ଜୀବଜନ୍ତୁ ସୁରକ୍ଷା ଅଧିନିୟମ ଆଇନ ଏବଂ ଏହାର କାର୍ଯ୍ୟକାରୀତା ସମ୍ବନ୍ଧରେ ସଚେତନତା ଶିବିର

ଫୁଲବାଣୀ : ବୁଲା ଗୋରୁ ଗାଇ, ଅସୁସ୍ଥ ଓ ଜରାଜିଣ୍ଣ ପ୍ରାଣୀଙ୍କ ପ୍ରତି ହେଉଥିବା ନିଷ୍ଠୁରତା ନିରାକରଣ ଓ ସେମାନଙ୍କର ଥଇଥାନ ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ଗତ ୨୦୨୧ ମସିହାରୁ ଉଦ୍ୟମ ଆରମ୍ଭ କରିଛି । ଏହି ଉପଲକ୍ଷେ, ଜିଲ୍ଲାସ୍ତରୀୟ ଜୀବଜନ୍ତୁ ସୁରକ୍ଷା ଅଧିନିୟମ ଓ ଆଇନ ଏବଂ ଏହାର କାର୍ଯ୍ୟକାରୀତା ସମ୍ବନ୍ଧରେ ଏକ ସଚେତନତା ଶିବିର ଜିଲ୍ଲା ଜୀବଜନ୍ତୁ ନିଷ୍ଠୁରତା ନିବାରଣ ସମିତି ସହଯୋଗରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଦ୍ବାରା ସ୍ଥାନୀୟ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାପାଳ ତଥା-ଅଧ୍ୟକ୍ଷ, ଜିଲ୍ଲା ଜୀବଜନ୍ତୁ ନିଷ୍ଠୁରତା ନିବାରଣ ସମିତି ଆଶିଷ ଇଶ୍ଵର ପାଟିଲ୍ ଜିଲ୍ଲା ସ୍ତରୀୟ ପ୍ରାଣୀ ମଙ୍ଗଳ କାର୍ଯ୍ୟାବଳୀକୁ ସମିତି ମାଧ୍ୟମରେ ହାତକୁ ନେବା ନିଷ୍ପତିକୁ ଉଚ୍ଚ ପ୍ରଶଂସା କରିବା ସହିତ ଏହାକୁ ଏକ ସେବା ମନୋଭାବ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଜଙ୍ଗଲରେ ନିଆଁ ଲାଗିଲେ କେବଳ ଜଙ୍ଗଲ ବିଭାଗ ଚାହିଁଲେ ଲିଭାଇ ପାରିବ ନାହିଁ । ସେଥିପାଇଁ ପ୍ରତ୍ୟେକ ବିଭାଗ ତଥା ଜନ ସାଧାରଣଙ୍କର ସହଯୋଗ ଆବଶ୍ୟକ ହୋଇଥାଏ । ଠିକ୍ ସେହିପରି କେବଳ ନିଷ୍ଠୁରତା ନିବାରଣ ସମିତି ଚାହିଁଲେ ପ୍ରାଣୀମାନଙ୍କ ପ୍ରତି ହେଉଥିବା ନିଷ୍ଠୁରତାକୁ ରୋକି ପାରିବ ନାହିଁ। ସେଥୂପାଇଁ ମଧ୍ୟ ସମସ୍ତଙ୍କର ସହଯୋଗ ଆବଶ୍ୟକ । କନ୍ଧମାଳ ଆରକ୍ଷୀ ଅଧ୍ୟକ୍ଷକ ଶୁଭେନ୍ଦୁ କୁମାର ପାତ୍ର କହିଲେ, ଲୋକମାନେ ନିଜ ଗାଈ ଗୋରୁ ଗୁଡ଼ିକୁ ଘରେ ଯତ୍ନ ନ ନେଇ ବାହାରେ ଛାଡ଼ିଦେଉଛନ୍ତି। ସେମାନଙ୍କ ଯୋଗୁଁ ପ୍ରାୟ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି । ତେବେ, ସେହି ପ୍ରାଣୀମାନଙ୍କ ପ୍ରତି ବିଭିନ୍ନ ବାଟରେ ହେଉଥିବା ନିଷ୍ଠୁରତାକୁ ରୋକିବା ପାଇଁ ଜୀବଜନ୍ତୁ ସୁରକ୍ଷା ଅଧି ନିୟମ ଓ ଆଇନ ଅନୁଯାୟୀ ଦୋଷୀକୁ ଦଣ୍ଡ ଦିଗରେ ପୋଲିସ ବିଭାଗର ସହଯୋଗ ରହିବ ବୋଲି ସେ କହିଥିଲେ।ବରିଷ୍ଠ ଆଇନଜୀବୀ ତଥା କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ, ଜୀବଜନ୍ତୁ ନିଷ୍ଠୁରତା ନିବାରଣ ସମିତି ଅଜିତ୍ କୁମାର ପଟ୍ଟନାୟକ ଜୀବଜନ୍ତୁ ନିଷ୍ଠୁରତା ନିରାକରଣର ଅଧ୍ବନିୟମ ଓ ନିୟମ ଉପରେ ସମ୍ୟକଧାରଣା ଦେଇଥିଲେ । ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ଉଦ୍ରେକ କରିବା ପାଇଁ ଗୃହକୁ ଅପିଲ କରିଥିଲେ ।

