ଅବକାରୀ ବିଭାଗର ବାର୍ଷିକ ସମୀକ୍ଷା :କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ୬୧ହଜାରରୁ ଅଧିକ ମାମଲା ରୁଜୁ ଓ ୪୯ହଜାରରୁ ଅଧିକ ଗିରଫ…


ଝାରସୁଗୁଡା ଓ ଏହାର ଆଖପାଖରେ ନିୟମିତ ଚଢଉ ପାଇଁ ଅବାକରୀ କମିଶନରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧୬/୦୪ : ଅବକାରୀ ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ୨୦୨୨-୨୩ ବର୍ଷରେ ରାଜ୍ୟରେ ବେଆଇନ୍‍ ନିଶା କାରବାର ଅଭିଯୋଗରେ ୬୧ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ୪୯ ହଜାରରୁ ଅଧିକ ଲୋକ ଗିରଫ ହୋଇଛନ୍ତି । ମାମଲା ରୁଜୁ ଓ ଗିରଫଦାରୀ ସଂଖ୍ୟା ପୂର୍ବବର୍ଷ ତୁଳନାରେ ପାଖପାଖି ୫୦ପ୍ରତିଶତ ଅଧିକ ରହିଛି । ଅବକାରୀ କମିଶନର ଆଶିଷ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ସମୀକ୍ଷାର ବୈଠକରୁ ଏହି ସୂଚନା ମିଳିଛି । ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଅବକାରୀ କମିଶନର ରାମ ଚନ୍ଦ୍ର ପାଲଟା, ଯୁଗ୍ମ କମିଶନର ଶରତ ଚନ୍ଦ୍ର ମହାପାତ୍ର, ଏନଫୋର୍ସମେଣ୍ଟ ଇଡିସି ରାମ ଚନ୍ଦ୍ର ମିଶ, ନୀତି ପ୍ରସ୍ତୁତ ଇଡିସି ରଜ କୁମାର ପ୍ରହରାଜ, ଇଡିସି ସୋମନାଥ ମାଝି, ରାଜେନ୍ଦ୍ର ବୋଥ୍ରା, ଡମ୍ବରୁଧର ଖଣ୍ଡାଙ୍କ ସମେତ ସମସ୍ତ ଅବକାରୀ ଅଧୀକ୍ଷକମାନେ ଉପସ୍ଥିତ ରହିଥିଲେ । ସମୀକ୍ଷାରୁ ଜଣାଯାଇଛି ଯେ ୨୦୨୨-୨୩ ବର୍ଷରେ ଅବକାରୀ ଧରପଗଡକୁ ଜୋରଦାର କରାଯିବା ଫଳରେ ମୋଟ୍‍ ୬୧,୩୭୭ଟି ମାମଲା ରୁଜୁ ହୋଇଛି ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୫୧ ପ୍ରତିଶତ ଅଧିକ ରହିଛି । ୨୦୨୧-୨୨ ବର୍ଷରେ ରାଜ୍ୟରେ ୪୦,୫୯୮ଟି ମାମଲା ରୁଜୁ ହୋଇଥିଲା । ସେହିଭଳି ୨୦୨୦-୨୧ ବର୍ଷରେ ରାଜ୍ୟରେ ୨୫,୦୬୫ ଅବାକରୀ ମାମଲା ରୁଜୁ କରାଯାଇଥିଲା । ସେହିଭଳି ଗତ ଆର୍ଥିକବର୍ଷରେ ବେଆଇନ୍‍ ନିଶା କାରବାର ଅଭିଯୋଗରେ ୪୯,୨୧୧ ଜଣ ଲୋକ ଗିରଫ ହୋଇଛନ୍ତି ଯାହା ପୂର୍ବବର୍ଷ ତୁଳନାରେ ୪୭ ପ୍ରତିଶତ ଅଧିକ ରହିଛି । ୨୦୨୧-୨୨ ବର୍ଷରେ ୩୩,୫୫୧ ଜଣ ଗିରଫ ହୋଇଥିବାବେଳେ ୨୦୨୦-୨୧ ବର୍ଷରେ ଗିରଫଦାରୀ ସଂଖ୍ୟା ୧୯,୨୩୯ ରହିଥିଲା । ତେବେ ୨୦୨୨-୨୩ ବର୍ଷରେ ରେକର୍ଡ ପରିମାଣ ୧୯୪୯ ଏନଡିପିଏସ୍‍ ମାମଲା ରୁଜୁ ହୋଇଛି ଯାହା ପୂର୍ବବର୍ଷ ତୁଳନାରେ ୧୬୧ ପ୍ରତିଶତ ଅଧିକ । ୨୦୨୧-୨୨ ବର୍ଷରେ ୭୪୮ଟି ଏନ୍‍ଡିପିଏସ୍‍ ମାମଲା ରୁଜୁ ହୋଇଥିବାବେଳେ ୨୦୨୦-୨୧ ବର୍ଷରେ ରୁଜୁ ମାମଲା ସଂଖ୍ୟା ୩୯୬ ରହିଥିଲା । ସେହିଭଳି ଗତ ଆର୍ଥିକବର୍ଷରେ ଏନ୍‍ଡିପିଏସ୍‍ ମାମଲାରେ ୨୨୩୨ ଜଣଙ୍କୁ ଗିରଫ କରାଯାଇଛି ଯାହା ପୂର୍ବବର୍ଷ ତୁଳନାରେ ୧୬୩ ପ୍ରତିଶତ ଅଧିକ । ଏହି ମାମଲାରେ ୨୦୨୧-୨୨ ଓ ୨୦୨୦-୨୧ ବର୍ଷରେ ଯଥାକ୍ରମେ ୮୪୯ ଜଣ ଓ ୩୮୮ଜଣଙ୍କୁ ଗିରଫ କରାଯାଇଥିଲା । କେବଳ ମାମଲା ରୁଜୁ କିମ୍ବା ଗିରଫଦାରୀରେ ବିଭାଗକୁ ସଫଳତା ମିଳିନାହିଁ, ଏହି ବର୍ଷକ ମଧ୍ୟରେ ଚଢାଉ ଜୋରଦାର ଯୋଗୁଁ ୪୧,୩୩୦ କିଲୋ ଗଞ୍ଜେଇ, ୩୨,୫୧୨ ଗ୍ରାମ ବ୍ରାଉନସୁଗାର ଜବତ କରିବାରେ ସଫଳତା ମିଳିଛି । ବ୍ରାଉନସୁଗାର ବିରୁଦ୍ଧରେ ଚଳାଯାଇଥିବା ସ୍ୱତନ୍ତ୍ର ଅଭିଯାନ ଯୋଗୁଁ ଗତ ଆର୍ଥିକ ବର୍ଷରେ ଜବତ ବ୍ରାଉସୁଗାର ପରିମାଣ ପୂର୍ବବର୍ଷ ତୁଳନାରେ ୧୫୯ ପ୍ରତିଶତ ଅଧିକ ରହିଛି । ୨୦୨୧-୨୨ ବର୍ଷରେ ରାଜ୍ୟରୁ ୧୨,୫୬୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ସେହିଭଳି ବେଆଇନ୍‍ ମାଦକଦ୍ରବ୍ୟ ପରିବହନ ଅଭିଯୋଗରେ ଗତ ଆର୍ଥିକ ବର୍ଷରେ ବିଭିନ୍ନ କିସମର ୩୪୪୦ଟି ମୋଟରଯାନ ଜବତ ହୋଇଛି ଯାହା ପୂର୍ବବର୍ଷ ତୁଳନାରେ ୫୫ ପ୍ରତିଶତ ଅଧିକ ରହିଛି । ସେହିଭଳି ଓଡିଶା ସରକାରଙ୍କ ୫-ଟି ପଦକ୍ଷେ ସହିତ ଅବକାରୀ ବିଭାଗ କାର୍ଯ୍ୟକ୍ଷେତ୍ରରେ ଡିଜିଟାଲ ବ୍ୟବସ୍ଥାର ପ୍ରଚଳନ ସ୍ୱରୂପ ଇ-ଅବକାରୀ ପ୍ଲାଟଫର୍ମ କାର୍ଯ୍ୟକାରୀ କରିଛି । ଏନ୍‍ଆଇସି ଜରିଆରେ ପ୍ରସ୍ତୁତ ଏହି ପ୍ଲାଟଫର୍ମ ମାଧ୍ୟମରେ ପ୍ରାୟ ୫୦ଟି ମଡ୍ୟୁଲ କାର୍ଯ୍ୟକାରୀ ହେବା ଫଳରେ ଅବକାରୀ ପ୍ରଶାସନରେ ସ୍ୱଚ୍ଛତା ସହିତ ସହଜ ଓ ସମୟୋଚିତ ସେବା ପ୍ରଦାନ କରାଯାଇ ପାରୁଛି ।
ଅବକାରୀ ବିଭାଗ ଚଢଉ ମାଧ୍ୟମରେ ବେଆଇନ୍‍ ନିଶା କାରବାରକୁ ନିୟନ୍ତ୍ରଣ ସହିତ ରାଜସ୍ୱ ଆଦାୟ କ୍ଷେତ୍ରରେ ମଧ୍ୟ ପାରଦର୍ଶିତା ପ୍ରଦର୍ଶନ କରିଛି । ୨୦୨୨-୨୩ ବର୍ଷରେ ଭାଟ୍‍ ସହିତ ମୋଟ୍‍ ୮୯୬୭.୪୯ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଛି ଯାହା ୨୦୨୧-୨୨ ତୁଳନାରେ ୧୭.୬୫ ପ୍ରତିଶତ ଅଧିକ ରହିଛି । ୨୦୨୧-୨୨ ବର୍ଷରେ ଭାଟ୍‍ ସହିତ ମୋଟ୍‍ ୭୬୨୨.୪୧ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିବାବେଳେ ୨୦୨୦-୨୧ ବର୍ଷରେ ଏହି ପରିମାଣ ୫୪୦୦.୨୧ କୋଟି ଟଙ୍କା ଥିଲା । ଅବକାରୀ କମିଶନ ଶ୍ରୀ ସିଂହ ମଧ୍ୟ ଡାଟା ଡିଜିଟାଇଜେସନ, ସୂଚନା ପ୍ରଯୁକ୍ତିବିଦ୍ୟାର କାର୍ଯ୍ୟକାରିତା, ରାଜସ୍ୱ ଆଦାୟ ସହିତ ଆସୁଥିବା ଅଭିଯୋଗ ଗୁଡିକର ତ୍ୱରିତ ସମାଧାନ ଲାଗି ସମୀକ୍ଷା ସମୟରେ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ୨୦୨୩-୨୪ ବର୍ଷରେ ଅବକାରୀ ଚଢଉକୁ ଅଧିକ ଜୋରଦାର କରି ରାଜ୍ୟରେ ବେଆଇନ୍‍ ନିଶା କାରବାରର ମୂଳୋତ୍ପାଟନ ପାଇଁ ଅବକାରୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ଉପନିର୍ବାଚନ ଅନୁଷ୍ଠିତ ହେଉଥିବା ଝାରସୁଗୁଡା ଏବଂ ଏହାର ଆଖପାଖ ଅଞ୍ଚଳରେ ନିୟମିତ ଚଢଉ ସହିତ ପ୍ରତିଦିନ ଏହାର ମନିଟରିଂ ପାଇଁ ସମ୍ବଲପୁର ଇଡିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

nis-ad
Leave A Reply

Your email address will not be published.