ସ୍ଥାନୀୟ ପ୍ରଶାସନର ଅପାରଗତା କାରଣରୁ ସମ୍ବଲପୁରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ହନୁମାନ ଜୟନ୍ତୀରେ ସମ୍ବଲପୁରରେ ହିଂସା ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,  ସ୍ଥାନୀୟ ପ୍ରଶାସନର ଅପାରଗତା କାରଣରୁ ସମ୍ବଲପୁରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା। ବହୁତ ଲୋକ ହତାହତ ହେଲେ ବହୁତ ସମ୍ପତ୍ତି ହାନି ବି ହେଲା । ହନୁମାନ ଜୟନ୍ତୀ ଦିନ ଗୋଟିଏ ଆଦିବାସୀ ପିଲାର ହତ୍ୟା ବି ହେଲା। ସ୍ଥାନୀୟ ପୁଲିସ ଯେଉଁଭଳି ଭାବରେ ନିଜେ ଏତଲାରେ ଲେଖିଛନ୍ତି ସେ ଅନୁସାରେ ପରବର୍ତ୍ତୀ ମୁହୂର୍ତ୍ତରେ ଯେଉଁଭଳି ଭାବରେ କାର୍ଯ୍ୟନୁଷ୍ଠାନ ହେବା କଥା ତାହା ପରିଲକ୍ଷିତ ହେଉ ନାହିଁ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି,ନିରପେକ୍ଷତା ଓ ଶାନ୍ତିର ଅର୍ଥ ନୁହେଁ ବହୁସଂଖ୍ୟକ ସମାଜ ଉପରେ ଅତ୍ୟାଚାର କରିବା । ନାଲି ଆଖି ଦେଖାଇବା ଏବଂ କେସର ଧମକ ଦେବା । ଶାନ୍ତିର ମାନେ ନିରପେକ୍ଷତା ଅବଲମ୍ବନ କରିବା । ନିରପେକ୍ଷ କେବଳ କହିଲେ ହେବ ନାହିଁ ବରଂ କାମରେ ଦେଖାଇବାକୁ ପଡିବ । ଓଡିଶା ସରକାର ରାଜଧର୍ମ ପାଳନ କରନ୍ତୁ ଓ ନିରପେକ୍ଷ ରୁହନ୍ତୁ ବୋଲି ସମ୍ବଲପୁର ହିଂସା ଘଟଣାରେ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁରରେ ପରମ୍ପରା ଗତ ଭାବେ ଚାଲି ଆସୁଥିବା ହନୁମାନ ଜୟନ୍ତୀ ପ୍ରସ୍ତୁତି ପର୍ବ ସ୍ଥାନୀୟ ପ୍ରଶାସନର ଅପାରଗତା ଯୋଗୁଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା । ବହୁ ଲୋକ ଆହତ ହେବା ସହ ଧନ ସମ୍ପତ୍ତି ହାନୀ ହେଲା । ହନୁମାନ ଜୟନ୍ତୀ ଦିନ ଜଣେ ଜନଜାତି ପିଲାର ହତ୍ୟା ହେଲା । ସ୍ଥାନୀୟ ପୋଲିସ ଏଫଆଇଆରରେ ନିଜେ ଏହି କଥା ଲେଖିଛନ୍ତି । ମାତ୍ର ପରବର୍ତ୍ତୀ ଅବସ୍ଥାରେ ପ୍ରଶାସନର ନିୟନ୍ତ୍ରଣ ସମ୍ପର୍କରେ ଯେଉଁ ଦାୟିତ୍ୱ ନେବା କଥା ତାହା ପରିଲକ୍ଷିତ ହେଉନାହିଁ ।

ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର ବଢୁଛି । ସମାଜର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ପୋଲିସ ନିର୍ଦ୍ଦିଷ୍ଟ ଭାବେ ଆରୋପ କରି ଦୋଷୀ ସାବ୍ୟସ୍ତ କରିବାର ଅପଚେଷ୍ଟା କରୁଛି । ଏଠାରେ ଏକତରଫା ଭାବେ ପୋଲିସ ଡିଜି, ସ୍ଥାନୀୟ ଡିଆଇଜି, ସେଠାକାର ଏସପି କାମ କରୁଛନ୍ତି । ଏହାକୁ ଆମ ଦଳ ବିଜେପି ପ୍ରଥମ ଦିନରୁ ଅଭିଯୋଗ କରି ଆସୁଛି । ଜାତୀୟ ଏସଟି କମିଶନର ସଦସ୍ୟ ମାନେ ଏହି ଘଟଣାର ତଥ୍ୟ ସଂଗ୍ରହ କରିବାକୁ ଆସିଥିଲେ ମଧ୍ୟ ତାଙ୍କୁ ସ୍ଥାନୀୟ ପ୍ରଶାସନ ସେହି କାମରେ ଅସହଯୋଗ କରିଥିଲା । ସମ୍ବଲପୁର ଅଭାବନୀୟ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସଂସଦୀୟ ପ୍ରତିନିଧି ଦଳକୁ ନେଇ ଏକ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରିଛନ୍ତି । ଏଥିପାଇଁ ଶ୍ରୀ ପ୍ରଧାନ ଶ୍ରୀ ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

nis-ad
Leave A Reply

Your email address will not be published.