ଛତିଶଗଡ଼ କଂଗ୍ରେସ ବିଧାୟକ ବିକ୍ରମ ମାଣ୍ଡଭି ଉପରେ ନକ୍ସଲ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ

ରାୟପୁର : ଛତିଶଗଡ଼ର ବିଜାପୁର ଜିଲ୍ଲାରେ କଂଗ୍ରେସ ବିଧାୟକ ବିକ୍ରମ ମାଣ୍ଡଭି ଗାଡ଼ି ଉପରକୁ ନକ୍ସଲମାନେ ଆକ୍ରମଣ କରିଛନ୍ତି। ଜିଲ୍ଲାର ନକ୍ସଲ ଅଧ୍ୟୁଷିତ ଅଞ୍ଚଳ ଗଙ୍ଗାଲୁର ବଜାରରେ ବିଧାୟକଙ୍କ ସମେତ ସମସ୍ତ କଂଗ୍ରେସ ନେତା ଏକ ରାସ୍ତା ସଭା କରି ମୁଖ୍ୟାଳୟକୁ ଫେରୁଥିବା ବେଳେ ଏହି ଘଟଣା ଘଟିଛି। ଏହି ସମୟରେ ପାଡେଡା ଗାଁ ନିକଟରେ ନକ୍ସଲମାନେ ଗାଡ଼ି ଉପରକୁ ଗୁଳି ଚଳାଇଥିଲେ। ତେବେ ନକ୍ସଲଙ୍କ ଗୁଳିମାଡ଼ରେ କେହି ମୃତାହତ ହୋଇନଥିବା ବେଳେ ଏଥିରେ ସମ୍ପୃକ୍ତ ସମସ୍ତ ଲୋକ ସୁରକ୍ଷିତ ଥିବା କୁହାଯାଉଛି।
ଏହି ଘଟଣା ପରେ ପୁଲିସ ଉକ୍ତ ଅଞ୍ଚଳରେ ତଲାସୀ ଅଭିଯାନକୁ ଜୋରଦାର କରିବା ସହ ବିଧାୟକଙ୍କ ସହ ବହୁ ସଂଖ୍ୟକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ନକ୍ସଲଙ୍କ କେଉଁ ଏରିଆ କମିଟି ଏହି ଘଟଣା ଘଟାଇଛି ତାହା ଜଣାପଡ଼ିନାହିଁ ।
ଏହି ଘଟଣା ପୁଲିସର ଚିନ୍ତା ବଢାଇ ଦେଇଛି । କାରଣ ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ୨୦୧୯ରେ ଦାନ୍ତେୱାଡାରେ ବିଜେପି ବିଧାୟକ ଭୀମା ମାଣ୍ଡବୀଙ୍କୁ ନକ୍ସଲମାନେ ଆକ୍ରମଣ କରିଥିଲେ ଏବଂ ବିଜେପି ବିଧାୟକ ଭୀମା ମାଣ୍ଡବୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ବିଜାପୁରରେ ମାଓବାଦୀମାନେ ବିଜେପିର ପୂର୍ବତନ ଜଙ୍ଗଲ ମନ୍ତ୍ରୀ ତଥା ବିଧାୟକ ମହେଶ ଗଗଡାଙ୍କ ଗାଡ଼ି ଉପରକୁ ମଧ୍ୟ ଆକ୍ରମଣ କରିଥିଲେ, ଯେଉଁଥିରେ ପୂର୍ବତନ ବିଧାୟକ ସୁରକ୍ଷିତ ଭାବେ ବର୍ତ୍ତି ଯାଇଥିଲେ।

nis-ad
Leave A Reply

Your email address will not be published.