ଭେଙ୍କଟେଶଙ୍କ ବିଶ୍ବକପ୍‌ ସ୍ବପ୍ନରେ ପ୍ରତିବନ୍ଧକ ସାଜିଛି ‘ଇମ୍ପାକ୍ଟ ପ୍ଲେୟାର’ ନିୟମ

ନୂଆଦିଲ୍ଲୀ: ଗତ ଦେଢ ବର୍ଷ ଧରି ଭେଙ୍କଟେଶ ଆୟରଙ୍କ ଖେଳଜୀବନ ଉତ୍‌ଥାନ-ପତନ ଦେଇ ଗତି କରୁଛି। ଭାରତର ଜଣେ ଉଦୀୟମାନ ଦ୍ରୁତ ବୋଲର ଭାବେ ସେ ଉଭା ହୋଇଥିଲେ ବି ତାଙ୍କୁ ଏବେ ଏଡ଼ାଇ ଦିଆଯାଇଛି। ଏବେ ସେ ଆହତ ସମସ୍ୟାରୁ ମୁକୁଳିସାରିଥିଲା ବେଳେ ପୁଣି ଥରେ ଜାତୀୟ ସମ୍ମାନ ଫେରିପାଇବା ପାଇଁ ଚେଷ୍ଟା ଚଳାଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଗତ ମ୍ୟାଚ୍‌ରେ ୧୦୪ ରନ୍‌ର ପାଳି ଖେଳି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। କିନ୍ତୁ ଆଇପିଏଲ୍‌ର ଇମ୍ପାକ୍ଟ ପ୍ଲେୟାର ନିୟମ ଯୋଗୁଁ ତାଙ୍କର ସବୁ ଆଶା ମଉଳିଯିବା ସମ୍ଭାବନା ରହିଛି। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ କୋଲକାତା ନାଇଟ୍‌ ରାଇଡର୍ସର ନିର୍ଦ୍ଧିଷ୍ଟ ଇମ୍ପାକ୍ଟ ପ୍ଲେୟାର ଭାବେ ବ୍ୟବହୃତ ହୋଇଆସୁଛନ୍ତି।
୨୦୨୧ ଆଇପିଏଲ୍‌ର ଦ୍ବିତୀୟାର୍ଦ୍ଧ ବେଳକୁ ବୋଲିଂରେ ତାଙ୍କର ସ୍ଥିର ପ୍ରଦର୍ଶନ କାରଣରୁ ତାଙ୍କୁ ଭାରତୀୟ ଦଳରୁ ଡକରା ମିଳିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ସେତେ‌ବେଳେ ଲୟ ଭ୍ରଷ୍ଟ ହୋଇଯାଇଥିବାରୁ ଉଭୟ ବ୍ୟାଟ୍‌ ଓ ବଲ୍‌ରୁ ସଫଳତା ପାଉନଥିଲେ। ତେଣୁ ଆୟରଙ୍କୁ ପାଣ୍ଡ୍ୟାଙ୍କ ବଦଳି ଖେଳାଳି ଭାବେ ବିବେଚନା କରାଯାଉଥିଲା। ହେଲେ ଏବେ ଯେତେବେଳେ ବର୍ଷେ ପରେ ସେ ଆନ୍ତର୍ଜାତିକ କ୍ରିକେଟ୍‌କୁ ଫେରିବା ଭଳି ସଙ୍କେତ ଦେଇଛନ୍ତି, ସେସମୟରେ ପାଣ୍ଡ୍ୟା ଭାରତୀୟ ଟ୍ବେଣ୍ଟି-୨୦ ଦଳର ନେତୃତ୍ବ ନେଲେଣି। ପୁଣି କେକେଆର୍‌ ପାଇଁ ବୋଲିଂ କରିବାକୁ ତାଙ୍କୁ ସୁଯୋଗ ବି ମିଳୁନି। ଆୟର ମଧ୍ୟ ଏହା ଉପରେ ଚିନ୍ତା ପ୍ରକଟ କରିଥିଲେ। ତାଙ୍କ ମତରେ, ଇମ୍ପାକ୍ଟ ପ୍ଲେୟାର ଆସିବା ଜଣେ ଅଲରାଉଣ୍ଡରର ବୋଲିଂ କରିବା ସୁଯୋଗ କମ୍‌ ହୋଇଯାଉଛି। ପ୍ରତ୍ୟେକ ଦଳରେ ଜଣେ ଷଷ୍ଠ ବିଶେଷଜ୍ଞ ବୋଲରଙ୍କୁ ରଖାଯାଉଛି। ଯେଉଁଥିପାଇଁ ଦଳଗୁଡ଼ିକ କେବେ ବି ସେମାନଙ୍କ ଅଲରାଉଣ୍ଡରକୁ ପ୍ରୟୋଗ କରିବାକୁ ଆଗ୍ରହ ଦେଖାଉନାହାନ୍ତି। ଏହାଦ୍ବାରା ଜଣେ ଅଲରାଉଣ୍ଡର ଆବଶ୍ୟକତାକୁ କମ୍‌ କରିଦେଉଛି। ଏବେ ସେ ଶତ ପ୍ରତିଶତ ଫିଟ୍‌ ଥିଲାବେଳେ ବୋଲିଂ କରିବାକୁ ବି ପ୍ରସ୍ତୁତ ଅଛନ୍ତି। ଏପରିକି ଏନ୍‌ସିଏ ମଧ୍ୟ ତାଙ୍କୁ କ୍ଲିଅରାନ୍ସ ଦେଇଛି। ହେଲେ ଦଳରେ ତାଙ୍କୁ ବୋଲିଂ କରିବାର ସୁଯୋଗ ମିଳିପାରୁନି ବୋଲି ଆୟର କ୍ଷୋଭ ପ୍ରକାଶ କରିଛନ୍ତି।
