କନ୍ଧମାଳ ଜିଲ୍ଲା ପରିଷଦର ତୃତୀୟ ଅଧିବେଶନ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପରିଷଦର ତୃତୀୟ ଅଧିବେଶନ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମାନନୀୟା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଜନ ପ୍ରତିନିଧିମାନେ ଶାନ୍ତି ଶୃଙ୍ଖଳାର ସହିତ ଅଭିଯୋଗ ତଥା ସେମାନଙ୍କ ଅଞ୍ଚଳରେ ରହିଥିବା ସମସ୍ୟାଗୁଡ଼ିକୁ ଗୃହରେ ଉପସ୍ଥାପନା କରିବାକୁ ମାନନୀୟା ଅଧ୍ୟକ୍ଷା ଅନୁରୋଧ କରିଥିଲେ। ସେହିପରି ବିଭାଗୀୟ ଅଧିକାରୀମାନେ କୌଣସି କାମ ଆରମ୍ଭ କରିବା ପୂର୍ବରୁ ସଂପୃକ୍ତ ଅଞ୍ଚଳର ଜନ ପ୍ରତିନିଧି ମାନଙ୍କୁ ଜଣାଇବା ସହିତ ସେମାନଙ୍କ ଅଞ୍ଚଳର ସମସ୍ୟା ସମାଧାନ ଦିଗରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଜନ ପ୍ରତିନିଧି ଓ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ସମନ୍ବୟ ତଥା ଭଲ ବୁଝାମଣା ରହିଲେ ଆମେ ଜିଲ୍ଲା ପାଇଁ ଭଲଭାବରେ କାମ କରିପାରିବା ବୋଲି ମାନନୀୟ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ କହିଥିଲେ। ମାନ୍ୟବର ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ମାନ୍ୟବର ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଏବଂ ମାନ୍ୟବର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଜିଲ୍ଲାର ଗୁରୁ ଦାୟିତ୍ଵ ଆମମାନଙ୍କ ହାତରେ ରହିଛି ବୋଲି କହିଥିଲେ। ଆମ ଉପରେ ଜନସାଧାରଣଙ୍କର ଆଶା ଓ ଭରସା ମଧ୍ୟ ରହିଛି । ଜିଲ୍ଲାରେ ଯେଉଁସବୁ ସମସ୍ୟା ରହିଛି ସେହି ସମସ୍ୟାଗୁଡ଼ିକର ସମାଧାନ ଦିଗରେ ବିଭାଗୀୟ ଅଧିକାରୀମାନଙ୍କର ସହଯୋଗ ନିହାତି ଆବଶ୍ୟକ ବୋଲି କହିଥିଲେ । ଦ୍ୱିତୀୟ ଅଧିବେଶନରେ ଶିକ୍ଷା ଉପରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରାଯାଇ ଥିଲା। ସେଥିମଧ୍ୟରୁ ଅଧିକାଂଶ କାର୍ଯ୍ୟକାରୀ କରାଯାଇଛି।ଯଦିବା କେଉଁଠି କିଛି ସମସ୍ୟା ରହିଯାଇଛି ତେବେ ଲେଖିକି ଦେଇଦିଅନ୍ତୁ ଆମେ ତୁରନ୍ତ ସେଗୁଡ଼ିକର ସମାଧାନ କରିଦେବୁ ବୋଲି କନ୍ଧମାଳ ଜିଲ୍ଲାପାଳ-ତଥା-ମୁଖ୍ୟ ନିର୍ବାହୀ ଅଧିକାରୀ, କନ୍ଧମାଳ ଜିଲ୍ଲା ପରିଷଦ ଆଶିଷ ଇଶ୍ୱର ପାଟିଲ କହିଥିଲେ ।

ପ୍ରାରମ୍ଭରେ ଜିଲ୍ଲା ପରିଷଦର ଦ୍ଵିତୀୟ ଅଧିବେଶନର ଅନୁପାଳନ ବିବରଣୀ ଗୃହରେ ପଠନ ପୂର୍ବକ ଏହାର ଦୃଢ଼ୀକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରେ ପରେ ଚଳିତ ତୃତୀୟ ଅଧ୍ୟବେଶନର କାର୍ଯ୍ୟସୂଚୀ ଉପସ୍ଥାପନକରାଯାଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ପଞ୍ଚମ ରାଜ୍ୟ ଅର୍ଥ କମିଶନ ଅନୁଦାନର ସୁପାରିଶ ଆଧାରରେ ଜିଲ୍ଲା ପରିଷଦ ପାଇଁ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାମାନଙ୍କ ଦ୍ଵାରା ପ୍ରଦତ୍ତ ଡିଭୋଲୁସନ୍ ଫଣ୍ଡ ୧୯,୪୨,୮୮୭ ଟଙ୍କା ଲେଖାଁଏ, ପଞ୍ଚଦଶ କେନ୍ଦ୍ର ଅର୍ଥ କମିଶନ ଅନୁଦାନର ସୁପାରିଶ ଆଧାରରେ ଜିଲ୍ଲା ପରିଷଦ ପାଇଁ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାମାନଙ୍କ ଦ୍ୱାରା ପ୍ରଦର୍ ଅଇଡ୍ ଫଣ୍ଡରେ ଟ. ୧୪,୬୭,୫୧୫/- ଲେଖାଁଏ ଓ ଟାଇଡ୍ ଫଣ୍ଡ୍‌ରେ ଟ.