ନ୍ୟାୟନିଷ୍ଠ ଓ ସ୍ଥାୟୀ ସମାଜ ଗଠନ ଉପରେ ଜାତୀୟ ଆଲୋଚନାଚକ୍ର

ଫୁଲବାଣୀ: ଅପ୍ରେଲ୍ ୧୪ ଓ ୧୫ ତାରିଖ ଦୁଇ ଦିନ ବ୍ୟାପୀ କିଟ୍ ବିଶ୍ୱ ବିଦ୍ୟାଳୟରେ ୟୁଥ-୨୦ କନ୍‌ସଲଟେଟିଭ୍ ସମ୍ମିଳନୀ ଆୟୋଜନ ହେଉଥିବା ବେଳେ ଏହାର ଅବ୍ୟବହିତ ପୂର୍ବରୁ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହା ଉପରେ ଜାତୀୟସ୍ତରର ଆଲୋଚନାଚକ୍ରମାନ ଅନୁଷ୍ଠିତ ହେଉଛି । ଓଡ଼ିଶାର ବୌଦ୍ଧ, ସୋନପୁର ଜିଲ୍ଲାରେ ଇତି ମଧ୍ୟରେ ଏହି ଆଲୋଚନା ଚକ୍ର ଶେଷ ହୋଇଥିବା ବେଳେ ଆଜି କନ୍ଧମାଳ ଜିଲ୍ଲା ଫୁଲବାଣୀଠାରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଫୁଲବାଣୀ ସ୍ୱୟଂଶାସିତ ମହା ବିଦ୍ୟାଳୟ ଠାରେ ବିଲିଡିଂ ଆନ୍ ଇକ୍ୟୁଇଟେବଲ୍ ଆଣ୍ଡ ସଷ୍ଟେନେବଲ୍ ସୋସାଇଟି ଶୀର୍ଷକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଥିଲା । କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଇଂଟରନାଲ୍ କ୍ୱାଲିଟି ଆସ୍ୟୁରାନ୍‌ସ ସେଲ୍ ଓ ଫୁଲବାଣୀ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଶ୍ରୀ ସାମନ୍ତ କହିଲେ, ଜି-୨୦ ଆୟୋଜନ ପାଇଁ ସମଗ୍ର ଦେଶର ଯୁଗଗୋଷ୍ଠୀଙ୍କୁ ବିଶ୍ୱର ସାମାଜିକ ଓ ଅର୍ଥନୈତିକ ସନ୍ତୁଳନର ବାର୍ତା ପହଁଚାଇବାକୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । କିଟ୍ ବିଶ୍ୱବିଦ୍ୟାଳୟକୁ ୪ଟି ବିଭାଗର ଦାୟିତ୍ୱ ମିଳିଛି । ସେଥିମଧ୍ୟରୁ କିଟ୍ ବିଶ୍ୱବିଦ୍ୟାଳୟରେ ଆୟୋଜନ ହେବାକୁ ଥିବା ଯୁଥ-୨୦ରେ ବିଶ୍ୱର ୨୧ଟି ଦେଶର ୨୧ଜଣ ସାଂସଦ, ଭାରତର ସାଂସଦ ଓ ଅନ୍ୟାନ୍ୟ ବିଶିଷ୍ଟ ଶିକ୍ଷାବିତ୍‌ଙ୍କୁ ନେଇ ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେବେ । ଏହି ଅବସରରେ ଶ୍ରୀ ସାମନ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ଶିକ୍ଷା ହିଁ ସବୁ କିଛି ବୋଲି କହିଥିଲେ । ଅଧ୍ୟୟନ ସମୟରେ ଛାତ୍ରଛାତ୍ରୀମାନେ ଏକାଗ୍ରତା ଓ ପ୍ରତିବଦ୍ଧତା ବଜାୟ ରଖିଲେ ଜୀବନରେ ସଫଳତା ଲାଭ କରିପାରିବେ ବୋଲି କହିଥିଲେ ।
କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ୍ ସମ୍ମାନୀୟ ବକ୍ତା ଭାବେ ଯୋଗଦେଇ ଭାରତ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରୁଥିବାରୁ ଆମେ ସମସ୍ତେ ନିଜକୁ ଗର୍ବିତ ମନେକରିବା ଉଚିତ । ବିଷୟବସ୍ତୁ ଉପରେ ସେ କହିଲେ, ନ୍ୟାୟନିଷ୍ଠ ସମାଜ ଉଭୟ ସାମାଜିକ ଓ ଅର୍ଥନୈତିକ ଉପରେ ଗୁରୁତ୍ୱ ଦିଆଯିବା ଉଚିତ । ସମାଜର ସମସ୍ତ ବର୍ଗର ଲୋକ ସମାନ ଅଧିକାର ପାଇବା ଉଚିତ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଫୁଲବାଣୀ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ବେହେରା ଓ କିଟ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଜୟନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ।

nis-ad
Leave A Reply

Your email address will not be published.