କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେଲେ ୪୩ ଲକ୍ଷରୁ ଅଧିକ ଚାଷୀ

ଭୁବନେଶ୍ୱର: ଓଡ଼ିଶା ଦିବସ ଅବସରରେ ରାଜ୍ୟର ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ଖରିଫ ଋତୁରେ ଚାଷ କାମ ପାଇଁ ଏହି ସହାୟତା ଦିଆଯାଇଛି । ଝାରସୁଗୁଡ଼ା ବ୍ୟତୀତ ରାଜ୍ୟର ସବୁ ଅଞ୍ଚଳର କୃଷକମାନେ ଏହି ସହାୟତା ପାଇଛନ୍ତି । ୪୩ ଲକ୍ଷରୁ ଅଧିକ ଚାଷୀ ପରିବାରଙ୍କୁ ୮୭୭ କୋଟି ଟଙ୍କା ସହାୟତା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଦିଆଯାଇଛି । ଏହି ଅବସରରେ ଚାଷୀଙ୍କୁ ଓଡ଼ିଶା ଦିବସର ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଚାଷୀଙ୍କ କଲ୍ୟାଣ ସହ ରାଜ୍ୟର ବିକାଶ ଯୋଡି ହୋଇ ରହିଛି । ତେଣୁ ଆଜିର ପବିତ୍ର ଦିନରେ କାଳିଆ ସହାୟତା ପ୍ରଦାନ କରି ଆମେ ନୂଆ ଅର୍ଥିକ ବର୍ଷ ଆରମ୍ଭ କଲୁ ।

ଓଡ଼ିଶା ଆଜି ଖାଦ୍ୟଶସ୍ୟ ଉତ୍ପାଦନରେ ଆତ୍ମନିର୍ଭର ହେବା ସହିତ ଦେଶର ଖାଦ୍ୟ ଭଣ୍ଡାରକୁ ଅନ୍ନ ଯୋଗାଇ ପାରୁଛି ବୋଲି କହି ମୁଖ୍ୟମନ୍ତ୍ରୀ ଏହି ଗୌରବର ଶ୍ରେୟ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀଙ୍କୁ ଦେଇଥିଲେ । ଚାଷର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ କୃଷିରେ ଅଧିକ ମେସିନ ଓ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟରେ ପୁଷ୍ଟିଯୁକ୍ତ ଖାଦ୍ୟର ଉତ୍ପାଦନ ବୃଦ୍ଧି ଓ ଚାଷୀଙ୍କ ରୋଜଗାରରେ ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ଶସ୍ୟଭିତ୍ତିକ ମିଶନ କାର୍ଯ୍ୟକରୀ କରୁଛନ୍ତି ବୋଲି ପ୍ରକାଶ କରି ସେ ଚାଷୀଙ୍କୁ ଫସଲ ବିବିଧକରଣ ଉପରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ ।

nis-ad
Leave A Reply

Your email address will not be published.