ଉତ୍କଳରେ ‘ଉତ୍ସବ ଓଡ଼ିଶା’ ଆରମ୍ଭ : ରାଷ୍ଟ୍ର ଗଠନରେ ଓଡ଼ିଶାର ଅବଦାନ ଅନନ୍ୟ


ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଏବଂ ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିସ ପକ୍ଷରୁ ଜାତୀୟ ସଂହତି ଓ ସଂସ୍କୃତି ଉତ୍ସବ ‘ଉତ୍ସବ ଓଡ଼ିଶା’ ଆଜିଠାରୁ ଆରମ୍ଭ ହୋଇଛି। ବାଣୀବିହାର ଏମକେସିଜି ଅଡିଟୋରିଅମରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ କହିଥିଲେ ଯେ ଉତ୍କଳ ବିଶ୍ବବିଦ୍ୟାଳୟ ତରଫରୁ ଆୟୋଜିତ ‘ଉତ୍ସବ ଓଡ଼ିଶା’ ଏକ ଭଲ ପଦକ୍ଷେପ। ବର୍ତ୍ତମାନ ମଧ୍ୟ ଭୁବନେଶ୍ବରରେ ଜି-୨୦ର ଏକ କାର୍ଯ୍ୟକ୍ରମ ଚାଲିଛି। ଆମେ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛୁ। ତେଣୁ ଆମ ଦେଶ ପାଇଁ ଓଡ଼ିଶାର ବଳିଷ୍ଠ ଅବଦାନ ରହିଛି। କଳା, ସଂସ୍କୃତି, ଶିଳ୍ପ ଓ ଶିକ୍ଷା କ୍ଷେତ୍ରରେ ଆମ ଓଡ଼ିଶାର ବହୁତ ବଳିଷ୍ଠ ଅବଦାନ ରହିଛି। ସବୁଥିରେ ଓଡ଼ିଶାର ବଡ଼ ଅବଦାନ ରହିଛି ଏବଂ ରାଷ୍ଟ୍ର ଗଠନରେ ଓଡ଼ିଶାର ଅବଦନା ଅନନ୍ୟ ତେଣୁ ଛାତ୍ରଛାତ୍ରୀଙ୍କ ଏ ବିଷୟରେ ଅବଗତ କରାଯାଇଆା ପାଇଁ ଏହା ଏକ ବହୁତ ଭଲ ପଦକ୍ଷେପ। ଓଡ଼ିଶାର ଭାଷା ହେଉଛି ଏକ ପ୍ରାଚୀନ ଭାଷା। ଜଗନ୍ନାଥ ସଂସ୍କୃତି ହେଉଛି ସହିଷ୍ଣୁତା କ୍ଷେତ୍ରରେ ବିଶ୍ବ ଭ୍ରାତୃଭାବ ପ୍ରଦର୍ଶନ। ଯାହା ଜାତୀୟ ସଂହତି ପାଇଁ ନିତାନ୍ତ ଜରୁରୀ। ପୁରୁଷ ବିଶ୍ବକପ ହକି ଓଡ଼ିଶାରେ ୨ଥର ଆୟୋଜନ ହୋଇଛି। ପୁଣି ୨୦୩୩ ପର୍ଯ୍ୟନ୍ତ ଭାରତୀୟ ହକିର ଓଡ଼ିଶା ପ୍ରାୟୋଜକ ହୋଇଛି। ତେଣୁ ଆମେ ହେଉଛୁ ଓଡ଼ିଶାର ଆଲୁମିନିୟମ ହବ୍। ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ସମସ୍ତଙ୍କଠାରୁ ଆଗୁଆ। ତେଣୁ ରାଷ୍ଟ୍ର ଗଠନରେ ଓଡ଼ିଶାର ବହୁତ ବଡ଼ ଯୋଗଦାନ ରହିଛି ବୋଲି ଶ୍ରୀ ଧଳ ପ୍ରକାଶ କରିଛନ୍ତି।
ଆଜାଦି କା ଅମୃତ ମହୋତ୍ସବ ଏବଂ ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ସଂସ୍କୃତି ଓ ଜାତୀୟ ସଂହତି ପର୍ଯ୍ୟବସିତ ‘ଉତ୍ସବ ଓଡ଼ିଶା’ର ଉଦଘାଟନ ଉତ୍ସବରେ ପୌରହିତ କରି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ ଯେ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ମହାନ। ଆବାହମାନ କାଳରୁ ଓଡ଼ିଶା ଭୂମିରେ କଳା, ସାହିତ୍ୟ ଓ ସଂସ୍କୃତି ଅନନ୍ୟ ବୋଲି ବିବେଚିତ ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ ଓ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ନିରନ୍ତର ବିକାଶ ହେଉଛି, ଯାହା ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ନର୍ବାହ କରୁଛି। ‘ଉତ୍ସବ ଓଡ଼ିଶା’ ସମସ୍ତ ଭାରତବାସୀଙ୍କ ପାଖରେ ଓଡ଼ିଶାର କଳା ଓ ସଂସ୍କୃତିର ବାର୍ତ୍ତା ପହଞ୍ଚାଇବାରେ ସହାୟକ ହେବ। ଏହା ଏକ ଏଭଳି ଏକ ପ୍ଲାଟଫର୍ମ ଯେଉଁଥିରୁ ସମସ୍ତେ ଓଡ଼ିଶା ସମ୍ପର୍କରେ ଜାଣିପାରିବେ।
ଓଡ଼ିଶା ହେଉଛି ସେବା ଓ ତ୍ୟାଗର ଭୂମି। ଏଠାକାର ବରପୁତ୍ରମାନଙ୍କ ସେବା ଓ ତ୍ୟାଗ ସର୍ବଦା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିଛି ବୋଲି ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ ପ୍ରକାଶ କରିଥିଲେ।
