମାଝୀ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲାରେ ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ୯୭ ଜଣଙ୍କୁ ଶିକ୍ଷା ନିମନ୍ତେ ୬ ଲକ୍ଷ ୫୩ ହଜାର ୬୦୦, ୮ ଜଣଙ୍କୁ ବିବାହ ସହାୟତା ନେଇ ୪ ଲକ୍ଷ, ୯ ଜଣଙ୍କୁ ପ୍ରସବ କାଳୀନ ସହାୟତା ନେଇ ୯୦ ହଜାର, ୨୨ ଜଣଙ୍କୁ ମୃତ୍ୟୁ କାଳୀନ ସହାୟତା ନେଇ ୧ ଲକ୍ଷ ୧୦ ହଜାର,୨୨ ଜଣଙ୍କୁ ଅନ୍ତେଷ୍ଟି କ୍ରିୟା ପାଇଁ ୪୪ ଲକ୍ଷ ସର୍ବମୋଟ ୧୫୮ ଜଣଙ୍କୁ ୫୬ ଲକ୍ଷ ୫୩ ହଜାର ୬୦୦ ଟଙ୍କାର ଅର୍ଥ ରାଶି ସହାୟତା ସହ ୨୫୦ ଜଣଙ୍କୁ ଶ୍ରମ ପରିଚୟ ପତ୍ର ପ୍ରଦାନ କରାଯାଇଛି। ସେହିପରି ଓଡ଼ିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧିନରେ ୫୦ ଜଣଙ୍କୁ ଶ୍ରମ ପରିଚୟ ପତ୍ର ଓ ଜଣଙ୍କୁ ୧ ଲକ୍ଷ ଟଙ୍କାର ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ କରାଯାଇଛି।

ଅନ୍ୟ ମାନଙ୍କ ମଧ୍ୟରେ ସହ ଶ୍ରମ ଅଧିକାରୀ, ଶ୍ରୀ ବିଶ୍ବ ରଞ୍ଜନ କହଁର ଓ ଶ୍ରୀମତୀ ପୂର୍ଣ୍ଣିମା ଡୁରୁକାଙ୍କ ସମେତ ଶ୍ରମ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.