ଯାଜପୁର: ଭିଜିଲାନ୍ସ ଜାଲରେ ପଡ଼ିଲେ ମେଡିକାଲ ଅଫିସର। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଏହି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି। ଲାଞ୍ଚ ନେବା ଅଭିଯୋଗରେ ଡାକ୍ତର ଓ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଅଟକ ରଖି ଜେରା କରୁଛି। ଏପରି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲାରୁ ।
ମାର୍ଚ୍ଚ ୩୧ ତାରିଖରେ ଦାନଗଦି ଅଞ୍ଚଳରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ପରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା। ହେଲେ ମୃତକଙ୍କ ପରିବାର ଲୋକଙ୍କୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଦିଆଯାଉନଥିଲା। ମୃତକଙ୍କ ପୁଅ ବାରମ୍ୱାର ଦାନଗଦି ସିଏଚସି ଆସି ନିରାଶ ହୋଇ ଫେରୁଥିଲେ। ପରେ ମେଡ଼ିକାଲ୍ ଅଫିସର ଡାକ୍ତର ପବିତ୍ର କୁମାର ସେଠୀଙ୍କ ସହିତ ଯୋଗାଯୋଗ କରିଥିଲେ। କଥାବାର୍ତ୍ତା ସମୟରେ ଡାକ୍ତରଖାନାର ସିକ୍ୟୁରିଟି ଗାର୍ଡ ଅଭିରାମ କାଣ୍ଡିଙ୍କ ମାଧ୍ୟମରେ ଡାକ୍ତର ସେଠୀ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା।
ମୃତକଙ୍କ ପୁଅ ଏନେଇ କଟକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଆଜି ମୃତକଙ୍କ ପୁଅ ଲାଞ୍ଚ ଟଙ୍କା ଦେଉଥିଲେ। ଠିକ୍ ସେହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ସିକ୍ୟୁରିଟି ଗାର୍ଡ ଶ୍ରୀ କାଣ୍ଡି ଓ ଡାକ୍ତର ସେଠୀଙ୍କୁ ଧରିଥିଲେ। ଏପରିକି ସେମାନଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ଉଭୟଙ୍କ ଅଟକ ରଖି ଜେରା କରାଯାଉଛି।