ସମ୍ବଲପୁର ହିଂସାକୁ ନେଇ ଡିଜିପିଙ୍କ ସୂଚନା : ଗଣ୍ଡଗୋଳକାରୀଙ୍କ ବିରୁଦ୍ଧରେ ନିଆ ଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର: ସମ୍ବଲପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ସବୁ ଉଦ୍ୟମ ହୋଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଅଧିକ ଫୋର୍ସ ମୁତୟନ ହୋଇଛନ୍ତି । ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ସମ୍ବଲପୁରରେ କିଛି ଅପ୍ରିୟ ଘଟଣା ଘଟିଛି । ଗ୍ରାଉଣ୍ଡରେ ସିନିୟର ଅଫିସର ଅଛନ୍ତି । ଗଣ୍ଡଗୋଳକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ ଡିଜି କିହିଛନ୍ତି ।

ସେପଟେ ସମ୍ବଲପୁର ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରାଯାଇଛି। ଏନେଇ ଏସପି ବି ଗଙ୍ଗାଧର ସୂଚନା ଦେଇଛନ୍ତି। ଏଣେ ସ୍ଥିତିକୁ ଦେଖି ଅଧିକସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। କର୍ଫ୍ୟୁ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ଏଣେ ଆଉ ୪୮ ଘଣ୍ଟା ଲାଗି ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୁଣି ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରିବା ପାଇଁ ସରକାରଙ୍କୁ ସୁପାରିସ କରାଯାଇଥିବା ନେଇ ଗତକାଲି ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି।

ତେବେ ସକାଳ ୮ଟାରୁ ୧୦ଟା ଯାଏଁ ଏବଂ ଅପରାହ୍ଣ ସାଢେ ୩ଟାରୁ ସନ୍ଧ୍ୟା ସାଢେ ୫ଟା ଯାଏଁ ଜରୁରୀ କାମର ବାହାରକୁ ବାହାରିପାରିବେ ଲୋକେ । କର୍ଫ୍ୟୁ ସମୟରେ ଡାକ୍ତରଖାନା, ଔଷଧ ଦୋକାନ ଭଳି ଆତ୍ୟାବଶ୍ୟକ ସେବା ବ୍ୟତୀତ ସବୁ କିଛି ବନ୍ଦ ରହିବ । ଏପରି କି ବସ ଚଳାଚଳ ବନ୍ଦ ରହିବ । ସେହିପରି ଟ୍ରେନ ଯାତ୍ରୀ କଟକଣା କୋହଳ ସମୟରେ ଷ୍ଟେସନକୁ ଯାଇପାରିବେ, ଅନ୍ୟସମୟରେ ସହର ଭିତର ଦେଇଯାଇପାରିବେ ନାହିଁ । ସେପଟେ ଜରୁରୀ ସ୍ୱାସ୍ଥ୍ୟ ସେବା ପାଇଁ ୨୪ ଘଂଟିଆ ହେଲପଲାଇନ ନଂବର ଜାରି କରାଯାଇଛି । ହେଲପ ଲାଇନ ନଂବର ହେଉଛି ୭୬୫୫୮୦୦୭୬୦ ।  ସମ୍ବଲପୁର ସହରର ୬ଟ ଥାନା ଅଂଚଳରେ କର୍ଫ୍ୟୁ ଜାରି କରାଯାଇଛି । ଟାଉନ ଥାନା, ଧନୁପାଲି ଥାନା, କ୍ଷେତରାଜପୁର ଥାନା, ଅଇଁଠାପାଲି ଥାନା, ବରେଇପାଲି ଥାନା ଓ ସଦର ଥାନା ଅଂଚଳରେ କର୍ଫ୍ୟୁ କଟକଣା ଜାରି ରହିବ । କେହି ଆଇନଶୃଙ୍ଖଳା ଭଙ୍ଗ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ।

nis-ad
Leave A Reply

Your email address will not be published.