ଓଡ଼ିଶାର ଚିଲିକା ହ୍ରଦ ଓ ଶିମିଳିପାଳ ଜଙ୍ଗଲ ଭଳି ଅନନ୍ୟ ସ୍ଥାନ ଅନ୍ୟ କେଉଁଠି ବି ନାହିଁ। ଏଠାକାର ସଂସ୍କୃତି ଓ ପରିବେଶକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ବାରମ୍ବାର ‘ଉତ୍ସବ ଓଡ଼ିଶା’ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବା ଉଚିତ ବୋଲି କୁଳସଚିବ ଡ.ଅଭୟ କୁମାର ନାୟକ ମତବ୍ୟକ୍ତ କରିଥିଲେ।
ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିସର ନିର୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ମଙ୍ଗଳ ନିର୍ଦେଶିକା ପ୍ରଫେସର ମିତାଲି ଚିନାରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ପ୍ରଥମ ଦିନରେ ୩ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଜାତୀୟ ସଂହତିରେ ଓଡ଼ିଶାର ଭୂମିକା ଶିର୍ଷକ ଅଧିବେଶନରେ ଡ.ନିବେଦିତା ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଏଥିରେ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ, ପ୍ରଫେସର ଅମଲ କୁମାର ମିଶ୍ର, ଓ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ଆଲୋଚକ ଭାବେ ବକ୍ତବ୍ୟ ରଖିଥିଲେ। ପ୍ରଫେସର ହିମାଂଶୁ ଶେଖର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦ୍ବିତୀୟ ଅଧିବେଶନ ଆୟୋଜିତ ହୋଇଥିଲା। ପ୍ରଫେସର ସଞ୍ଜୟ ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ‘ଆମର ମୂଳ ଓ ଓଡ଼ିଶାର କୀର୍ତ୍ତି ଅବିଦିତ ରହିଥିବା ବୀର’ ଶୀର୍ଷକ ଅଧିବେଶନରେ ପ୍ରଫେସର ଲକ୍ଷ୍ମୀକାନ୍ତ ମିଶ୍ର, ଡ.ପ୍ରିୟଦର୍ଶୀ କର, ପ୍ରଫେସର ହରିହର ପଣ୍ଡା ବକ୍ତବ୍ୟ ରଖିଥିଲେ। ତୃତୀୟ ଅଧିବେଶନରେ ‘ଭାରତ ଜି-୨୦ ଅଧ୍ୟକ୍ଷ ଓ ବିଶ୍ବ’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା। ପ୍ରଫେସର ଅଜିତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଅଧିବେଶନରେ ଶ୍ରୀ ହରପ୍ରସାଦ ଦାସ, ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର, କମଳକାନ୍ତ ଦାଶ ଓ ଗିରିଶ ପ୍ରସାଦ ସ୍ବାଇଁ ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଉତ୍କଳ ସଂସ୍କୃତି ଓ ପରମ୍ପରାକୁ ନେଇ ଚିତାକର୍ଷକ ଦେଶାତ୍ମବୋଧ ଓ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯାହା ଦର୍ଶକଙ୍କୁ ବିମୁଗ୍ଧ କରିଥିଲା।
ଦୁଇ ଦିନ ଧରି ଚାଲିବାକୁ ଥିବା ‘ଉତ୍ସବ ଓଡ଼ିଶା’ କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟର ବିଶେଷଜ୍ଞ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଛନ୍ତି। ଉଦଯାପନୀ ଉତ୍ସବରେ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ମୁଖ୍ୟଅତିଥି ଏବଂ ଭାରତୀୟ ନିର୍ବାଚନ ଆୟୋଗର ପୂର୍ବତନ ଉପଦେଷ୍ଟା ଭଗବାନ ପ୍ରକାଶ ସମ୍ମାନୀତ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

nis-ad
Leave A Reply

Your email address will not be published.