ବ୍ରହ୍ମପୁର ମଣ୍ଡଳ କାରାଗାରରେ ଜଣେ ବିଚାରଧୀନ ଥିବା ଚିଟଫଣ୍ଡ ସଂସ୍ଥା ଏମଡି ଗୋଲେଙ୍କ ମୃତ୍ୟୁ…

ବ୍ରହ୍ମପୁର : ମଣ୍ଡଳ କାରାଗାରରେ ସଜା କାଟୁଥିବା ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଚନ୍ଦ୍ରକାନ୍ତ ଭାର୍ଗବ ଗୋଲେ(୬୦)। ବ୍ରହ୍ମପୁର ଜନାନା ହସ୍ପିଟାଲ ରୋଡରେ ରାମକୃଷ୍ଣ ଇଲେକ୍ଟ୍ରୋ କଣ୍ଟ୍ରୋଲ ଲିମିଟେଡ ନାମରେ ସେ ଏକ ଚିଟ୍ ଫଣ୍ଡ ସଂସ୍ଥା ଖୋଲିଥିଲେ। ସେ ସଂସ୍ଥାର ପରିଚାଳନା ନିର୍ଦେଶକ ଥିଲେ I ବିଭିନ୍ନ ସ୍କିମରେ ଲୋକଙ୍କୁ ପ୍ରଲୋଭିତ କରି କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ବୈଦ୍ୟନାଥପୁର ପୋଲିସ ତାଙ୍କୁ ୨୦୧୨ ଅଗଷ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଥିଲା। ଏହା ମଧ୍ୟରେ ତାଙ୍କ ବିରୋଧରେ ଶତାଧିକ ମାମଲା ରୁଜୁ ହୋଇଥିଲା। ସେଥିରୁ ୧୭୩ଟି ମାମଲାର ଫୈସଲା ହୋଇ ସେ ଦଣ୍ଡିତ ହୋଇଥିଲେ। ଆଉ ୨ଟି ମାମଲା କୋର୍ଟରେ ବିଚାରାଧୀନ ଅଛି। ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ ତାଙ୍କୁ 8ଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି I ତାଙ୍କୁ ସର୍ବାଧିକ 10 ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ହୋଇଛି I ଏହା ସହିତ ଗୋଟିଏ ମାମଲାରେ ସେ ନିର୍ଦୋଷ ହୋଇଥିବା ସ୍ୱତନ୍ତ୍ର ପିପି ବିଜୟ ପ୍ରଧାନ ସୂଚନା ଦେଇଛନ୍ତି I
ତେବେ ମିଳିଥିବା ସୂଚନା ମୁତାବକ, ବ୍ରହ୍ମପୁର ମଣ୍ଡଳ କାରାଗାରରେ ସେ ସଜା କାଟୁଥିବା ବେଳେ ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଏମକେସିଜି ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଦେହକୁ ସେଠାରେ ଥିବା ଶବ ସଂରକ୍ଷଣ ଗୃହରେ ରଖାଯାଇଥିଲା। ଆଜି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଶବ ପଞ୍ଚନାମା କରାଯିବା ପରେ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିଲା। ହୃଦ୍ ଘାତ ରୁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣା ପଡ଼ିବ।

nis-ad
Leave A Reply

Your email address will not be published.