୧୫, ୯୪,୫୮୫/- ଲେଖାଁଏ ଏହି ସମସ୍ତ ପ୍ରକଳ୍ପ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କ ଜରିଆରେ ପ୍ରାପ୍ତ ହୋଇଥିବା ବାର୍ଷିକ ପ୍ରକଳ୍ପ ଖସଡ଼ାକୁ ଅନୁମୋଦନ କରାଯାଇଥିଲା।ଅଧ୍ୟକ୍ଷଣ ଯନ୍ତ୍ରୀ, ରାସ୍ତା ଓ କୋଠାବାଡ଼ି ବିଭାଜନ, ଫୁଲବାଣୀ ଓ ବାଲିଗୁଡ଼ା ନିଜ ନିଜ ବିଭାଜନରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ସମ୍ପର୍କରେ ଗୃହରେ ଉପସ୍ଥାପନା କରିଥିଲେ । ସେହିପରି, ଅଧ୍ୟକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣ ବିଭାଜନ, କନ୍ଧମାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା, କନ୍ଧମାଳ, ଜିଲ୍ଲାରେ ନିଜ ନିଜ ବିଭାଗ ଦ୍ବାରା ଚାଲିଥିବା ଉନ୍ନୟନ କାର୍ଯ୍ୟକ୍ରମ ସମ୍ପର୍କରେ ଗୃହରେ ଉପସ୍ଥାପନା କରିଥିଲେ । ଗତ ଅଧି ବେଶନରେ ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଶିକ୍ଷା କାର୍ଯ୍ୟକ୍ରମ ସମ୍ପର୍କରେ ଗୃହରେ ଉପସ୍ଥାପନ କରୁଥିବାବେଳେ ମାନ୍ୟବର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଅଚାନକ ଭାବେ ବନ୍ଦ କରାଯାଇଥିବା ପାଳଚି ବିଦ୍ୟାଳୟକୁ ପୁନଶ୍ଚ ଖୋଲିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ପ୍ରସ୍ତାବ ଦେଇଥିଲେ । ମାତ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ସେହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମସ୍ତ ୪ ଜଣ ପିଲାଙ୍କୁ ନିକଟସ୍ଥ ୧.୫ କି.ମି. ଦୂରତାରେ ଥୁବା ଗାଡ଼ିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସଂଲଗ୍ନ କରାଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଥିଲେ। ଅନ୍ୟ ଜନ ପ୍ରତିନିଧିମାନଙ୍କର ଅଭିଯୋଗ ଆଧାରରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ । ସଚିବ ଓ ମୁଖ୍ୟ ଉନ୍ନୟନ ଅଧିକାରୀ –ତଥା- ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ବିଶ୍ବରଞ୍ଜନ ନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଅତିରିକ୍ତ ନିର୍ବାହୀ ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ), କନ୍ଧମାଳ ଜିଲ୍ଲା ପରିଷଦ ହର ପ୍ରସାଦ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ ବୈଠକରେ ଜିଲ୍ଲା ପରିଷଦର ସମସ୍ତ ସଭ୍ୟ/ସଭ୍ୟା, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା, ବିଭାଗୀୟ ପଦାଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.