ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତିକୁଣ୍ଡ ତରଫରୁ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମେଢ଼ ତଥା ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ

ବ୍ରହ୍ମପୁର: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତିକୁଣ୍ଡ ତରଫରୁ ସ୍ଥାନୀୟ ଗୋଳାବନ୍ଧସ୍ଥ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଧବଳେଶ୍ୱର ମହାଦେବ ମନ୍ଦିର ପରିସରରେ ସପ୍ତାହ ବ୍ୟାପୀ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମେଢ଼ (ଝାଙ୍କି) ତଥା ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଅନ୍ତିମ ଦିବସରେ ଆୟୋଜିତ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମରେ ମନ୍ଦିର ସହ-ସମ୍ପାଦକ ଭ୍ରାତା ଇ. ପୁରୁଷୋତମ ମୁଖ୍ୟ ଅତିଥି, ରୂପେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ, ବର୍ତମାନର କଳହ, ଦ୍ୱେଷ, ହିଂସା, ଦୁଃଖ, ଅଶାନ୍ତି ପୂର୍ଣ୍ଣ ସମାଜରେ ଉକ୍ତ ଆଧ୍ୟାତ୍ମିକ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସମାଜରେ ସକାରାତ୍ମକ ପରିବର୍ତନ ଆଣିବା ଦିଶାରେ ଯେଉଁ ମହାନ ପରମାତ୍ମ କର୍ତବ୍ୟ ସମ୍ପାଦନ କରିଆସୁଛି, ତାହା ବାସ୍ତବିକ ପ୍ରଶଂସନୀୟ । ଯା’ଦ୍ୱାରା ସମାଜର ତୃଣମୂଳ ସ୍ତରରୁ ପ୍ରତ୍ୟେକ ବର୍ଗର ବ୍ୟକ୍ତି ବିଶେଷ ଭାବେ ଉପକୃତ ହୋଇ ସମାଜରେ ପୁନଃଶାନ୍ତି, ସୁଖ, ସମୃଦ୍ଧି, ସ୍ଥାପନ କରିବାରେ ପ୍ରୟାସରତ ଅଛନ୍ତି । ମୁଖ୍ୟବକ୍ତା ରୂପେ ବ୍ରହ୍ମାକୁମାରୀସ୍‌, ବ୍ରହ୍ମପୁର ସବ୍‌-ଜୋନ୍‌ର ନିର୍ଦ୍ଦେଶିକା-ରାଜଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ ନିଜ ବକ୍ତବ୍ୟରେ କହିଥିଲେ ଯେ, ଆଜକୁ ଦୀର୍ଘ ‘୮୭’ ବର୍ଷ ଧରି ପରମପିତା ପରମାତ୍ମା ଶିବ ଅବିନାଶୀ ରୂଦ୍ର ଗୀତା ଜ୍ଞାନ ଯଜ୍ଞ ସ୍ଥାପନ କରି ମନୁଷ୍ୟ ମାତ୍ର ଯେଉଁ ଦେହ ଅଭିମାନ ବଶ ହୋଇ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର ବିକାରରେ ପୀଡ଼ିତ ହୋଇଆସୁଛନ୍ତି, ସେଥିରୁ ମୁକ୍ତି ପ୍ରଦାନ କରନ୍ତି । ଯଦ୍ୱାରା ସମାଜରେ ସୁଖ, ଶାନ୍ତି, ମୈତ୍ରୀର ବାତାବରଣ ନିଶ୍ଚିତ ସ୍ଥାପନ ହୋଇପାରିବ । ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ୍ ସେଂଟର୍‌ର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ମାଳା ପ୍ରବଚନ କାର୍ଯ୍ୟକ୍ରମ ପରିଚାଳନା ପୂର୍ବକ ନିଜ ବକ୍ତବ୍ୟରେ କହିଥିଲେ ଯେ, ସୃଷ୍ଟିଚକ୍ର, ପୁର୍ନଜନ୍ମ ରହସ୍ୟ, କଳ୍ପବୃକ୍ଷ, ରଚନା ଏବଂ ରଚୟିତାଙ୍କର ଯଥାର୍ଥ ପରିଚୟ ଦ୍ୱାରା ମନୁଷ୍ୟ ମନରୁ ତମୋ ଗୁଣ ଦୂରୀଭୂତ ହୁଏ ଏବଂ ପରମାତ୍ମା ପ୍ରାପ୍ତିର ରାସ୍ତା ସ୍ପଷ୍ଟ ହୁଏ । ବିଭିନ୍ନ ଦିବସରେ ବ୍ରହ୍ମାକୁମାରୀସ୍ ସେବା କେନ୍ଦ୍ରର ଭଗ୍ନୀ କ୍ରିଷ୍ଣା, ପ୍ରଭାତୀ, ସଙ୍ଘମିତ୍ରା, ପ୍ରଶଂସା, କସ୍ତୁରୀ, ବିଷ୍ଣୁପ୍ରିୟା, ପାର୍ବତୀ ଆଦି ଉପସ୍ଥିତ ରହି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗମ୍ ଝାଙ୍କିର ମହତ୍ୱ ସମ୍ପର୍କରେ ବିସ୍ତୃତ ବିବରଣୀ ଦେବା ପୂର୍ବକ ଉପସ୍ଥିତ ଜନସମୁହଙ୍କୁ ଆଧ୍ୟାତ୍ମିକ ଚିତ ପ୍ରଦର୍ଶନୀ ଅନ୍ତର୍ନିହିତ ରହସ୍ୟ ହୃଦୟଙ୍ଗମ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର, ଆସ୍କା, ଡ଼େଙ୍ଗଓସ୍ତା, ଛତ୍ରପୁର, କବିସୂର୍ଯ୍ୟନଗର ସେବା କେନ୍ଦ୍ରର ଅନେକ ବ୍ରହ୍ମାକୁମାର, ବ୍ରହ୍ମାକୁମାରୀଙ୍କ ଦ୍ୱାରା ଆଧ୍ୟାତ୍ମିକ ନୃତ୍ୟ ନାଟିକା ଦ୍ୱାରା ସମାଜକୁ ସଠିକ୍ ମାର୍ଗ ପ୍ରଦର୍ଶନ କରାଇଥିଲେ । ବ୍ରହ୍ମାକୁମାର ସ୍ୱରାଜ୍ୟ, ସୁରେଶ, ରାଜୁ, କୃଷ୍ଣ, ଗଙ୍ଗାଧର ଆଦି ଉପସ୍ଥିତ ରହି ସଭା କାର୍ଯ୍ୟର ସଫଳ ପରିଚାଳନା କରିଥିଲେ । ସମୁଦାୟ ଦିବସମାନଙ୍କରେ ନିକଟବର୍ତୀ ‘୫୨’ ଟି ଗ୍ରାମବାସୀଙ୍କ ସମେତ ଗଞ୍ଜାମ ଜିଲ୍ଲାର ସହସ୍ରାଧିକ ଭାଇ, ଭଉଣୀ ଯୋଗ ଦେଇ ପରମାତ୍ମ ଅବତରଣର ସନ୍ଦେଶ ପ୍ରାପ୍ତ କରିଥିଲେ ।

nis-ad
Leave A Reply

Your email address will not be published.