ଏବେ ଭାରତୀୟ ଦଳରେ ଦ୍ରୁତ ବୋଲିଂ କରିପାରୁଥିବା ଅଲ୍‌ରାଉଣ୍ଡରଙ୍କୁ ନେଇ ସମସ୍ୟା ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ହାର୍ଦ୍ଦିକଙ୍କ ପଛକୁ ବ୍ୟାକ୍‌ଅପ୍‌ ଖେଳାଳି ଭାବେ କେହି ସାମ୍ନାକୁ ଆସିପାରୁନାହାନ୍ତି। କେକେଆର୍‌ ପାଇଁ ଶତକ ମାରିଥିଲେ ବି ଏହି ପ୍ରଦର୍ଶନ ବିଚାରଯୋଗ୍ୟ ହେଉନାହିଁ। ତେଣୁ ଆୟରଙ୍କୁ ଭାରତୀୟ ଦଳରେ କେବଳ ନିମ୍ନ ମଧ୍ୟକ୍ରମ ସ୍ଥାନ ପାଇଁ ଥଇଥାନ କରାଯାଇପାରନ୍ତା। ଆୟର ମଧ୍ୟ ତାଙ୍କର ଏପରି ପରିସ୍ଥିତି ବିଷୟରେ ଅବଗତ ଅଛନ୍ତି ଏବଂ ଘରୋଇ କ୍ରିକେଟ୍‌ରେ ମଧ୍ୟପ୍ରଦେଶ ପାଇଁ ତଳ ଭାଗରେ ବ୍ୟାଟିଂ କରିବାକୁ ପସନ୍ଦ କରୁଛନ୍ତି। ଦିନିକିଆ ବିଶ୍ବକପ୍‌ ପୂର୍ବରୁ ଭାରତ ଏବେ ଷଷ୍ଠ ବୋଲର ‌ବିକଳ୍ପକୁ ନେଇ ଚିନ୍ତାରେ ଥିଲା ବେଳେ, ଏହି ସମୟରେ ଆୟର ଏକ ନୂଆ ନିୟମ ସହିତ ସଂଗ୍ରାମ କରୁଛନ୍ତି। ଇମ୍ପାକ୍ଟ ପ୍ଲେୟାର ନିୟମକୁ ‌କିପରି ବ୍ୟବହାର କରାଯିବ, ତାହାକୁ ନେଇ ପ୍ରଥମରୁ ସ‌ମସ୍ତେ ଦ୍ବନ୍ଦ୍ବରେ ଥିଲେ। ହେଲେ ଏବେ ସବୁଦଳ ଏହି ନୂଆ ନିୟମ ସହିତ ଜଡ଼ିତ ହୋଇଗଲେଣି। ଯଦି ଫଳାଫଳ ଉପରେ ନଜର ପକାଯାଏ, ତାହେଲେ ଇମ୍ପାକ୍ଟ ପ୍ଲେୟାର ଜଣେ ଏକ୍ସ-ଫ୍ୟାକ୍ଟର ବା ମ୍ୟାଚ୍‌ ବିଜେତା ଭାବେ ଉଭା ହେଉଥିବା ଆୟର କହିଛନ୍ତି।
ଇମ୍ପାକ୍ଟ ପ୍ଲେୟାର ନିୟମ ଏକ ଭିନ୍ନ ସମୟରେ ଭାରତୀୟ କ୍ରିକେଟ୍‌ରେ ସାମିଲ ହୋଇଛି। କ୍ରିକେଟ୍‌କୁ ବିଶ୍ବସ୍ତରରେ ଫୁଟବଲ୍‌, ବାସ୍କେଟବଲ୍‌ କ୍ରେଜ୍‌ ସହିତ ସମକକ୍ଷ କରିବାକୁ ଏହି ନିୟମ ବାହାର କରାଯାଇଥିଲା ବେଳେ ଭାରତରେ ଏହାର ଚିତ୍ର ଭିନ୍ନ ରହୁଛି। ଭାରତୀୟ କ୍ରିକେଟ୍‌ରେ ଆନ୍ତର୍ଜାତିକ ମ୍ୟାଚ୍‌ ପାଇଁ ଜଣେ ଦକ୍ଷ ଅଲ୍‌ରାଉଣ୍ଡରକୁ ବାହାର କରିବାରେ ଏହା ସବୁଠୁ ବଡ଼ ଆହ୍ବାନ ହେବାକୁ ଯାଉଛି। ବିଶେଷ କରି ଆସନ୍ତା ବର୍ଷେ ମଧ୍ୟରେ ଦିନିକିଆ ବିଶ୍ବକପ୍‌ ଓ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳାଯିବାକୁ ଥିବାରୁ ଏହି ନିୟମର ସୁଫଳ ମିଳିବା ନେଇ ଆଶଙ୍କା ଦେଖାଦେଇଛି।

nis-ad
Leave A Reply

Your email address will not be published.