ପ୍ରସ୍ତାବରେ ଅଟକିଛି ଋଷିକୁଲ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଗଠନ

ଛତ୍ରପୁର : ଗଞ୍ଜାମ ଜିଲାର ଭାତ ହାଣ୍ଡି ରୂପେ ଋଷିକୁଲ୍ୟା ନଦୀ ପରିଚିତ । ଏଣୁ ଋଷିକୁଲ୍ୟା ବଞ୍ଚିଲେ ହିଁ ଜିଲାର ସମସ୍ତ କେନାଲ ଓ ନାଳ ବଞ୍ଚତ୍ପାରିବ। ଋଷିକୁଲ୍ୟା ଚିରସ୍ରୋତା ହେଲେ ଗଞ୍ଜାମରେ ଚାଷ ବଞ୍ଚନ୍ତା | ଭଲ ଚାଷ ହୋଇ ଅମଳ ହେଲେ ଚାଷୀ ବଞ୍ଚତ୍ପାରିବ। ତେଣୁ ଋଷିକୂଲ୍ୟାକୁ ଛାଡି ଗଞ୍ଜାମ ଜିଲାର ବିକାଶ ଅସମ୍ଭବ। ଏଥିଲାଗି ଋଷିକୁଲ୍ୟା ପାଣିର ସୁପରିଚାଳନା ଆବଶ୍ୟକ। ଏଣୁ ଋଷିକୁଲ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଗଠନ ଜରୁରୀ ହୋଇପଡିଛି। ଏନେଇ ମଙ୍ଗଳବାର ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ଏକ ଖବରଦାତା ସମ୍ମିଳନୀରେ ଦାବି କରିଛନ୍ତି। ଜିଲାପ୍ରଶାସନ ଏଥିପାଇଁ ସରକାରଙ୍କୁ ପ୍ରସ୍ତାବ ଦେଉ ଏବଂ ସରକାର ଋଷିକୁଲ୍ୟାକୁ ବଞ୍ଚାଇବା ପାଇଁ ଋଷିକୁଲ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଗଠନ ତୁରନ୍ତ କରିବାକୁ ସେ ଦାବି କରିଥିଲେ।
ଋଷିକୁଲ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଗଠନ କରିବାକୁ ଜିଲାପରିଷଦ ବୈଠକରେ ସମସ୍ତ ବିଧାୟକ, ଏମପି, ଜିଲାପରିଷଦ ସଭ୍ୟ ଓ ବ୍ଲକ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଆଲୋଚନା ହୋଇ ଏକ ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କୁ ବହୁ ପୂର୍ବରୁ ଗଞ୍ଜାମ ଜିଲାପ୍ରଶାସନ ପକ୍ଷରୁ ପଠାଯାଇଥିଲା। ତେବେ ଏହି ପ୍ରସ୍ତାବ ଏବେ ଅଟକି ରହିଛି। ଆହୁରି ଜଣାଯାଇଛି ଯେ ‘ହୁଡୁହୁଡୁ’ ବାତ୍ୟାରେ ହଜାର ହଜାର ଏକର ଜମିରେ ବାଲି ମାଡିଯାଇଥିଲା। ତାପରେ ଜଳସମ୍ପଦ ମନ୍ତ୍ରୀ ଜିଲା ଗସ୍ତରେ ଆସିଥିବା ବେଳେ ଋଷିକୁଲ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଗଠନ ପାଇଁ ତକତଳୀନ ଜିଲାପାଳ ମଧ୍ୟ ପ୍ରସ୍ତାବ ଦେଇଥିଲେ। ଏହାଉପରେ ଦୀର୍ଘ ବର୍ଷ ପରେ ବି କୌଣସି ପଦକ୍ଷେପ ନିଆଯାଇନି। ଏହି ପୂଣ୍ୟତୋୟା ନଦୀ ଋଷିଶୃଙ୍ଗ ପର୍ବତରୁ ବାହାରି ଗଞ୍ଜାମ ସହର ନିକଟସ୍ଥ ବଙ୍ଗୋପସାଗରରେ ମିଶିଛି। ମାତ୍ର ବର୍ଷାଦିନେ ୮୦ ଭାଗ ନଦୀର ପାଣି ସମୁଦ୍ରରେ ମିଶିଥାଏ। ସମୁଦ୍ରକୁ ବହିଯାଉଥିବା ପାଣିକୁ ଅଟକାଇ ରଖିଲେ ଭୂତଳ ଜଳସ୍ତର ବଢିବା ସଙ୍ଗେ ସଙ୍ଗେ ଜିଲାରେ ଦୁଇ ଥର ଫସଲ ଅମଳ ହୋଇପାରିବ। ଏଥିସହ ପ୍ରଦୀପ କୁମାର ସାହୁ ସମସ୍ତ ଚାଷ ଜମିକୁ ଜଳସେଚନର ସୁବିଧା ମଳିପାରିବ। ପାନୀୟ ଜଳର ସୁବିଧା ମଧ୍ୟ ହୋଇପାରିବ। ସରକାରୀ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଜିଲାର କେବଳ ୪୦ ଭାଗ ଜମିକୁ ଜଳସେଚନର ସୁବିଧା ଅଛି। ରବି ଫସଲ ବେଳେ ୫ ଭାଗ ଜମିକୁ ଜଳସେଚନର ସୁବିଧା ଉଠା ଜଳସେଚନର ପ୍ରକଳ୍ପ ଦ୍ୱାରା ହୋଇଥାଏ। ଫଳରେ ଅଧିକାଂଶ ଜମି ବର୍ଷା ଉପରେ ନିର୍ଭର କରିଥାଏ । ଗଞ୍ଜାମ ଜିଲାରେ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଥିବାବେଳେ ସେଥିରୁ ଅନେକ ରକ୍ଷଣାବେକ୍ଷଣ ଅଭାବରୁ ପୋତି ହୋଇଗଲାଣି। କେତେକ ତା’ ଉପରେ ମାଡିବସି ଜମି କରିଦେଲେଣି। ଏହି ପ୍ରକଳ୍ପ ଗୁଡିକରେ ଋଷିକୁଲ୍ୟା ନଦୀ ବିଭିନ୍ନ ସ୍ଥାନରେ ଆନ୍ନିକଟ, ଚେକଡ୍ୟାମ ନିର୍ମାଣ କରି ପ୍ରକଳ୍ପ ଗୁଡିକରେ ପାଣି ଭର୍ତ୍ତି କରିବା ଆବଶ୍ୟକତା ରହିଛି। ଏହାଦ୍ୱାରା ଭୂତଳ ଜଳସ୍ତର ବୃଦ୍ଧି ସହ ରବିଋତୁରେ ଅର୍ଥକାରୀ ଫସଲ, ପନିପରିବା ଆଦି ଚାଷ ହୋଇପାରିବ ବୋଲି କୁହାଯାଇଛି। ଏଥିଲାଗି ଚାଷୀଙ୍କ ଆର୍ଥିକ ତଥା ସାମାଜିକ ବିକାଶ ହେବ ବୋଲି ପ୍ରସ୍ତାବ ଦିଆଯାଇଛି। ଗଞ୍ଜାମ ଜିଲାରେ କେବଳ ଖରିଫ ଋ଼ତୁରେ ଧାନ ଚାଷ ହୋଇଥାଏ। ରବି ଋତୁରେ ଖରା ଓ ପାଣି ଅଭାବ ଥିବାରୁ ଧାନ ଚାଷ ତ ହୁଏନି। ଏପରିକି ରବି ଫସଲ ମାତ୍ର ୫ ଭାଗ ଜମିରେ ହୋଇଥାଏ। ଏହି କାରଣ ଯୋଗୁଁ ଜିଲାର ପ୍ରାୟ ୫ ଲକ୍ଷ ଚାଷୀ, ଭାଗଚାଷୀ, କୃଷି ଶ୍ରମିକମାନଙ୍କ ସମସ୍ୟା ବଢିବାରେ ଲାଗିଛି। ଅନେକ ପରିବାର ପ୍ରତିପୋଷଣ ପାଇଁ ଚାଷବାସ କାର୍ଯ୍ୟ ଛାଡି ଦାଦନ ଖଟିବାକୁ ଅନ୍ୟରାଜ୍ୟକୁ ଚାଲିଯାଉଥିବା ଦେଖିବାକୁ ମିଳୁଛି। ଏଣୁ ଋଷିକୁଲ୍ୟାକୁ ଚିରସ୍ରୋତା କରିବା ଲାଗି ଋଷିକୁଲ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଗଠନ କରିବାକୁ ଦାବି ହୋଇଛି।

nis-ad
Leave A Reply

Your email address will not be published.