ଜାତିସଂଘ ମୁଖ୍ୟ ଗୁଟେରେସ୍‌ଙ୍କୁ ଭେଟି ସୁଦାନ, ଜି୨୦ ଅଧ୍ୟକ୍ଷତା ଓ ୟୁକ୍ରେନ୍‌ ପ୍ରସଙ୍ଗ ଆଲୋଚନା କଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କୁ ସାକ୍ଷାତ କରି ଜଟିଳ ହେଉଥିବା ସୁଦାନ ପରିସ୍ଥିତି, ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ୟୁକ୍ରେନ୍‌ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ସୁଦାନ ହିଂସାକାଣ୍ଡ ବିଷୟରେ ‌ଆଲୋଚନା ବେଳେ ଜୟଶଙ୍କର ଗୁରୁତ୍ବାରୋପ କରି କହିଲେ ଯେ, ସଫଳ କୂଟନୀତି ହିଁ ତୁରନ୍ତ ଅସ୍ତ୍ରବିରତି କରାଇବା ସହିତ ଜନତାଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ କ୍ଷେତ୍ର ପ୍ରସ୍ତୁତି କରିପାରିବ।
ସୁଦାନ ହିଂସାକାଣ୍ଡ ବ୍ୟତୀତ ଦୁଇ ନେତା ଭାରତର ‘ଜି୨୦’ ଅଧ୍ୟକ୍ଷତା ଏବଂ ୟୁକ୍ରେନ୍‌ ଯୁଦ୍ଧ କଥା ମଧ୍ୟ ଆଲୋଚନା କରିଥିଲେ।
ଟୁଇଟ୍‌ କରି ଜୟଶଙ୍କର ଲେଖିଛନ୍ତି: ଆଜି ଅପରାହ୍ଣରେ ନ୍ୟୁୟର୍କରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ଙ୍କୁ ଭେଟି ଆନନ୍ଦିତ। ସୁଦାନର ସାମ୍ପ୍ରତିକ ପରିସ୍ଥିତି, ‘ଜି-୨୦’ ଅଧ୍ୟକ୍ଷତା ଏବଂ ୟୁକ୍ରେନ୍‌ ପ୍ରସଙ୍ଗରେ ଆଲୋଚନା କରିଛୁ।
ସୁଦାନ ଉପରେ ଅଧିକ ଗୁରୁତ୍ବାରୋପ କରିଛୁ। ତୁରନ୍ତ ଅସ୍ତ୍ରବିରତି ପାଇଁ ଚାଲିଥିବା ଉଦ୍ୟମକୁ ଭାରତ ଦୃଢ଼ ସମର୍ଥନ କରୁଛି। ଫଳରେ ‘ସେଫ୍‌ କରିଡର୍‌’ ସୃଷ୍ଟି କରାଯାଇ ପାରିବ। ଏଥିପାଇଁ ପାଇଁ ଜାତିସଂଘ ଏବଂ ଅନ୍ୟ ଭାଗିଦାରଙ୍କ ସହିତ ଏକନିଷ୍ଠ ଭାବେ କାର୍ଯ୍ୟ କରିବୁ ବୋଲି ଜୟଶଙ୍କର କହିଛନ୍ତି।

ସୂଚନାଯୋଗ୍ୟ, ଆଜିଠାରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ପ୍ରଥମ କରି ଲାଟିନ୍‌ ଆମେରିକୀୟ ଦେଶ ଗସ୍ତରେ ବାହାରିଛନ୍ତି। ଏହି ୯ ଦିନିଆ ଗସ୍ତରେ ସେ ଗୁୟାନା, ପାନାମା, କଲମ୍ବିଆ ଏବଂ ଡୋମିନିକାନ୍‌ ସାଧାରଣତନ୍ତ୍ର ଗସ୍ତରେ ରହିବେ।

ଲାଟିନ୍‌ ଆମେରିକା ଗସ୍ତ କରିବା ପୂର୍ବରୁ ସେ ଯାଇ ନ୍ୟୁୟର୍କରେ ପହଞ୍ଚିଥିଲେ। ସୁଦାନ ପରିସ୍ଥିତି ସଂକ୍ରାନ୍ତରେ ଜାତିସଂଘ ସହିତ ଆଲୋଚନା କରିବା ଥିଲା ତାଙ୍କ ନ୍ୟୁୟର୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ।

nis-ad
Leave A Reply

Your email address will not be published.