ମନୁଷ୍ୟ ଭଳି ଜୀବଜନ୍ତୁଙ୍କର ମଧ୍ୟ ସ୍ବାଧୀନ ଏବଂ ସ୍ବେଚ୍ଛାଧୀନ ଭାବରେ ବଞ୍ଚିବାର ସମାନ ଅଧିକାର ରହିଛି । ଏଥିପାଇଁ ଥିବା ବିଭିନ୍ନ ନିୟମକୁ କାର୍ଯ୍ୟକାରୀ କରିବା ଦିଗରେ ଆମ ସମସ୍ତଙ୍କର ଜଣେ ସଚେତନ ନାଗରିକ ହିସାବରେ ଦାୟିତ୍ବ ଏବଂ ଗୁରୁତ୍ବପୂର୍ଣ୍ଣ ଭୂମିକା ମଧ୍ୟ ରହିଛି ବୋଲି ସେ କହିଥିଲେ ।ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ (ପ୍ରାଣୀ ମଙ୍ଗଳ) ଡା. ଦିଗ୍‌ବିଜୟ ଗିରି ପାୱାର ପଏଣ୍ଟ ମାଧ୍ୟମରେ ଭାରତ ସରକାରଙ୍କ ପ୍ରାଣୀ କଲ୍ୟାଣ ବୋର୍ଡ଼ର ଗାଇଡ୍ ଲାଇନ୍, ପ୍ରାଣୀମାନଙ୍କ ପ୍ରତି ହେଉଥିବା ନିଷ୍ଠୁରତାର ପ୍ରକାରଭେଦ ଓ ସେଥିପାଇଁ ଥିବା ଦଣ୍ଡବିଧାନ ବ୍ୟବସ୍ଥା ଉପରେ ସୂଚନା ପ୍ରଦାନ କରିଥିବା ବେଳେ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସଞ୍ଜୀବ ପଟେଲ୍ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସେହିପରି, ଡା.ଗଣେଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବାବେଳେ, ଡା. ଅଳକା ପଟ୍ଟନାୟକ ସଂଯୋଜନା କରିଥିଲେ।
ଏହି ସଚେତନତା ଶିବିରରେ ପ୍ରକଳ୍ପ ନିର୍ଦ୍ଦେଶକ, ଜଳ ବିଭାଜିକା,କନ୍ଧମାଳ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ(ଡି.ସି.) ଡା. ସନ୍ତୋଷ ପଟ୍ଟନାୟକ ଙ୍କ ସମେତ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଜନ ପ୍ରତିନିଧ୍, ଜିଲ୍ଲା ଜୀବଜନ୍ତୁ ନିଷ୍ଠୁରତା ନିବାରଣ ସମିତିର ସଦସ୍ୟ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ସମ୍ପର୍କର ମୁଖ୍ୟ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଚିକିତ୍ସା ଅଧିକାରୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଫୁଲବାଣୀ ଏବଂ ଏ.ଜେ.ଓ. ସରକାରୀ ଉଚ୍ଚ ବିଦ୍ୟାଳୟ, ଫୁଲବାଣୀର ଶିକ୍ଷୟିତ୍ରୀ ମାନେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ ।

nis-ad
Leave A Reply

Your email address will not be published.