ଅଡ଼ୁଆ ସୂତା ରେ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନିଯୁକ୍ତି ନାମରେ ଠକେଇ ମାମଲା…

ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି


ସୁନ୍ଦରଗଡ଼/୧୬/୦୪/୨୩: ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନିଯୁକ୍ତି ନାମରେ ଠକେଇ ମାମଲାରେ ଟାଉନ ଥାନା ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ଯରେ ମେଡିକାଲ କର୍ମଚାରୀ କାଲୋବାହାଲର ଚୈତନ୍ଯ ତନ୍ତୀ, ମାମଲାର ମୁଖ୍ଯ ଦଲାଲ ତସଲାଡିହିର ସୁଶାନ୍ତ ମାଝୀ, ମହୁଲପାଲିର ମଦନ ଗର୍ଡିଆ, ସୁନ୍ଦରଗଡ଼ ମିଶନରୋଡର ଆଶିଷ ନାଏକ ରହିଛନ୍ତି। ମିଶନ ରୋଡସ୍ଥିତ ଆଶିଷଙ୍କ ଜେରକ୍ସ ଦୋକାନରୁ କମ୍ପ୍ଯୁଟର୍, ପ୍ରିଣ୍ଟର ଓ ବହୁ ଜାଲି ଦସ୍ତାବିଜ୍ ଜବତ ହୋଇଛି। ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଯୋଗ୍ୟତା ଅନୁସାରେ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ଏକ ବଡ଼ ରାକେଟ୍ ଗାଁ ଅଞ୍ଚଳରେ କାର୍ଯ୍ୟରତ କିଛି ଶିକ୍ଷକ ଓ ଡାକ ବିଭାଗ କର୍ମଚାରୀମାନଙ୍କ ଜରିଆରେ ଆଶାୟୀମାନଙ୍କୁ ପ୍ରବର୍ତ୍ତାଇ ଚୂନ ଲଗାଇଥିବା ଅଭିଯୋଗ ରହିଥିଲା। ସୁନିୟୋଜିତ ଭାବେ କାହାକୁ ମେଡିକାଲ ସହାୟକ ପଦ ତ କାହାକୁ ପରିଦର୍ଶକ, ପୁଣି କାହାକୁ ସୁରକ୍ଷାକର୍ମୀ, ଅଭ୍ୟର୍ଥନାକାରୀ ପଦରେ ନିଯୁକ୍ତି ଦେବା ନାଁରେ ଓଡ଼ିଶା ସରକାରଙ୍କ ଲଗୋ, ମେଡିକାଲ କଲେଜର ନାଁ ସହ ଡିନ ପ୍ରାଧ୍ୟାପକ ଡ. ଦୈତାରୀ ରାଉତରାୟଙ୍କ ଜାଲ୍‌ ଦସ୍ତଖତ ଏବଂ ସିଲ୍ ମୋହରରେ ଆଶାୟୀମାନଙ୍କୁ ନିଯୁକ୍ତି ଓ ଯୋଗଦାନପତ୍ର ସହ ଅଫିସ ନିଯୁକ୍ତି ଆଦେଶନାମା ଓ ପରିଚୟପତ୍ର ପ୍ରଦାନ କରି ବେରୋଜଗାର ଯୁବକଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନିଆଯାଇଥିବା ଅଭିଯୋଗ ହୋଇଥିଲା।

ଠକେଇ ଅଭିଯୋଗ ପରେ ଏସପି ପ୍ରତ୍ୟୁଷ ଦିବାକରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ ଜାରି ରହିଥିବାବେଳେ ୪ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିଲା। ଗତକାଲି ଶନିବାର ପୁଲିସ ମିଶନ ରୋଡସ୍ଥିତ ଜେରକ୍ସ ଦୋକାନୀ ମାଲିକ ଆଶିଷ ନାଏକଙ୍କୁ ଉଠାଇ ନେଇଥିଲା। ଦୋକାନରେ ମେଡିକାଲ କଲେଜର କାଗଜପତ୍ର ପ୍ରସ୍ତତ କରା ଯାଉଥିବା ବେଳେ କଲେଜ ଡିନଙ୍କ ଦସ୍ତଖତ ଓ ସିଲ୍ ମୋହର ସମ୍ପର୍କରେ ଦୋକାନୀ ବେଶ ପରିଚିତ ଥିଲେ। ସେଇଠୁ ଜାଲ୍ ନିଯୁକ୍ତିପତ୍ର, ପରିଚୟପତ୍ର ଓ ନିଯୁକ୍ତି ସମ୍ବନ୍ଧିତ କାଗଜପତ୍ର ତିଆରି କରି ଠକେଇ କରାଯାଉଥିଲା ବୋଲି ପୁଲିସ ଜାଣିବାକୁ ପାଇଥିଲା। ତେବେ ମାମଲାରେ ଆହୁରି ଅନେକ କର୍ମଚାରୀ, ଶିକ୍ଷକ ସମେତ ଜଣେ ରାଜନେତା ଓ ତାଙ୍କ ଘନିଷ୍ଠ ସହଯୋଗୀ ସମ୍ପୃକ୍ତ ଥିବା ମୂଳରୁ ଚର୍ଚ୍ଚା ରହିଥିବାବେଳେ ପୁଲିସ ପୂରା ରାକେଟକୁ ଧରିବ ନା ୪ ଜଣଙ୍କୁ ଗିରଫ କରି ଠକେଇ ଫାଇଲ୍ ବନ୍ଦ କରିଦେବ ତାହା ସହରରେ ଆଲୋଚନାର ପ୍ରସଙ୍ଗ ସାଜିଛି।

nis-ad
Leave A Reply

Your email address will not be published.